ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ସହପ୍ରତିଷ୍ଠାତା ରାଣା କପୁରଙ୍କ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଆଣ୍ଟି ମନି ଲଣ୍ଡରିଂ ଆଇନ ଅଧୀନରେ ଇଡି ଏହି ସମ୍ପତ୍ତି ଜବତ କରିଛି । ଏହା ସହ ପ୍ରବର୍ତ୍ତନ ନିର୍ଦେଶାଳୟ ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ)ର ପ୍ରମୋଟର୍ସ କପିଲ ଏବଂ ଧିରଜ ୱାଧାୱନଙ୍କ ସମ୍ପତ୍ତି ଜବତ କରିଛି। ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଏହି ଦୁହିଁଙ୍କ ସମ୍ପତ୍ତି ଜବତ ହୋଇଛି । ୟେସ ବ୍ୟାଙ୍କ ମାମଲାରେ ଏହି ତିନି ଜଣ ଅଭିଯୁକ୍ତ ରହିଛନ୍ତି। ଏମାନଙ୍କ ବିରୋଧରେ ମାମଲା ମଧ୍ୟ ଚାଲିଛି। ରାଣା କପୁର ଏବଂ ତାଙ୍କ ପରିବାର ମାଲିକାନାରେ ଥିବା ମୁମ୍ୱଇ, ଦିଲ୍ଲୀ, ଲଣ୍ଡନ ଏବଂ ନ୍ୟୁୟର୍କର ମୋଟ ୧୧୦୦ କୋଟି ଟଙ୍କାର ସମ୍ପତ୍ତିକୁ ଇଡ଼ି ଜବତ କରିଛି। ସେହିପରି ଡିଏଚଏଫଏଲ ପ୍ରମୋଟର୍ସ ୱାଧାୱନ ବ୍ରଦର୍ସଙ୍କ ମୁମ୍ୱଇ, ଅଷ୍ଟ୍ରେଲିଆ, ଲଣ୍ଡନ ଏବଂ ପୁଣେ ସମ୍ପତ୍ତି ଜବତ ହୋଇଛି। ଇଡି ଏହି ବ୍ୟାଙ୍କ ଘୋଟଲାର ତଦନ୍ତ କରି ଚଳିତବର୍ଷ ମେ ମାସରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ରାଣା କପୁରଙ୍କ ସହିତ ତାଙ୍କ ସ୍ତ୍ରୀ ବିନ୍ଦୁ କପୁର, ଝିଅ ରୋଶନୀ, ରାକ୍ଷୀ ଏବଂ ରାଧାଙ୍କ ନାମ ରହିଛି। ଶ୍ରୀ କପୁର ମଧ୍ୟ ଋଣ ଦେଇଥିବା କଥା ସ୍ୱୀକାର କରିଛନ୍ତି। ଏବେ ଇଡି ଖୁବଶୀଘ୍ର ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରିବ ବୋଲି ଜଣାପଡ଼ିଛି।
Popular Categories



