ଭୁବନେଶ୍ବର: ଦୁଇ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ଭୁବନେଶ୍ବରରେ ଘାଣ୍ଟୁଛି ଆସାମ ପୁଲିସ। ଏହି ଠକେଇ ଘଟଣାରେ ଓଡ଼ିଶାରୁ ୩ଜଣଙ୍କ ସମ୍ପୃକ୍ତି ରହିଛି। ମୁଖ୍ୟ ଅଭିଯୁକ୍ତ ତଥା ଆସାମ ପୁଲିସର ମୋଷ୍ଟୱାଣ୍ଟେଡ୍ ଥିବା ସମୀର ପଟ୍ଟନାୟକ ଓ ସୁନିଲ ସାହୁ ଫେରାର୍ ରହିଛନ୍ତି। କିନ୍ତୁ ସହଯୋଗୀ ନିରୂପ ସୁନ୍ଦର ଚୌଧୁରୀକୁ ଆସାମ ପୁଲିସ ଗିରଫ କରିଛି। ତାକୁ ସ୍ଥାନୀୟ ଅଦାଲତେର ହାଜର କରି ଆସାମ ପୁଲିସ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି। ଅନୁରୂପ ଭାବେ ମୁଖ୍ୟ ଅଭିଯୁକ୍ତ ସମୀରର ଘର ତାଲା ଭାଙ୍ଗି ପଶିଥିଲା ଆସାମ ପୁଲିସ। ସେ ନଥିବାରୁ ପତ୍ନୀଙ୍କୁ ପଚରାଉଚରା ସହ କିଛି କାଗଜପତ୍ର ଓ ଡିଜିଟାଲ ଡିଭାଇସ୍ ଜବତ କରିଛି। ସମୀର ଅନୁପସ୍ଥିତ ଥିବାରୁ ତାଙ୍କ ପତ୍ନୀଙ୍କୁ ନୋଟିସ କରିଛି ଆସାମର ବିହୁବୋର ଥାନା ପୁଲିସ।
ସୂଚନା ଅନୁଯାୟୀ, ଆସାମର ଜଣେ ବ୍ୟବସାୟୀଙ୍କଠାରୁ ସମୀର ପଟ୍ଟନାୟକ, ସୁନିଲ ସାହୁ ଓ ନିରୂପ ସୁନ୍ଦର ଚୌଧୁରୀ ମିଶି କୋଇଲା ବ୍ୟବସାୟ କରିବାକୁ ଯୋଜନା କରିଥିଲେ। ଓଡ଼ିଶାରୁ କୋଇଲା ନେଇ ଆସାମରେ ବ୍ୟବସାୟ ଚଳାଇବାକୁ କହି ଉକ୍ତ ଖଣି ବ୍ୟବସାୟୀଙ୍କଠାରୁ ୨କୋଟି ୧୦ ଲକ୍ଷ ଟଙ୍କାର ଚୂନ ଲଗାଇ ଥିଲେ। ୭ମାସ ତଳେ ଆସାମ ଶିବସାଗର ଜିଲା ବିହୁବୋର ଥାନାରେ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନେ ଫେରାର୍ ଥିବାରୁ ସେମାନଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରାଯାଇଥିଲା। ତଦନ୍ତ ସମୟରେ ଠକେଇ ଘଟଣାର ମୁଖ୍ୟ ଖଳନାୟକ ସମୀର ଇନ୍ଫୋସିଟି ଥାନା ପଟିଆ ଅଞ୍ଚଳରେ ଥିବା ସୁଭଦ୍ରା ଆପାର୍ଟମେଣ୍ଟରେ ରହୁଥିବା ବିହୁବୋର ଥାନା ପୁଲିସ ଜାଣିବାକୁ ପାଇଥିଲା। ଦୁଇଜଣ ବନ୍ଧୁକଧାରୀ ପୁଲିସ ସହ ୫ଜଣିଆ ଦଳ ଗତକାଲି ଭୁବନେଶ୍ବରକୁ ଆସିଥିଲେ। ସ୍ଥାନୀୟ ଇନ୍ଫୋସିଟି ଥାନା ପୁଲିସକୁ ଜଣାଇବା ସହ ସହାୟତା ଲୋଡ଼ିଥିଲେ। ଗୁରୁବାର ସକାଳୁ ଇନ୍ଫୋସିଟି ଥାନା ଅଞ୍ଚଳ ରଘୁନାଥପୁରରେ ସମୀରଙ୍କ ଥିବା ବିବାହ ମଣ୍ଡପରେ ଚଢ଼ଉ କରିଥିଲା ଆସାମ ପୁଲିସ। କିନ୍ତୁ ସେଠାରୁ ସମୀରକୁ ନ ପାଇବାରୁ ସୁଭଦ୍ରା ଆପାର୍ଟମେଣ୍ଟରେ ଚଢ଼ଉ କରିଥିଲା। ଆପାର୍ଟମେଣ୍ଟର ରୁମ୍ ନଂଏ-୫୧୫ରେ ଭିତର ପଟୁ ବନ୍ଦ ଥିଲା। ଉକ୍ତ କବାଟ ବାଡ଼େଇବା ସହ ତାଙ୍କ ନମ୍ବରରେ ଯୋଗାଯୋଗ କରିବା ପରେ ମଧ୍ୟ ଉତ୍ତର ମିଳିନଥିଲା। ପ୍ରାୟ ୪ରୁ ୫ ଘଣ୍ଟା ଅପେକ୍ଷା କରିବା ପରେ କେହି କବାଟ ଖୋଲିନଥଲେ। ସେଠାରେ ଅପେକ୍ଷା କରି ପୁଲିସ ନାକେଦମ ହୋଇଥିଲା।
ଶେଷରେ କବାଟ ଭାଙ୍ଗିବାକୁ ଯୋଜନା କରାଯାଇଥିଲା। କଟର ମେସିନ୍ ଓ ଶାବଳ ସହାୟତାରେ ତାଲା ତଡ଼ା ଯାଇ ଭିତରକୁ ପଶିଥିଲା ଆସାମ ଓ କମିସନରେଟ ପୁଲିସର ମିଳିତ ଦଳ। ଉକ୍ତ ଘରେ ସମୀର ନଥିବାବେଳେ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ତାଙ୍କୁ କିଛି ସମୟ ଧରି ପଚରାଉଚରା କରାଯାଇଥିଲା। ଘର ଭିତରୁ ତନ୍ନତନ୍ନ ଯାଞ୍ଚ ପରେ ସେଠାରୁ କାଗଜପତ୍ର ଜବତ କରାଯାଇଥିଲା। ଦୀର୍ଘ ଘଣ୍ଟା ମହାନାଟକ ପରେ ଘେର ଥିବା ତାଙ୍କ ପତ୍ନୀ ଭିଡ଼ିଓ କରିବା ସହ ପୁଲିସ ସହ ଯୁକ୍ତି କରିଥିଲା। ସେ କହିଥିଲା, ‘ସେମାନେ କିଏ ମୋ ଘରକୁ ପଶିଛନ୍ତି ଜାଣିନି। ମୋ ପୁଅ ଆଇନ୍ଜୀବୀ ହୋଇଥିବାବେଳେ ଘରେ ଏକୁଟିଆ ଥିବାରୁ ପୁଅ କବାଟ ଖୋଲିବାକୁ ମନା କରି ଦେଇଥିଲା। ତେଣୁ କବାଟ ଖୋଲି ନଥିଲି’। ଅନ୍ୟପକ୍ଷରେ ଚଢ଼ଉ ପୂର୍ବରୁ ଆଗୁଆ ସୂଚନା ପାଇ ସମୀର ଖସି ପଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପରେ ଚନ୍ଦ୍ରଶେଖପୁର ଥାନା ଅଧୀନ ଶୈଳଶ୍ରୀବିହାରରେ ଚଢ଼ଉ କରି ସମୀର ସହଯୋଗୀ ନିରୂପକୁ କାବୁ କରିଛି। ଏଥିସହ ସ୍ଥାନୀୟ ଇନ୍ଫୋସିଟି ଥାନାରେ ସମୀର ବିରୋଧରେ ଆସାମ ପୁଲିସ ଅଭିଯୋଗ କରିବା ସହ ଅନ୍ୟ ଅଭିଯୁକ୍ତଙ୍କ ଘରେ ନୋଟିସ୍ ଦେଇଛି।



