ଟସ୍ ଜିତି ସିରିଜ ଜିତିବା ଲକ୍ଷ୍ୟରେ ଭାରତ
ବ୍ରିଷ୍ଟଲ : ଆଜିର ମ୍ୟାଚ ଯିଏ ଜିତିବ ସିଏ ସିରିଜ ଜିତିବ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ସିରିଜ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି। ଏହି ପରିପ୍ରେକ୍ଷୀରେ ତୃତୀୟ ମ୍ୟାଚରେ ବିଜୟୀ ହୋଇ ସିରିଜ କବ୍ଜା କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ତେବେ ଟସ୍ ଜିତିବା ସହିତ ଭାରତ ମ୍ୟାଚ ଜିତିବା ନେଇ ଆଶା ରଖିଛି।
ବ୍ରିଷ୍ଟଲରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚଳିତ ଟ୍ୱେଣ୍ଟି -୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ । ବାମହାତି ସ୍ପିନର କୁଳଦୀପ ଯାଦବଙ୍କ ମାରାତ୍ମକ ବୋଲିଂ ଓ ଲୋକେଶ ରାହୁଲଙ୍କ ପ୍ରଶଂସନୀୟ ଅପରାଜିତ ଶତକ ବଳରେ ଭାରତ ମାଞ୍ଚେଷ୍ଟରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା। ତେବେ କାର୍ଡିଫ୍ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଏହି ଦୁଇ ଭାରତୀୟ ତାରକା ପୂର୍ବ ପ୍ରଦର୍ଶନକୁ ଦୋହରାଇ ପାରିନଥିଲେ। ରାହୁଲ ମାତ୍ର ୬ ରନ କରି ଆଉଟ ହୋଇଥିବାବେଳେ କୁଳଦୀପ ୪ ଓଭର ବୋଲିଂ କରି ଗୋଟିଏ ହେଲେ ୱିକେଟ ହାସଲ କରିପାରିନଥିଲେ। ସମ୍ଭବତଃ କାର୍ଡିଫ୍ର ବାତାବରଣ କୁଳଦୀପଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇନଥିଲା। ତେବେ ଭାରତୀୟ ଦଳ କାର୍ଡିଫ୍ ପରାଜୟକୁ ଭୁଲି ବ୍ରିଷ୍ଟଲରେ ବିଜୟର ସ୍ୱାଦ ଚାଖିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି। ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତି ଭାରତ ପାଇଁ ଅସୁବିଧା ସ୍ଥିତି ସୃଷ୍ଟି କରିଛି। ଡେଥ୍ ଓଭରରେ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଅଟକାଇବାର ଦକ୍ଷତା ବୁମ୍ରାଙ୍କ ନିକଟରେ ଥିବାବେଳେ ଅନ୍ୟ ଭାରତୀୟ ଫାଷ୍ଟ ବୋଲର କିନ୍ତୁ ଏହି ସମସ୍ୟାର ମୁକାବିଲା କରିପାରୁନାହାନ୍ତି। ଦ୍ୱିତୀୟ ମ୍ୟାଚରେ ୧୪୯ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଦଳ ଶେଷ ଓଭରରେ ହାତରେ ୫ଟି ୱିକେଟ ଥାଇ ବିଜୟ ପାଇଁ ଆହୁରି ୧୨ ରନ ଆବଶ୍ୟକ କରୁଥିଲା। ଭୁବନେଶ୍ୱର କୁମାର ଇନିଂସର ଏହି ଶେଷ ଓଭର ବୋଲିଂ କରିଥିଲେ। ନିଜର ପ୍ରଥମ ତିନି ଓଭରରେ ମାତ୍ର ୭ ରନ ଦେଇଥିବା ଭୁବନେଶ୍ୱର ୨୦ତମ ଓଭରର ପ୍ରଥମ ଚାରିଟି ବଲରେ ଗୋଟିଏ ଛକା ଓ ଗୋଟିଏ ଚୌକା ସହ ୧୨ ରନ ଦେଇଥିଲେ। ଆହତ ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଆଲେକ୍ସ ହେଲ୍ସ ଅପରାଜିତ ୫୮ ରନ କରି ଇଂଲଣ୍ଡ ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ।
ନିର୍ଣ୍ଣାୟକ ତୃତୀୟ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଚୂଡାନ୍ତ ଏକାଦଶରେ କେତେକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ରୋହିତ ଶର୍ମା ଓ ଶିଖର ଧାୱନଙ୍କୁ ନେଇ ଭାରତୀୟ ଓପନିଂ ଯୋଡି ଦୁଇଟି ମ୍ୟାଚରେ ପ୍ରଥମ ୱିକେଟ ପାଇଁ ୭ ରନ ଲେଖାଏଁ ସ୍କୋର କରିଥିଲେ। ଧାୱନ ଏହି ଦୁଇଟି ମ୍ୟାଚରେ ଯଥାକ୍ରମେ ୪ ଓ ୧୦ ରନ କରିଥିବାବେଳେ ରୋହିତ ୫ ଓ ୩୨ ରନ କରିଛନ୍ତି। ତେଣୁ ବ୍ରିଷ୍ଟଲରେ ଓପନିଂ ଯୋଡିରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଧାୱନ କିମ୍ବା ରୋହିତଙ୍କ ମଧ୍ୟରୁ ଜଣେ ଚୂଡାନ୍ତ ଏକାଦଶରୁ ବାଦପଡିପାରନ୍ତି। ତାଙ୍କ ସ୍ଥାନରେ ମନୀଷ ପାଣ୍ଡେ କିମ୍ବା କ୍ରୁନାଲ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିପାରେ। କୋହଲି ଦଳର ବୋଲିଂ ଲାଇନଅପ୍କୁ ଅପରିବର୍ତ୍ତିତ ରଖିବେ। ଅପରପକ୍ଷରେ ଷ୍ଟୋକ୍ସ ବର୍ତ୍ତମାନ ଫିଟ୍ ଘୋଷିତ ହୋଇଥିବାରୁ ଏହା ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ହେଲ୍ସ ଚମତ୍କାର ଫର୍ମରେ ଥିବାରୁ ତାଙ୍କୁ ନ ହଟାଇ ଜୋ ରୁଟ୍ ଚୂଡାନ୍ତ ଏକାଦଶରୁ ବାଦ ପଡିବାର ଆଶଙ୍କା ଉପୁଜିଛି। ବ୍ରିଷ୍ଟଲରେ ରବିବାର ପାଗ ମୁଖ୍ୟତଃ ଶୁଖିଲା ରହିବ। ପିଚ୍ରେ ସମ୍ପୂର୍ଣ୍ଣ ଘାସ ଆଚ୍ଛାଦିତ ହୋଇନଥିବାବେଳେ ସ୍ପିନରଙ୍କୁ ସହାୟତା ମିଳିପାରେ।