ବୈଷୟିକ ଶିକ୍ଷାନୁଷ୍ଠାନରେ ୨୫% ଆସନ ବଢ଼ିବ

ଭୁବନେଶ୍ବର: ସରକାରୀ ଏବଂ ବେସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡିକର ମୋଟ ଆସନ(ସିଟ) ଉପରେ ୨୫ ପ୍ରତିଶତ ବୃଦ୍ଧି କରିପାରିବେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ। ଆର୍ଥିକ କ୍ଷେତ୍ରରେ ପଛୁଆବର୍ଗ (ଇଡବ୍ଲ୍ୟୁଏସ) ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସିଟ୍‌ ସଂରକ୍ଷଣ ରହୁଥିବା ବେଳେ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀ ଯେପରି ପ୍ରଭାବିତ ନ ହେବେ ତାହାକୁ ଭିତ୍ତିକରି ମୋଟ ଉପରେ ୨୫ ପ୍ରତିଶତ ସିଟ୍‌ ବୃଦ୍ଧି କରିବାକୁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ ଗରିବ ଶ୍ରେଣୀର ଅଧିକ ଛାତ୍ରଛାତ୍ରୀ ସହଜରେ ଇଞ୍ଜିନିୟରିଂ ପଢିପାରିବେ। ସାରା ଦେଶରେ କେନ୍ଦ୍ର ସରକାର ୨୫ ପ୍ରତିଶତ ସିଟ ବୃଦ୍ଧି କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି।

ପୂର୍ବରୁ ଯେଉଁ ଶିକ୍ଷାନୁଷ୍ଠାନରେ ୧୦୦ ସିଟ୍‌ ରହିଥିଲା ନୂଆ ନିୟମ ଦ୍ବାରା ଏଣିକି ୧୨୫କୁ ବୃଦ୍ଧି ପାଇବ। ଏ ଦୃଷ୍ଟି କୋଣରୁ ଦେଖିଲେ ସାଧାରଣ ବର୍ଗ, ଓବିସି, ଏସି ଏବଂ ଏସଟି ବର୍ଗଙ୍କ ପାଇଁ ସିଟ୍‌ ବଢିଯିବ। ସେହିପରି ଇଡବ୍ଲ୍ୟୁଏସ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଥିବାବେଳେ ୨୫ ପ୍ରତିଶତ ସିଟ୍‌ ବଢିବା ଦ୍ବାରା ୧୨.୫ପ୍ରତିଶତ ଜଣ ଇଡବ୍ଲ୍ୟୁଏସ ବର୍ଗ ଛାତ୍ରଛାତ୍ରୀ ନାମଲେଖାଇବା ସୁଯୋଗ ପାଇପାରିବେ। ଶିକ୍ଷାବର୍ଷ ୨୦୨୨-୨୩ରେ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ପୂର୍ବରୁ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ସିଟ୍‌ ସୀମିତ ଥିବାବେଳେ ୨୫ ପ୍ରତିଶତ ବଢିବା ଦ୍ବାରା ଅଧିକ ବିଦ୍ୟାର୍ଥୀ ସରକାରୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ପାଠ ପଢିବାର ସୁଯୋଗ ପାଇପାରିବେ।

ସିଟ୍‌ ବୃଦ୍ଧି ନେଇ ବୈଷୟିକ ବିଶ୍ବବିଦ୍ୟାଳୟ, ସରକାରୀ ଇଞ୍ଜିନିୟରିଂ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆବେଦନ କରିବାକୁ କୁହାଯାଇଛି। ରାଜ୍ୟର ୮୬ଟି ବି.ଟେକ ଇଞ୍ଜିନିୟରିଂ କଲେଜରେ ମୋଟ ୩୨ ହଜାର ସିଟ୍‌ ଥିବାବେଳେ ସରକାରୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ୪ହଜାର ସିଟ୍‌ ଲପଲବ୍ଧ। ୨୫ ପ୍ରତିଶତ ସିଟ୍‌ ବଢିବା ଦ୍ବାରା ବି.ଟେକ ସିଟ୍‌ ପ୍ରାୟ ୪୦ ହଜାର ପାଖାପାଖି ଛୁଇଁପାରେ। ଅନ୍ୟପଟେ ଇଞ୍ଜିନିୟରିଂ କଲେଜରେ ସିଟ୍‌ ବଢୁଥିଲେ ମଧ୍ୟ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ବିମୁଖ ହେଉଥିବାରୁ ଅଧିକାଂଶ ସିଟ୍‌ ଖାଲି ପଡୁଛି। ଗତବର୍ଷ ୮ ସରକାରୀ ଇଞ୍ଜିନିୟରିଂ କଲେଜରେ ୮୮ ପ୍ରତିଶତ ସିଟ୍‌ରେ ବିଦ୍ୟାର୍ଥୀ ନାମ‌େ‌ଲଖାଇ ଥିବାବେଳେ ବେସରକାରୀ ଇଞ୍ଜିନିୟରିଂ କଲେଜରେ ୩୬% ସିଟ୍‌ ପୂରଣ ହୋଇଥିଲା।

Comments are closed.