ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସଧବାଙ୍କୁ ବିଧବା ଭତ୍ତା ମିଳୁଥିବାର ଖବର ପ୍ରସାର ହେବା ପରେ ପୁଣି ଏକ ବଡ଼ ଜାଲିଆତି ସାମ୍ନାକୁ ଆସିଛି। ରାଜ୍ୟର ୧ଲକ୍ଷ ୮୮ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ୧୪ଲକ୍ଷ ୫୭ହଜାର ‘ଭୂତ’ ଶିଶୁ ନାମ ପଞ୍ଜୀକରଣ ହୋଇଥିବା ଜଣାପଡ଼ିଛି। ନ୍ୟାସନାଲ ନ୍ୟୁଟ୍ରିସନ୍ କାଉନ୍ସିଲ ବୈଠକରେ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଅଧିକାରୀଙ୍କୁ ଏହି ସୂଚନା ଦିଆଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଆଧାର ସଂଯୋଗରୁ ଏହି ଜାଲିଆତି ସାମ୍ନାକୁ ଆସିଛି। ରାଜ୍ୟରେ ମୋଟ ୧କୋଟି ୮ଲକ୍ଷ ଶିଶୁ ଅଙ୍ଗନବାଡ଼ିରେ ପଞ୍ଜିକୃତ ହୋଇଛନ୍ତି ଓ ସେମାନଙ୍କ ପାଇଁ ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ୨୧୨୬କୋଟି ଟଙ୍କା ଅନୁମୋଦିତ ହୋଇଛି। ଏହି ଜାଲିଆତି ଧରାପଡ଼ିବା ପରେ ସମ୍ପୃକ୍ତ ଶିଶୁଙ୍କ ନାମ ବାଦ ଦିଆଗଲେ ରାଜକୋଷରୁ ମାସିକ ୨୫କୋଟି ଟଙ୍କା ବଞ୍ଚିଯିବ ବୋଲି ଜଣେ ସରକାରୀ ଅଧିକାରୀ ସ୍ୱୀକାର କରିଛନ୍ତି। ତେବେ ଦେଶ ତମାମ ଏଭଳି ଭୂତ ଶିଶୁଙ୍କ ନାମ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜିକୃତ ହୋଇଥାଏ ଓ ଏମାନଙ୍କ ସଂଖ୍ୟା ପ୍ରାୟ ୩୯ପ୍ରତିଶତ ବୋଲି ସେ ସୂଚନା ଦେଇଛନ୍ତି। ଆସାମରେ ଗତ ଜୁଲାଇ ମାସରେ ୧୪ଲକ୍ଷ ଜାଲ ଶିଶୁଙ୍କ ନାମ ପଞ୍ଜୀକରଣ ହୋଇଥିବା ଧରାପଡ଼ିଥିଲା। ଦେଶରେ ମୋଟ ୧୪ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ଓ ସେଥିରେ ୧୦କୋଟି ଶିଶୁ ହିତାଧିକାରୀ ଅଛନ୍ତି। କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀଙ୍କ ନିର୍ଦେଶକ୍ରମେ ସମ୍ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରୁ ଜାଲ ଶିଶୁଙ୍କୁ ବାଛି ବାହାର କରିବା ଅଭିଯାନ ଜାରି ରହିଛି।
Popular Categories



