www.samajalive.in
Sunday, December 14, 2025
23.1 C
Bhubaneswar

ଗଲୱାନ ସଂଘର୍ଷରେ ମରିଛନ୍ତି ୪୨ ଚୀନ ସୈନ୍ୟ

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ସେନା ସହ ସଂଘର୍ଷ ସମୟରେ ଚୀନର ଅନେକ ସୈନ୍ୟ ପ୍ରାଣ ହରାଇଥିଲେ। ବିଭିନ୍ନ ସମୟରେ ଚୀନ ସରକାର ନିଜର ସୈନ୍ୟ ମୃତ୍ୟୁସଂଖ୍ୟାକୁ ନେଇ ଯେଉଁ ସବୁ ତଥ୍ୟ ଦେଇଛନ୍ତି ତାହା ବାସ୍ତବ ମୃତ୍ୟୁସଂଖ୍ୟାଠାରୁ ବହୁତ କମ୍। ୨୦୨୦ ଜୁନ୍‌ରେ ହୋଇଥିବା ଏହି ସଂଘର୍ଷରେ ଅନ୍ୟୂନ ୩୮ଜଣ ଚୀନ ସୈନିକ ନଈରେ ବୁଡ଼ି ମରିଥିବା କଥା ଅଷ୍ଟ୍ରେଲିଆର ଖବରକାଗଜ ‘ଦି କ୍ଲାକ୍ସନ୍‌’ରେ ପ୍ରକାଶ ପାଇଛି। ପ୍ରାୟ ବର୍ଷାଧିକ କାଳ ଅନୁଧ୍ୟାନ ଆଧାରରେ ପ୍ରକାଶତି ରିପୋର୍ଟ ଅନୁଯାୟୀ ଜୁନ୍ ୧୫-୧୬ ଘନ ଅନ୍ଧାର ରାତିରେ ଦୁଇ ପଡ଼ୋଶୀ ରାଷ୍ଟ୍ରର ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଗଲ୍‌ୱାନ୍‌ ନଦୀ ପାର ହୋଇ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ଚୀନ ସୈନିକମାନେ ବୁଡ଼ି ମରି ଥିଲେ। ସାମାଜିକ ଗଣମାଧ୍ୟମର ତଥ୍ୟ ଉପରେ ଅନୁଧ୍ୟାନ କରୁଥିବା କିଛି ଗବେଷକଙ୍କ ଗବେଷଣାକୁ ଭିତ୍ତି କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଚୀନରେ ବହୁଳ ବ୍ୟବହୃତ ମୋବାଇଲ ଚାଟିଂ ଆପ୍ ‘ୱିବୋ’ରେ ହୋଇଥିବା ବିଭିନ୍ନ ବାର୍ତ୍ତାଳାପକୁ ଅନୁଧ୍ୟାନ କରାଯାଇଛି। ଏହା ସହିତ ଚାଇନିଜ୍‌ ବ୍ଲଗର୍‌, ମେନ୍‌ଲାଣ୍ଡ୍‌ସ୍ଥିତ ଚୀନ ନାଗରିକ ଏବଂ ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ଉକ୍ତ ଗବେଷକମାନେ ତଥ୍ୟ ସଂଗ୍ରହ କରିଥିଲେ। ରିପୋର୍ଟ ଅନୁସାରେ ଚୀନ୍‌ ସୈନିକଙ୍କୁ ଘଉଡ଼ାଇବା ପାଇଁ ଜୁନ୍‌ ୧୫ ତାରିଖ ରାତିରେ ଭାରତୀୟ ସୈନିକମାନେ ଗଲ୍‌ୱାନ୍‌ ଉପତ୍ୟକାର ବିବାଦୀୟ ଅଞ୍ଚଳକୁ ଯାଇଥିଲେ। ବିବାଦ ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ ୧୫୦ଜଣ ସୈନିକଙ୍କୁ ନେଇ ସମରସଜା କରିଥିବା ଚୀନ୍‌ର କର୍ଣ୍ଣେଲ୍‌ କ୍ବି ଫାବାଓ ଭ‌ାରତୀୟ ଯବାନଙ୍କୁ ଆକ୍ରମଣ କରିଥିଲେ। କର୍ଣ୍ଣେଲ୍‌ ଫାବାଓଙ୍କୁ ଭାରତୀୟ ଯବାନମାନେ କାବୁ କରିନେଇଥିଲେ। ତାଙ୍କୁ ଉଦ୍ଧାର କରିବା ଲାଗି ଚୀନ ସୈନିକମାନେ ଷ୍ଟିଲ୍‌ ପାଇପ୍, ବାଡ଼ି ଓ ଟେକାପଥର ସାହାଯ୍ୟରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ଚୀନ୍‌ର ୩ଜଣ ସୈନିକ ପ୍ରାଣ ହରାଇଥିଲେ। ଭୟରେ ଚୀନ ସୈନିକମାନେ ଫେରି ଯିବାକୁ ଉଦ୍ୟମ କରିଥିଲେ। ପ୍ରତ୍ୟାବର୍ତ୍ତନ ନିମନ୍ତେ ଚୀନ ସୈନିକମାନେ ସମୟ ପାଇ ନ ଥିଲେ। ଘନ ଅନ୍ଧାର ରାତିରେ ବରଫ ପରି ଥଣ୍ଡା ପାଣିରେ ସେମାନେ ନଈପାରି ହୋଇଯିବାକୁ ସ୍ଥିର କରିଥିଲେ। ମାତ୍ର ସେମାନେ ସୁଅରେ ଭାସି ଯାଇଥିଲେ। ସେ ରାତିରେ ଅନ୍ୟୂନ ୩୮ଜଣ ଚୀନ୍‌ ସୈନିକ ନଈ ବୁଡ଼ି ମରି ଯାଇଥିଲେ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ଏହି ସଂଘର୍ଷର ବହୁଦିନ ପରେ ୨୦୨୧ ଫେବୃଆରୀରେ ଚୀନ ସରକାରୀ ଭାବେ କହିଥିଲା ଯେ ଗଲୱାନ ସଂଘର୍ଷରେ ଏହାର ୫ ସୈନିକ ପ୍ରାଣ ହରାଇଥିଲେ। ଏହି ୫ଜଣଙ୍କୁ ମଧ୍ୟରୁ ଜଣେ ମାତ୍ର ଗଲୱାନ ନଦୀରେ ବୁଡି ମରିଥିବା କଥା କୁହାଯାଇଥିଲା। ବାସ୍ତବରେ କିନ୍ତୁ ୩୮ଜଣ ସୈନ୍ୟ ନଦୀରେ ବୁଡି ମରିଥିଲେ। ଏହି ସଂଘର୍ଷରେ ଚୀନର ମୋଟ ୪୨ ସୈନିକ ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆ ଖବରକାଗଜ ‘ଦି କ୍ଲାକ୍ସନ୍‌’ ଏହାର ରିପୋର୍ଟରେ ଲେଖିଛି। ଗତବର୍ଷ ଫେବୃଆରୀ ୧୯ରେ ଚୀନ ଗଲୱାନ ସଂଘର୍ଷରେ ପ୍ରାଣ ହରାଇଥିବା ୪ ସୈନିକଙ୍କ ସମ୍ମାନାର୍ଥେ ପଦକ ପ୍ରଦାନ କରିଥିଲା। ଏହି ପଦକ ପ୍ରଦାନକୁ ନେଇ ଚୀନର ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇଥିଲେ। ସାମ୍ବାଦିକ ଜଣଙ୍କ କହିଥିଲେ ସଂଘର୍ଷରେ ଅଧିକ ସଂଖ୍ୟକ ସୈନିକ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟରେ କୁହାଯାଇଥିଲା ଯେ ଗଲୱାନ ସଂଘର୍ଷରେ ଚୀନର ୩୫ ସୈନିକ ପ୍ରାଣ ହରାଇଛନ୍ତି। ଏହି ସଂଘର୍ଷରେ ଭାରତ ୨୦ଜଣ ଯବାନ ସହିଦ ହୋଇଥିଲେ। ମେ ୫, ୨୦୨୦ରୁ ସୀମାନ୍ତ ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗି ରହିଛି। ସୀମା ବିବାଦକୁ ସମାଧାନ ପାଇଁ ଦୁଇଦେଶ ମଧ୍ୟରେ ୧୪ଥର ସାମରିକ କଥାବାର୍ତ୍ତା ହେଲାଣି ମାତ୍ର ଏହାର କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ସୀମା ବିବାଦକୁ ନେଇ ଦୁଇଦେଶ ନିଜ ନିଜ ସୀମାରେ ବ୍ୟାପକ ସୈନ୍ୟ ମୁତୟନ କରିବା ସହ ସାମରିକ ଭିତ୍ତିଭୂମି ବିକାଶ କରିବାରେ ଲାଗିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories