ଦିନ ୪ଟା ସୁଦ୍ଧା ମୁଖ୍ୟ ଖବର(୯ମେ’ ୨୦୨୧)
ଦେଶ/ବିଦେଶ ଖବର
ଦିସପୁର: ହିମନ୍ତ ବିଶ୍ଵଶର୍ମା ହେବେ ଆସାମ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳ ନେତା ନିର୍ବାଚିତ
ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ଆୟୋଜିତ ପ୍ରାରମ୍ଭିକ ପରୀକ୍ଷାଗୁଡ଼ିକର ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନଙ୍କ ଲାଗି ଅଶ୍ଵସ୍ତିକର ଖବର। କରୋନା ମହାମାରୀ ଯୋଗୁ ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇ ଅବଗତ କରାଯାଇଛି।
ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ଅମ୍ଳଜାନ, ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉପରୁ ଜିଏସଟି ସମେତ ସମସ୍ତ ପ୍ରକାର ଶୁଳ୍କ ଛାଡ଼ କରିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ନୂଆଦିଲ୍ଲୀ: ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସବାନନ୍ଦ ସୋନୱାଲ ରବିବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜପାଳ ଜଗଦୀଶ ମୁଖୀଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟପଟେ ହିମନ୍ତ ବିଶ୍ଵ ଶର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।
ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ଗୋଟଏ ସପ୍ତାହ ବଡ଼ିଲା ତାଲାବନ୍ଦ। ଆସନ୍ତା ସୋମବାର ସକାଳ ୫ଟା ଯାଏ ତାଲାବନ୍ଦ ଅବଧି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗତ ୨ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୧୭ ଯାଏଁ ତାଲାବନ୍ଦ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି।
ଲକ୍ଷ୍ନୌ: ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ (ଏଏମୟୁ)ରେ କରୋନା ମହାମାରୀ କାଳ ସାଜିଛି। ଦୁଇ ସପ୍ତାହ ମଧ୍ୟରେ ବିଶ୍ଵବିଦ୍ୟାଳୟର ୧୫ ପ୍ରଫେସର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ପୂରା ବିଶ୍ଵବିଦ୍ୟାଳୟରେ ଶୋକର ବାତାବରଣ ଖେଳିଯାଇଛି।
ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ଲଗାତାର ୪ ଲକ୍ଷ ଅତିକ୍ରମ କରୁଛି। ଦେଶରେ ୨୪ ଘଣ୍ଟାରେ ୪,୦୩,୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨,୨୨,୯୬,୪୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪,୦୯୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୪୨,୩୬୨ରେ ପହଞ୍ଚିଛି।
ନୂଆଦିଲ୍ଲୀ: ଭାରତରେ କରୋନାର ଭୟଙ୍କର ସ୍ଥିତି ଆହୁରି ବାକି ରହିଛି ବୋଲି ଜାତିସଂଘ ସଂସ୍ଥା ‘ୟୁନିସେଫ୍ ଚେତାବନୀ ଦେଇଛି। ୟୁନିସେଫ୍ର କାର୍ଯ୍ୟକାରୀ ନିର୍ଦେଶକ ହେନରିଟ୍ଟା ଏଚ୍ ଫୋର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ଯେଉଁପରି ଭାବେ କାୟା ବିସ୍ତାର କରୁଛି ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ। ଏହା ସମଗ୍ର ବିଶ୍ବ ପାଇଁ ସତର୍କ ଘଣ୍ଟି। ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ବ ଭାରତକୁ ସହାୟତା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ଭାରତ କୋଭିଡ-୧୯ ସଂକ୍ରମଣର ମୁକାବିଲା କରିବା କ୍ଷେତ୍ରରେ ଆଦ୍ୟ ଅବସ୍ଥାରେ ପାଇଥିବା ସଫଳତାକୁ ନଷ୍ଟ କରିଦେଲା ଏବଂ ସଂପ୍ରତି ଭାରତରେ ଜାତୀୟ ସ୍ତରରେ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟିହୋଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟୀ ବୋଲି ଅନ୍ତର୍ଜାତିକ ଚିକିତ୍ସା ପତ୍ରିକା ‘ଦି ଲାନ୍ସେଟ’ର ସଂପାଦକୀୟରେ କୁହାଯାଇଛି।
ନୂଆଦିଲ୍ଲୀ: ଭାରତୀୟ ସେନାରେ ପ୍ରଥମ ବ୍ୟାଚ୍ ମହିଳା ସାମରିକ ପୁଲିସ ଦଳ ସାମିଲ ହୋଇଛନ୍ତି। ଏହି ଦଳରେ ମୋଟ ୮୩ ମହିଳା ସୈନିକ ରହିଛନ୍ତି। ଶନିବାର ବେଙ୍ଗାଲୁରୁସ୍ଥିତ କର୍ପସ ଅଫ ମିଲିଟାରୀ ପୁଲିସ ସେଣ୍ଟର ଆଣ୍ଡ ସ୍କୁଲ (ସିଏମପି ସି ଆଣ୍ଡ ଏସ)ର ଦ୍ରୋଣାଚାର୍ଯ୍ୟ ପରେଡ ଗ୍ରାଉଣ୍ଡଠାରେ ଏହି ମହିଳା ସାମରିକ ପୁଲିସ ବାହିନୀ ଆନୁଷ୍ଠାନିକ ଭାବରେ ସାମିଲ ହୋଇଥିଲେ।
ନୂଆଦିଲ୍ଲୀ: ଗତ ସପ୍ତାହରେ ଚୀନ ଉତ୍କ୍ଷେପଣ କରିଥିବା ସବୁଠୁ ବଡ଼ ରକେଟ୍ ହିନ୍ଦ ମହାସାଗରରେ ଖସିଛି। ଫଳରେ ପୃଥିବୀ ଆଡ଼କୁ ମହାକାଶରୁ ଯେଉଁ ବିପଦ ଆସୁଥିଲା ତାହା ଟଳିଯାଇଛି। ରକେଟ୍ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ତାହାର ଏକ ବଡ଼ ଅଂଶକୁ ନଷ୍ଟ କରିଦିଆଯାଇଥିଲା ଏବଂ ତାହାର ଅବଶେଷ ହିନ୍ଦ୍ ମହାସାଗରରେ ଖସିଥିଲା।
ରାଜ୍ୟ ଖବର
ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଟ୍ରାକ୍ଟର ଧକ୍କାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଚାଳକ ରଜକ ଖାଁ ଆହତ ହୋଇ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଭୁବନେଶ୍ୱର: ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା
ନୂଆଦିଲ୍ଲୀ/ଭୁବନେଶ୍ୱର: ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ(ଏମସିଏଲ୍) ବୋର୍ଡ ଅନୁମୋଦନ ଦେଇଛି। ଏଥିଲାଗି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୪ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧିପାଇଛି।
ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେମାନେ ସମସ୍ତେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।
ଭୁବନେଶ୍ୱର: ଦିନକ ପରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ବିଭିନ୍ନ ସ୍ଥାନରେ କାଳବୈଶାଖୀ କାରଣରୁ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୂ ସୂଚନା ଦିଆଯାଇଛି।
Comments are closed.