ତିଗିରିଆ : ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ୟ୍ୟକ୍ରମର ତୃତୀୟ ପର୍ୟ୍ୟାୟରେ ତିଗିରିଆ ବ୍ଲକର ୨ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଏହି ଦୁଇଟି ହେଲା ନିଜିଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ଉପଲକ୍ଷେ ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ରୂପାନ୍ତରିତ ବିଦ୍ୟାଳୟ ଗୁଡିକରେ ୨ଟି ଲେଖାଏଁ ସ୍ମାର୍ଟ ଶ୍ରେଣୀଗୃହ , ଗୋଟିଏ ଇ-ଗ୍ରନ୍ଥାଗାର, ଗୋଟିଏ ଲେଖାଏଁ ଉନ୍ନତମାନର ବିଜ୍ଞାନାଗାର, ଖେଳପଡ଼ିଆ, ଶୌଚାଳୟ ସହିତ ନୂତନ ରୂପରେ ଝଲସୁଥିବା ସମ୍ପୂର୍ଣ ବିଦ୍ୟାଳୟ ଲୋକାର୍ପିତ ହୋଇଥିଲା। ଏହି ରୂପାନ୍ତରୀତ ଦ୍ୱାରା ବିଦ୍ୟାଳୟର ଶୈକ୍ଷିକ ବାତାବରଣରେ ଉନ୍ନତି ହେବା ସହ ବିଦ୍ୟାଳୟ ପରିସର ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶରେ ପରିଣତ ହୋଇଛି।

ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ବଡ ବଡ ଟିଭି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କର ଏହି ଲୋକାର୍ପଣ କାର୍ୟ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଦୁଇଟି ଯାକ ବିଦ୍ୟାଳୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନିଜିଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରାଜା ଆଦିତ୍ୟ ପ୍ରସାଦ ମହାନ୍ତି, ସମିତି ସଭ୍ୟଙ୍କ ପ୍ରତିନିଧି ପନିଆ ଖାଁ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଜଗବନ୍ଧୁ ତୁଙ୍ଗସାମନ୍ତ, ସମାଜସେବୀ ଶୁଭେନ୍ଦୁ ଚାନ୍ଦ ଏବଂ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରାଜା ଆଦିତ୍ୟ ପ୍ରସାଦ ମହାନ୍ତି, ସମିତି ସଭ୍ୟଙ୍କ ପ୍ରତିନିଧି ପନିଆ ଖାଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ସରକାରୀ ଓକିଲ ପ୍ରଶାନ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ସୁଶୀଲ କୁମାର ନନ୍ଦ, ସୁଶାନ୍ତ ମହାନ୍ତି ପ୍ରମୁଖ ଏହି ଲୋକାର୍ପଣ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ।



