୫ ଗୁଣା ୫୦୦ ଟଙ୍କିଆ ନୋଟ୍‍ ଛପାଯିବ

0

ନୂଆଦିଲ୍ଲୀ: ଦେଶରେ ଏବେ ଦେଖା ଦେଇଥିବା ନୋଟ୍‍ ସଙ୍କଟ ଦୂର କରିବା ପାଇଁ ୫୦୦ ଟଙ୍କିଆ ନୋଟ୍‍ ମୁଦ୍ରଣ ପରିମାଣ ୫ଗୁଣା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଅର୍ଥନୈତିକ ବ୍ୟାପର ସଚିବ ସୁବାଷ ଚନ୍ଦ୍ର ଗର୍ଗ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଶ୍ରୀଗର୍ଗଙ୍କ ସୂଚନା ଅନୁଯାୟୀ ଏବେ ଦୈନିକ ୫୦୦ କୋଟିର ୫୦୦ ଟଙ୍କିଆ ନୋଟ୍‍ ମୁଦ୍ରଣ ହେଉଥିବା ବେଳେ ଏହାକୁ ୨୫୦୦କୁ ବୃଦ୍ଧି କରାଯିବ। ଏବେ ଦେଶରେ ୧.୭୫ ଟ୍ରିଲିଅନ୍‍ (୧ ଟ୍ରିିଲିଅନ୍‍= ୧ ଲକ୍ଷ କୋଟି) ଟଙ୍କାର ନୋଟ୍‍ ମହଜୁଦ୍‍ ଥିବା ବେଳେ ତାହାକୁ ୨.୫ ରୁ ୩ ଟ୍ରିଲିଅନ୍‍ ଟଙ୍କାକୁ ବୃଦ୍ଧି ପାଇଁ ଯୋଜନା ହୋଇଛି। ଗତ ଦୁଇ ମାସ ହେଲା ନୋଟ୍‍ ଚାହିଦା ବୃଦ୍ଧି ପାଇଛି। ସାଧାରଣତଃ ମାସିକ ନୋଟ୍‍ ଚାହିଦା ପରିମାଣ ହାରାହାରି ୨୦୦୦୦ କୋଟି ଟଙ୍କା ଥିବାବେଳେ ଏପ୍ରିଲ୍‍ ମାସର ପ୍ରଥମ ୧୩ ଦିନ ମଧ୍ୟରେ ନୋଟ୍‍ ଚାହିଦା ୪୫୦୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିହାର ଓ କର୍ଣ୍ଣାଟକ ଭଳି କେତେକ ରାଜ୍ୟରେ ନୋଟ୍‍ ଚାହିଦା ବୃଦ୍ଧି ପାଇଛି। ବିମୁଦ୍ରାକରଣ ପୂର୍ବରୁ ଦେଶରେ ୧୭.୫ ଟ୍ରିଲିଅନ୍‍ ଟଙ୍କା ମୂଲ୍ୟର ନୋଟ୍‍ ପ୍ରଚଳନ ଥିବାବେଳେ ଏବେ ତାହା ୧୮ ଟ୍ରିଲିଅନ୍‍କୁ ବୃଦ୍ଧି ପାଇଛି। ତେଣୁ ନୋଟ୍‍ ମୁଦ୍ରଣ କିମ୍ବା ଯୋଗାଣ କମ୍‍ ହୋଇନାହିଁ ବୋଲି ସେ କହିଛନ୍ତି। ସେହିପରି ଲୋକମାନେ ଅଯଥାରେ ଭୟଭୀତ ହୋଇ ନୋଟ୍‍ ସାଇତି ରଖିବାରୁ ବଜାରରେ ନୋଟ୍‍ର କୃତ୍ରିମ ଅଭାବ ସୃଷ୍ଟି ହେଉଛି। ତେଣୁ ନୋଟ୍‍ ସାଇତି ରଖିବାରୁ କ୍ଷାନ୍ତ ହେବାକୁ ଶ୍ରୀଗର୍ଗ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Leave A Reply