୨ ବର୍ଷରେ ଗଲାଣି ୨୪୯ ପ୍ରବାସୀ ଶ୍ରମିକଙ୍କ ଜୀବନ, ଶବ ହୋଇ ଫେରୁଛନ୍ତି ଶ୍ରମିକ
ଦାଦନ ଶ୍ରମିକ ସମସ୍ୟାର ଅନ୍ତ ହେଉନି

ଭୁବନେଶ୍ବର : ଶ୍ରମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି, କିନ୍ତୁ ସେଠାରୁ ଶବ ହୋଇ ଫେରୁଛନ୍ତି। ରୋଜଗାରିଆ ପୁଅକୁ ହରାଉଛି ପରିବାର। ଓଡ଼ିଶାରୁ ବାହାରକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଦୁଇ ବର୍ଷରେ ପ୍ରାୟ ୨୪୯ ଜଣ ପ୍ରାଣ ହରାଇଲେଣି। ଏଭଳି ସ୍ଥିତିରେ ରାଜ୍ୟରୁ ଦାଦନ ସମସ୍ୟା କେବେ ଦୂର ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦଲାଲମାନେ ଅଧିକ ପାରିଶ୍ରମିକ ଲୋଭ ଦେଖାଇ ଶ୍ରମିକ ଶ୍ରେଣୀର ଲୋକଙ୍କୁ ବାହାର ରାଜ୍ୟକୁ ନେଉଥିବାରୁ ଦାଦନ ସମସ୍ୟା ଲାଗି ରହୁଛି। ଦଲାଲଙ୍କ କବଳରୁ ଏହି ଦାଦନ ଶ୍ରମିକମାନଙ୍କୁ ମୁକ୍ତ କରିବା ଦିଗରେ ସରକାରୀସ୍ତରରେ ନିଆଯାଉଥିବା ପଦକ୍ଷେପ ଆଖିଦୃଶିଆ ନଥିବା ଅଭିଯୋଗ ହୋଇଛି।
ରାଜ୍ୟକୁ ଦାଦନମୁକ୍ତ କରିବା ନିମନ୍ତେ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। ନୂଆ ସରକାର ଆସିବା ପରେ ଦାଦନ ସମସ୍ୟା ରୋକିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ଦୁଇଥର ଟାସ୍କଫୋର୍ସ ବୈଠକ ବସିଛି; କିନ୍ତୁ ମାସକ ମଧ୍ୟରେ ବଲାଙ୍ଗିର ଜିଲାର ୩ଜଣ ପ୍ରବାସୀ ଶ୍ରମିକଙ୍କର ତାମିଲନାଡୁ ଏବଂ ବିଜୟୱାଡାରେ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କ ମୁତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ସବୁଠାରୁ ଅଧିକ ୪୩ଜଣ ମୃତ ପ୍ରବାସୀ ଶ୍ରମିକ ଗଜପତି ଜିଲାରୁ ରହିଛନ୍ତି। ବଲାଙ୍ଗିରରେ ଏହି ସଂଖ୍ୟା ୨୯ ଥିବାବେଳେ କଳାହାଣ୍ଡିରେ ୨୩ ରହିଛି।
ରାୟଗଡ଼ାରୁ କାମ ପାଇଁ ବାହାରକୁ ଯାଇଥିବା ୧୭ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁରରେ ୧୩ ଜଣ ରହିଛନ୍ତି। ଜଗତସିଂହପୁର ଜିଲାରୁ ଜଣେ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଥିବା େବଳେ ଯାଜପୁର ଜିଲାରୁ ସର୍ବାଧିକ ୭ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ େଯ, ଓଡ଼ିଶା ବାହାରେ ମୃତ୍ୟୁ ହୋଇଥିବା ଏହି ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଅଣାଯାଉ ଥିବାବେଳେ ସେମାନଙ୍କ ପରିବାରକୁ ବି ଆର୍ଥିକ ସହାୟତା ଦିଆଯାଉଛି। ସରକାର ୩୬ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ କ୍ଷତିପୂରଣ ଦେଇଥିବା ବେଳେ ବରଗଡ଼, ଭଦ୍ରକ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ନୂଆପଡ଼ା ଆଦି ଜିଲାରୁ କାମ ଅନ୍ବେଷଣରେ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଥିବା ପ୍ରବାସୀଙ୍କ ପରିବାରକୁ କ୍ଷତିପୂରଣ ମିଳିପାରି ନଥିବା ଅଭିଯୋଗ ହୋଇଛି।
ସରକାରୀ ହିସାବ ଅନୁଯାୟୀ ଚଳିତ ବର୍ଷର ଦଶମାସ ମଧ୍ୟରେ ୬୦ହଜାରରୁ ଅଧିକ ଶ୍ରମିକ କାମ ଅନ୍ବେଷଣରେ ଅନ୍ୟ ରାଜ୍ୟ ତଥା ବିଦେଶକୁ ଯାଇଛନ୍ତି। ଏମାନେ ସମସ୍ତେ ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ସହାୟତାରେ ଯାଇଛନ୍ତି। ଶ୍ରମିକଙ୍କୁ ରାଜ୍ୟ ବାହାରେ ନିୟୋଜନ କରିବା ପାଇଁ ସରକାର ୮୮୩ଟି ଠିକାଦାରୀ ଲାଇସେନ୍ସ ଜାରି କରିଥିବା ବେଳେ ଏମାନେ ଲୋକଙ୍କୁ ନେଇ କାମରେ ଲଗାଉଛନ୍ତି। ଏହି ଦଶମାସ ମଧ୍ୟରେ ବଲାଙ୍ଗିର ଜିଲାରୁ ସର୍ବାଧିକ ୪୩ ହଜାରରୁ ଅଧିକ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି। ବୌଦ୍ଧ, ଦେବଗଡ଼଼, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼଼ ଓ ସୁବର୍ଣ୍ଣପୁର ଜିଲା ଶ୍ରମ ଠିକାଦାରଙ୍କ ମାଧ୍ୟମରେ କୌଣସି ଶ୍ରମିକ ରାଜ୍ୟ ବାହାରକୁ କାମ ପାଇଁ ଯାଇନାହାନ୍ତି।
ଯାଜପୁର ଜିଲାରୁ ଏହି ସମୟରେ ସବୁଠାରୁ କମ୍ ମାତ୍ର ୫୦ଜଣ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି। ନୂଆପଡ଼ାରୁ ଯାଇଥିବା ଶ୍ରମିକଙ୍କ ସଂଖ୍ୟା ପାଖାପାଖି ୧୦ ହଜାର ରହିଛି। ଶ୍ରମିକଙ୍କୁ ରାଜ୍ୟ ଭିତରେ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଦାଦନ ଶ୍ରମିକ ସମସ୍ୟା ଦୂର କରିବାକୁ ୧୧ ଦାଦନ ପ୍ରବଣ ଜିଲାଗୁଡ଼ିକରେ ମନରେଗା କାର୍ଯ୍ୟ ଦିବସ ବାର୍ଷିକ ୨୦୦ରୁ ୩୦୦ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶୁପାଳନ ଓ ଅନ୍ୟାନ୍ୟ କୃଷି ଜରିଆରେ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାପାଇଁ ଉଦ୍ୟମ ଜାରି ରହିଛି। ସେହିଭଳି ଗାଁ ଗହଳର ଲୋକଙ୍କ ହାତକୁ କାମ ଯୋଗାଇ ଦେବା ପାଇଁ ସରକାର ଏମଏସଏମଇ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି, ହେଲେ ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ଦୂର ହେଉନାହିଁ।
Comments are closed.