ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲା କିରଣଦଳ ଥାନା ଅନ୍ତର୍ଗତ ଗୁମୀପାଲ ଜଙ୍ଗଲରେ ରବିବାର ସକାଳେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ସୂଚନା ମୁତାବକ, ଜଙ୍ଗଲରେ ମାଓବାଦୀଙ୍କ ମେଳି ଚାଲୁଥିବା ଏବଂ ସେଠାକାର ଅଞ୍ଚଳରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରାଯାଉଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହା ପରେ ଡିଆରଜି ପକ୍ଷରୁ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ମାଓବାଦୀଙ୍କ ସହିତ ପୁଲିସର ମୁହାଁମୁହିଁ ହୋଇଥିଲା। ମାଓବାଦୀମାନେ ପୁଲିସ ଉପରକୁ ଗୁଳି ଚଳାଇବାରୁ ପୁଲିସ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଏହି ଗୁଳିବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସକୁ ସାମ୍ନା କରି ନ ପାରି ଅନ୍ୟ କ୍ୟାଡର ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଘଟଣା ସ୍ଥଳରୁ ପୋଲିସ ବିପୁର ପରିମାଣରେ ବିସ୍ଫୋରକ, ୩ଟି ବନ୍ଧୁକ ଏବଂ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ, ଔଷଧ ଜବତ କରିଛି। ଘଟଣା ପରଠାରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ଏସପି ଅଭିଶେକ ପଲାଭ ସୂଚନା ଦେଇଛନ୍ତି।
Popular Categories



