www.samajalive.in
Friday, December 12, 2025
16.1 C
Bhubaneswar

୯ ବର୍ଷ ତଳେ ଆଜିର ଦିନରେ……. ଭାରତକୁ ମିଳିଥିଲା ୨ୟ କ୍ରିକେଟ୍‍ ବିଶ୍ୱକପ୍‍ ଟାଇଟଲ

ନୂଆଦିଲ୍ଲୀ : ଏପ୍ରିଲ ୨, ଭାରତୀୟ କ୍ରିକେଟ୍‍ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଦିନ। ଠିକ୍‍ ୯ ବର୍ଷ ତଳେ ଏହିଦିନରେ ଭାରତୀୟ କ୍ରିକେଟ ଦଳ ୨ୟ ଥର ୫୦ ଓଭରର ବିଶ୍ୱକପ୍‍ ଜିତି ପାରିଥିଲା। ୨୦୧୧ ଏପ୍ରିଲ ୨ରେ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ଫାଇନାଲରେ ପଡ଼ୋଶୀ ଶ୍ରୀଲଙ୍କାକୁ ହରାଇ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ବିଶ୍ୱ ଚମ୍ପିଆନ୍‍ ହୋଇଥିଲା। ୧୯୮୩ରେ କପିଳ ଦେବଙ୍କ ଦଳ ସାରାବିଶ୍ୱକୁ ଚକିତକରି ଦେଶକୁ ପ୍ରଥମଥର ବିଶ୍ୱକପ୍‍ ଜିତାଇଥିବା ବେଳେ ଏହାର ୨୮ ବର୍ଷ ପରେ ମହେନ୍ଦ୍ର ସିଂହ ଧୋନି ନେତୃତ୍ୱାଧୀନ ଦଳ ୨ୟ ଥର ବିଶ୍ୱକପ୍‍ ଜିତିଥିଲା।
ଭାରତୀୟ ଉପମହାଦେଶରେ ୨୦୧୧ ବିଶ୍ୱକପ୍‍ ଖେଳା ଯାଉଥିବା ବେଳେ ଭାରତ ସବୁଠାରୁ ବଡ଼ ଫେଭରିଟ୍‍ ଥିଲା। ପୁଣି ସେମିଫାଇନାଲରେ ଭାରତୀୟ ଉପମହାଦେଶର ୩ଟି ଦଳ ଭାଗ ନେଇଥିଲେ। ସେମିଫାଇନାଲରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତକରି ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଭାରତ ବିପକ୍ଷରେ ଫାଇନାଲରେ ଶ୍ରୀଲଙ୍କା ଟସ୍‍ ଜିତି ବ୍ୟାଟିଂ ନେଇଥିଲା। ମାହେଲା ଜୟବର୍ଦ୍ଧନେଙ୍କ ଶତକ ବଳରେ ଶ୍ରୀଲଙ୍କା ୫୦ ଓଭର ଶେଷରେ ୬ ୱିକେଟ୍‍ରେ ୨୭୪ ରନ୍‍ କରି ପାରିଥିଲା। ୨୭୫ ରନ୍‍ ଲକ୍ଷ୍ୟରେ ଭାରତ ଆରମ୍ଭରୁ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ଦଳର ସ୍କୋର୍‍ ମାତ୍ର ୩୧ ରନ୍‍ ଥିବା ବେଳେ ଦୁଇ ବ୍ୟାଟିଂ ମହାରଥୀ ବୀରେନ୍ଦ୍ର ସେହ୍ୱାଗ ଓ ସଚିନ ତେନ୍ଦୁଲକର ପାଭିଲିଅନ୍‍କୁ ଫେରି ଯାଇଥିଲେ। ଯୁବ ବ୍ୟାଟ୍‍ସମ୍ୟାନ୍‍ ବିରାଟ କୋହଲି ମଧ୍ୟ ବଡ଼ ସ୍କୋର୍‍ କରି ପାରିନଥିଲେ। ଫର୍ମରେ ଥିବା ଯୁବରାଜ ବ୍ୟାଟିଂ ପାଇଁ ପ୍ରସ୍ତୁତ ଥିବା ବେଳେ ସମସ୍ତଙ୍କୁ ଚକିତକରି ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିଜ୍‍କୁ ଆସିଥିଲେ। ତେବେ କ୍ରିଜ୍‍ର ଅନ୍ୟପଟେ ଗୌତମ ଗମ୍ଭୀର ଚମତ୍କାର ବ୍ୟାଟିଂ କରୁଥିଲେ ଏବଂ ରନ୍‍ଗତି ବଜାୟ ରଖି ପାରିଥିଲେ। ଧୋନି ଓ ଗମ୍ଭୀରଙ୍କ ମଧ୍ୟରେ ୧୦୯ ରନ୍‍ର ଭାଗିଦାରୀ ହୋଇଥିଲା। ଏକ ଦର୍ଶନୀୟ ୯୭ ରନ୍‍ର ଇନିଂସ ଖେଳି ଗମ୍ଭୀର ଆଉଟ୍‍ ହୋଇଥିଲେ। ତେବେ ସେତେବେଳକୁ ଭାରତୀୟ ଦଳ ସୁବିଧାଜନକ ସ୍ଥିତିରେ ପହଞ୍ଚି ପାରିଥିଲା। ପରେ ଧୋନି ଓ ଯୁବରାଜ ସିଂହ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଭାରତ ୬ ୱିକେଟରେ ଜିତି ପାରିଥିଲା। ଧୋନି ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ଏବଂ ଯୁବରାଜ ପ୍ଲେୟର ଅଫ୍‍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ।
ଧୋନିଙ୍କ ବିଜୟସୂଚକ ଛକାକୁ ଏବେ ମଧ୍ୟ ଭାରତୀୟ କ୍ରିକେଟ୍‍ ଇତିହାସରେ ଅନ୍ୟତମ ସ୍ମରଣୀୟ ମୁହୂର୍ତ୍ତ ଭାବେ ଗଣନା କରାଯାଏ। ଅଧିନାୟକ ଧୋନି ଅଧିନାୟକ ଭାବେ ମ୍ୟାଚ୍‍ର ଷ୍ଟମ୍ପ୍‍ ସଂଗ୍ରହ କରିଥିବା ବେଳେ ପୂରା ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‍ଙ୍କ ପରି ଅଲ୍‍ରାଉଣ୍ଡ ପ୍ରଦର୍ଶନ କରିଥିବା ଯୁବରାଜ ସିଂହ ଖୁସିରେ ହାତ ଦ୍ବାରା ମୁହଁକୁ ଲୁଚାଇ କାନ୍ଦିବା ଦେଖା ଯାଇଥିଲା। ଭାରତୀୟ ଦଳର ଅନ୍ୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ ଉଲ୍ଲସିତ ହୋଇ ପଡ଼ିଆକୁ ଦୌଡ଼ିଯିବା ଦେଖିବାକୁ ମିଳିଥିବା ବେଳେ ସମସ୍ତଙ୍କ ନଜର ଥିଲା ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ଉପରେ। ସଚିନ୍‍ଙ୍କ ଆଖିରେ ଥିଲା ଖୁସିର ଲୁହ ଏବଂ ମନରେ ଶିଶୁସୁଲଭ ଉନ୍ମାଦନା। ଏହା ସଚିନଙ୍କର ଅନ୍ତିମ ବିଶ୍ୱକପ୍‍ ଥିବାରୁ ବିଶ୍ୱ ଚମ୍ପିଆନ୍‍ ହେବାର ତାଙ୍କର ସ୍ୱପ୍ନ ସାକାର ହୋଇଥିଲା। ସଚିନ୍‍ ତାଙ୍କର ୬ଷ୍ଠ ତଥା ଅନ୍ତିମ ବିଶ୍ୱକପ୍‍ରେ ତାଙ୍କ ସ୍ୱପ୍ନ ଚରିତାର୍ଥ କରି ପାରିଥିଲେ। ସାଥୀ ଖେଳାଳି ସଚିନଙ୍କୁ କାନ୍ଧରେ ବସାଇ ୱାଙ୍ଖେଡ଼େ ଷ୍ଟାଡିୟମ୍‍ ପରିକ୍ରମା କରିଥିଲେ। ଏହି ମୁହୂର୍ତ୍ତ କୌଣସି ଭାରତୀୟ କ୍ରୀଡ଼ାପ୍ରେମୀ କଦାପି ଭୁଲିପାରିବେ ନାହିଁ। ଭାରତ ପାଇଁ ଏହି ବିଶ୍ୱକପ୍‍ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ୨୦୦୭ ବିଶ୍ୱକପ୍‍ରେ ତାରକାଖଚିତ ଦଳ ଥାଇ ସୁଦ୍ଧା ଭାରତ ଗ୍ରୁପ୍‍ ପର୍ଯ୍ୟାୟରୁ ବିଦାୟ ନେଇଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories