ନିଟ୍‌‌କୁ ନେଇ ଆସିଲା ବଡ଼ ଖବର: ପରୀକ୍ଷା କେନ୍ଦ୍ର ଅଧ୍ୟକ୍ଷଙ୍କ ସମେତ ୫ ଗିରଫ, ୨.୩ କୋଟିର ଚେକ୍‌‌ ଜବତ

ସମାଜ ଡିଜିଟାଲ ଡେସ୍କ: ମେଡିକାଲ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌‌)କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ନିଟ୍‌‌ ଅନିୟମିତତା ଅଭିଯୋଗରେ ଗୁଜରାଟ ପୁଲିସ ଗୋଧ୍ରାରୁ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବା ପ୍ରିନ୍ସିପାଲ ଅଛନ୍ତି। ଏମାନେ ୨୭ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସହାୟତା କରିଥିବା ଜଣାପଡ଼ିଛି। ଏପରି କି ପରୀକ୍ଷାରେ ସହାୟତା ପାଇଁ ପ୍ରତି ଛାତ୍ରଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୨ କୋଟି ୩୦ ଲକ୍ଷ ଟଙ୍କାର ଚେକ୍‌‌ ଜବତ କରିଛି।

ନିଟ୍‌‌ ପ୍ରଶ୍ନପତ୍ର ଲିକ୍‌‌ ହୋଇ ନ ଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବାବେଳେ ସୁପ୍ରିମକୋର୍ଟ ଗ୍ରେସ ମାର୍କ ପାଇଥିବା ୧୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କର ସାନି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଏହି ପରୀକ୍ଷାକୁ ନେଇ ଜଣେ ଛାତ୍ର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଗ୍ରେସମାର୍କ ପାଇଥିବା ଛାତ୍ରଙ୍କର ସାନି ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.