ବ୍ୟାଙ୍କକ୍ : ଏସୀୟ କ୍ରୀଡ଼ାକୁ କ୍ରିକେଟ ଫେରିବା ନେଇ ରାସ୍ତା ପରିଷ୍କାର ହୋଇଯାଇଛି। ରବିବାର ଅଲିମ୍ପିକ କାଉନସିଲ ଅଫ୍ ଏସିଆ (ଓସିଏ)ର ବାର୍ଷିକ ଅଧିବେଶନରେ ନିଷ୍ପତ୍ତି ନିଆଯାଇଛି ଯେ ୨୦୨୨ ହ୍ବାଙ୍ଗ୍ଝୌ ଏସୀୟ କ୍ରୀଡ଼ାରେ କ୍ରିକେଟ ସାମିଲ ହେବ। ଓସିଏର ଉପସଭାପତି ରଣଧୀର ସିଂହ ରବିବାର ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ; ୨୦୧୦ (ଗ୍ବାଙ୍ଗ୍ଝୌ) ଓ ୨୦୧୪ (ଇଞ୍ଚିଅନ) ଏସୀୟ କ୍ରୀଡାରେ କ୍ରିକେଟକୁ ସାମିଲ କରା ଯାଇଥିବା ବେଳେ ୨୦୧୮ ଏସୀୟ କ୍ରୀଡାରୁ ଏହା ବାଦ୍ ପଡିଥିଲା। ବ୍ୟସ୍ତ ଖେଳସୂଚୀ ଯୋଗୁଁ ଭାରତୀୟ କ୍ରିକେଟ ଦଳ ୨୦୧୦ ଓ ୨୦୧୪ ଏସୀୟ କ୍ରୀଡାରେ ଭାଗ ନେଇ ପାରିନଥିଲା। ୨୦୧୦ରେ ବାଂଲାଦେଶ ଓ ପାକିସ୍ତାନ ଯଥାକ୍ରମେ ପୁରୁଷ ଓ ମହିଳା କ୍ରିକେଟରେ ସ୍ବର୍ଣ୍ଣପଦକ ଜିତିଥିବାବେଳେ ୨୦୧୪ ଏସୀୟ କ୍ରୀଡାରେ ଏହି ସମ୍ମାନ ଯଥାକ୍ରମେ ଶ୍ରୀଲଙ୍କା ଓ ପାକିସ୍ତାନକୁ ମିଳିଥିଲା। ୨୦୨୨ ଏସୀୟ କ୍ରୀଡାର କ୍ରିକେଟ ଇଭେଣ୍ଟରେ ଭାରତ ଅଂଶଗ୍ରହଣ କରିବ କି ବୋଲି ପ୍ରଶ୍ନ କରାଯିବାରୁ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଏଥିପାଇଁ ବହୁ ସମୟ ବାକି ଅଛି। ଠିକଣା ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଏସୀୟ କ୍ରୀଡ଼ାରେ କ୍ରିକେଟ୍କୁ ସାମିଲ କରିବା ନିଷ୍ପତ୍ତିକୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ସ୍ବାଗତ କରିଛି। ବ୍ୟାଙ୍କକ୍ରେ ଓସିଏର ବାର୍ଷିକ ଅଧିବେଶନରେ ଯୋଗ ଦେଇଥିବା ଆଇଓଏର ମହାସମ୍ପାଦକ ରାଜୀବ ମେହେଟ୍ଟା କହିଛନ୍ତି, ଓସିଏର ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। ୨୦୨୨ ଏସୀୟ କ୍ରୀଡ଼ାକୁ ଭାରତୀୟ ଦଳ ପଠାଇବା ପାଇଁ ବିସିସିଆଇକୁ ଆଇଓଏ ଅନୁରୋଧ କରିବ। ଭାରତୀୟ ପୁରୁଷ ଓ ମହିଳା ଦଳ କ୍ରିକେଟ ସ୍ବର୍ଣ୍ଣପଦକ ଜିତିପାରିବ। ଫଳରେ ଭାରତର ପଦକ ସଂଖ୍ୟାରେ ବୃଦ୍ଧିଘଟିବ। ଏଥର ମଧ୍ୟ ଏସୀୟ କ୍ରୀଡ଼ାରେ ଟ୍ବେଣ୍ଟି୨୦ ଫର୍ମାଟରେ ମୁକାବିଲା ହେବ। ସୂଚନାଯୋଗ୍ୟ; ୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ କ୍ରିକେଟ ଖେଳା ଯାଇଥିଲା। ଏଥିରେ ଭାରତ ଓ ପାକିସ୍ତାନ ଦଳ ଖେଳିଥିଲେ। ତେବେ ଷ୍ଟିଭ୍ ୱ ନେତୃତ୍ବାଧୀନ ଅଷ୍ଟ୍ରେଲିଆକୁ ଫାଇନାଲରେ ପରାସ୍ତକରି ସନ୍ ପୋଲକ୍ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା ସ୍ବର୍ଣ୍ଣପଦକ ଜିତିଥିଲା। ବୈଠକରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଥିଲା ଯେ ଅଷ୍ଟ୍ରେଲିଆ ସହ ଓସେନିଆ ଦେଶମାନଙ୍କୁ ୨୦୨୨ ହ୍ବାଙ୍ଗ୍ଝୌ ଏସୀୟ କ୍ରୀଡ଼ାରେ ଭାଗନେବା ଲାଗି ଆମନ୍ତ୍ରଣ କରାଯିବ।
୨୦୨୨ ଏସୀୟ କ୍ରୀଡ଼ାକୁ ଫେରିବ କ୍ରିକେଟ
Popular Categories



