www.samajalive.in
Saturday, December 6, 2025
15.1 C
Bhubaneswar

ଅନ୍‌ଲାଇନ୍‌ ଆପ୍‌ରୁ ଲୋନ୍‌ ନେଉଛନ୍ତି କି ? ହୋଇଯାଆନ୍ତୁ ସତର୍କ; ୩ ଜଣ କରିସାରିଲେଣି ଆତ୍ମହତ୍ୟା, ଆପଣ ବି ହୋଇପାରନ୍ତି ଶିକାର

ଅନ୍‌ଲାଇନ୍‌ ଆପ୍‌ ଜରିଆରେ ଏବେ ସହଜରେ ଋଣ ମିଳିଯାଉଛି। ମୋବାଇଲ୍‌ରେ କୌଣସି ଏକ ଆପ୍‌ ଖୋଲିଲେ ସେଥିରେ ଅନ୍ୟ ଏକ ଆପ୍‌ର ବିଜ୍ଞାପନ ଆସୁଛି ଯେ କମ୍‌ ସୁଧରେ ସହଜରେ ଋଣ ନିଅନ୍ତୁ। ଅନେକ ବ୍ୟକ୍ତି ସେହି ଆପ୍‌ ଡାଉନଲୋଡ୍‌ କରି ଋଣ ବି ନେଉଛନ୍ତି। ଆଉ ପଛରେ ଋଣ ଦେଉଥିବା ସଂସ୍ଥା ଏଭଳି କିଛି କରୁଛନ୍ତି, ଯେଉଁଥିପାଇଁ ଋଣ ନେଉଥିବା ବ୍ୟକ୍ତିଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଡ଼ୁଛି।

ଯଦି ଆପଣମାନଙ୍କ ମଧ୍ୟରୁ କେହି ଅନ୍‌ଲାଇନ ଆପ୍‌ରୁ ଲୋନ ନେବାକୁ ଚିନ୍ତା କରୁଛନ୍ତି, ତେବେ ଏବେଠାରୁ ସତର୍କ ହୋଇଯାଆନ୍ତୁ। ଏହି ଲୋନ୍‌ କାରବାର ପଛରେ ବଡ଼ ରାକେଟ୍‌ କାମ କରୁଛି। ଏହି ରାକେଟ୍‌ର ୧୯ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଗୁରଗାଓଁ ଏବଂ ହାଇଦ୍ରାବାଦରୁ ଗିରଫ କରିଛି। ଲୋନ୍‌ ଆପ୍‌ରୁ ଋଣ ନେଇଥିବା ୩ ଜଣ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା କରିସାରିଲେଣି ବୋଲି ପୁଲିସ କହିଛି। ଲୋନ୍‌ ଆପ୍‌ଗୁଡ଼ିକ ପ୍ରଥମେ ଲୋନ୍‌ ଦେଉଛନ୍ତି, ପରେ ଠିକ୍‌ ସମୟରେ ଋଣ ଶୁଝି ନ ପାରିଲେ, ସେହି ସଂସ୍ଥାଗୁଡ଼ିକ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ଋଣ ନେଇଥିବା ବ୍ୟକ୍ତିଙ୍କର ଏପରି ଚରିତ୍ର ସଂହାର କରୁଛନ୍ତି ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।

- Advertisement -
Image Courtesy: DJN

ଗତ ସପ୍ତାହରେ ତେଲେଙ୍ଗାନାର ଜଣେ ୨୮ ବର୍ଷୀୟ ଯୁବକ ଏହି ଲୋନ୍‌ ଆପ୍‌ରୁ ଋଣ ନେଇ ଶେଷରେ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନା ଅନୁସାରେ, ତେଲେଙ୍ଗାନାର ପି. ସୁନୀଲ ଲକ୍‌ଡାଉନ ଯୋଗୁ ଚାକିରି ହରାଇଲେ। ପରେ ଅନ୍‌ଲାଇନରେ ଏକ ଲୋନ୍‌ ଆପ୍‌ରୁ କିଛି ଟଙ୍କା ଋଣ ନେଇଥିଲେ। ଯେତେବେଳେ ସେ ଋଣ ଶୁଝି ନ ପାରିଲେ, ସେତେବେଳେ ସେ ଆଉ ଏକ ଆପ୍‌ ଜରିଆରେ ଋଣ ଆଣି ପୂର୍ବ ଲୋନ୍‌କୁ ଶୁଝିଲେ। ଠିକ୍‌ ଏହା ପରେ ପରେ ଲୋନ୍‌ ରିକଭରି ଏଜେଣ୍ଟ ତାଙ୍କ ପଛରେ ପଡ଼ିଗଲେ। ତାଙ୍କୁ ବାରମ୍ବାର ମେସେଜ କଲେ। କେବଳ ଏତିକି ନୁହେଁ, ତାଙ୍କ ମୋବାଇଲ୍‌ର କଣ୍ଟାକ୍ଟ ଲିଷ୍ଟରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ବି ଫୋନ୍‌ କରି ଲୋନ୍‌ ସମ୍ପର୍କରେ ଅବଗତ କଲେ। ଏଥିରେ ଅପମାନିତ ବୋଧ କରି ସୁନୀଲ ଗତ ସପ୍ତାହରେ ଆତ୍ମହତ୍ୟା କଲେ।

କେବଳ ଏହି ଗୋଟିଏ ଘଟଣା ନୁହେଁ। ଆଉ ଏକ ଘଟଣାରେ ଇନ୍ଦୋରର ଜଣେ ମହିଳା ଲୋନ୍‌ ଆପ୍‌ ଜରିଆରେ ୨୦ ହଜାର ଟଙ୍କା ଋଣ ନେଇଥିଲେ। ତେବେ ସେ ଗୋଟିଏ ଇଏମଆଇ ଦେଇ ନ ପାରିବାରୁ ତାଙ୍କୁ ସଂସ୍ଥା ପକ୍ଷରୁ ହଇରାଣ କରାଗଲା। ଲୋନ୍‌ ଦେଇଥିବା ଆପ୍‌ ସଂସ୍ଥା ଅନ୍‌ଲାଇନରେ ସମ୍ପୃକ୍ତ ମହିଳାଙ୍କ ଫଟୋକୁ ଶେୟାର କରି ତାଙ୍କୁ ଫ୍ରଡ୍‌ ବା ଠକ ବୋଲି ଦର୍ଶାଗଲା। ଏପରି କି ମହିଳାଙ୍କ ନାମରେ ପୁଲିସରେ ଅଭିଯୋଗ କରିବା ସହିତ ତାଙ୍କ ଘରକୁ ଏଜେଣ୍ଟଙ୍କୁ ପଠାଇବାକୁ ମଧ୍ୟ ଧମକ ଦିଆଗଲା। ତାଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଫୋନ୍‌ କରି କୁହାଗଲା।

ଚଳିତମାସରେ ତେଲେଙ୍ଗାନାର ଜଣେ ସରକାରୀ ଅଧିକାରୀ ଏହି ଲୋନ୍‌ ଆପ୍‌ ଜାଲରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ୨୪ ବର୍ଷୀୟା କେ. ମୌନିକା ସିଡ୍ଡିପେଟ୍‌ରେ କୃଷି ବିଭାଗରେ ସମ୍ପ୍ରସାରଣ ଅଧିକାରୀ ଭାବେ କାମ କରନ୍ତି। ସେ ଏକ ଆପ୍‌ ଜରିଆରେ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। କିନ୍ତୁ ଠିକ୍‌ ସମୟରେ ତାହା ପରିଶୋଧ କରିପାରି ନ ଥିଲେ। ଏହା ପରେ ଆପ୍‌ କମ୍ପାନୀ ତାଙ୍କୁ ଋଣ ଖିଲାପକାରୀ ଦର୍ଶାଇ ସୋସିଆଲ୍‌ ମିଡିଆରେ ତାଙ୍କ ଫଟୋ, ନାମ ଏବଂ ମୋବାଇଲ୍‌ ନମ୍ବରକୁ ଶେୟାର କଲା। ଏପରି ଅପମାନ ସହି ନ ପାରି ଗତ ୧୬ ତାରିଖରେ ମୌନିକା ଆତ୍ମହତ୍ୟା କରିଦେଲେ। ସେହି ଦିନ ପି. ସୁନୀଲ ବି ଆତ୍ମହତ୍ୟା କରିଦେଇଥିଲେ।

ପୁଲିସ କହିଛି ଦେଶରେ ହଜାର ହଜାର ବ୍ୟକ୍ତି ଏହି ଲୋନ୍‌ ଆପ ଜାଲରେ ଛନ୍ଦି ହୋଇଛନ୍ତି। ସେମାନଙ୍କୁ ଆପ୍‌ ଗୁଡ଼ିକ ଟାର୍ଗେଟ କରି ଫସାଉଛନ୍ତି। ଏହା ପଛରେ ଚୀନ ଠକମାନଙ୍କ ହାତ ଥିବା ମଧ୍ୟ ହାଇଦ୍ରାବାଦ ପୁଲିସ ସନ୍ଦେହ କରୁଛି। ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗକୁ ଏହି ମାମଲାର ତଦନ୍ତରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପୁଲିସ କହିଛି।

ହାଇଦ୍ରାବାଦ ପୁଲିସ କମିଶନର ସଜ୍ଜନାର କହିଛନ୍ତି, ପ୍ରାୟ ୩୦ଟି ଆପ୍‌ ଏହି ସ୍କାମ୍‌ରେ ସାମିଲ ଅଛନ୍ତି। ବହୁ କୋଟି ଟଙ୍କାର ଏହି ସ୍କାମ୍‌ର ତଦନ୍ତ ପାଇଁ ଇଡି ଏବଂ ଆୟକର ବିଭାଗକୁ କୁହାଯିବ। ବର୍ତ୍ତମାନ ସୁଦ୍ଧା ୧୮ଟି ଆକାଉଣ୍ଟକୁ ଫ୍ରିଜ୍‌ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଚିଠି କରାଯାଇଛି। ସେସବୁ ଆକାଉଣ୍ଟରେ ପ୍ରାୟ ଦେଢ଼ କୋଟି ଟଙ୍କା ଜମା ରହିଛି।

ଅନ୍‌ଲାଇନ୍‌ ଲୋନ୍‌ ଆପ୍‌ଗୁଡ଼ିକ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ସହଜରେ ଟାର୍ଗେଟ କରିପାରୁଛନ୍ତି। ସେମାନଙ୍କ ମୋବାଇଲ୍‌ରେ ଆପେ ଆପେ୍‌ ଲୋନ ନେବାର ବିଜ୍ଞାପନ ଆସୁଛି। ଦିନକୁ ୦.୧% ସୁଧରେ ଋଣ ଦିଆଯାଉଥିବା କୁହାଯାଉଛି, ଯାହା ଅତ୍ୟନ୍ତ କମ୍‌ ବୋଲି ମନେ ହେଉଛି। କିନ୍ତୁ ବାସ୍ତବରେ ଏହି ସୁଧ ହାର ବାର୍ଷିକ ୩୬% ହେଉଛି। ବହୁ ବ୍ୟକ୍ତି ଏହା ଜାଣି ନ ପାରି ଲୋନ୍‌ ନେଇ ହଇରାଣ ହେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories