www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ପାଦକୀୟ: ତଦନ୍ତ ରିପୋର୍ଟ, ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌

ଏ ବର୍ଷ ରଥଯାତ୍ରା ସମୟରେ ଦଳାଚକଟାରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ। ଅନୁସନ୍ଧାନ ରିପୋର୍ଟ ଦର୍ଶାଉଛି – ମାନବକୃତ ଅବହେଳା, ବ୍ୟବସ୍ଥାଗତ ବିଫଳତା ଓ ପ୍ରଯୁକ୍ତିଗତ ତ୍ରୁଟି ହେତୁ ଏଭଳି ଘଟିଲା। ଫଳରେ ୭ ଜଣ ତଳସ୍ତରର ପୁଲିସ ଅଫିସରଙ୍କୁ ଦଣ୍ଡିତ କରାଯିବା ସହିତ କମାଣ୍ଡ ସେଣ୍ଟର ସ୍ଥାପନ କରିଥିବା କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି। ଏଠାରେ କିନ୍ତୁ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ ଏହି ଅଘଟଣ ରୋକିବା ଲାଗି ଶୀର୍ଷସ୍ତରର ଅଫିସରମାନଙ୍କ ଦାୟିତ୍ୱ କ’ଣ ଥିଲା ?

ରଥଯାତ୍ରାର ତିନି ଦିନ ପୂର୍ବରୁ ପୁଲିସ ଡିଜି ନିଜେ ଗଣମାଧ୍ୟମକୁ କହିଥିଲେ ଯେ ପ୍ରଥମଥର ପାଇଁ ଅତ୍ୟାଧୁନିକ ଏଆଇ ଆଧାରିତ ‘ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର’ ବ୍ୟବସ୍ଥା କରାଯାଇଛି। ଏଥିରେ ଏଆଇ କ୍ୟାମେରା, ଭିଡ଼ର ଘନତ୍ବ ଜାଣିବା ବ୍ୟବସ୍ଥା, ମୁଖ ଚିହ୍ନଟ ପ୍ରକ୍ରିୟା ସବୁକିଛି ଅଛି; କିନ୍ତୁ ଯେତେବେଳେ ସବୁଠାରୁ ଅଧିକ ଆବଶ୍ୟକତା ଥିଲା, ଠିକ୍ ସେତେବେଳେ ଏହି ପ୍ରଯୁକ୍ତି ଧୋକା ଦେଲା। ତଦନ୍ତ ରିପୋର୍ଟ ଅନୁସାରେ ୨୭୫ଟି କ୍ୟାମେରା ଲାଗିଛି ବୋଲି କୁହାଯାଉଥିଲା; କିନ୍ତୁ ମାତ୍ର ୧୨୩ରୁ ୨୩୨ଟି କାମ କରୁଥିଲା। ଏଆଇ ଆଧାରିତ ଭିଡ଼ ଘନତ୍ବ ଜାଣିବା ଓ ମୁଖ ଚିହ୍ନଟ ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ ହୋଇଥିଲା; କିନ୍ତୁ ମୂଳ ପ୍ରଶ୍ନ ଅଲଗା। ରଥଯାତ୍ରା ସମୟରେ ପୁଲିସ ଡିଜି ନିଜେ ପୁରୀରେ ଥିଲେ। ତିନିଜଣ ଏଡିଜିଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା। ଜଣେ ଟ୍ରାଫିକ ପରିଚାଳନା ଓ ଆଇସିସିସିରେ, ଜଣେ ମନ୍ଦିର ସୁରକ୍ଷା ଓ ଆଭ୍ୟନ୍ତରୀଣ କର୍ଡନରେ (ଯେଉଁଠି ଦୁର୍ଘଟଣା ଘଟିଲା), ଆଉ ଜଣେ ଭିଡ଼ ପରିଚାଳନାରେ। ଏମାନଙ୍କୁ ଅନେକ ବରିଷ୍ଠ ଆଇପିଏସ୍ ଅଫିସର ସାହାଯ୍ୟ କରୁଥିଲେ; କିନ୍ତୁ ତଦନ୍ତ ରିପୋର୍ଟରେ ସମସ୍ତ ବରିଷ୍ଠ ଅଫିସରଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇଥିବାବେଳେ କେବଳ ସାତ ଜଣ ତଳସ୍ତରର ପୁଲିସ ଅଫିସରଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଆଶ୍ଚର୍ଯ୍ୟଜନକ ନୁହେଁ କି ?

- Advertisement -

ଯେତେବେଳେ କୌଣସି ଆୟୋଜନ ସଫଳ ହୁଏ, ଶୀର୍ଷସ୍ତରର ଅଫିସରମାନେ ସମସ୍ତ ଶ୍ରେୟ ନିଅନ୍ତି, ଗଣମାଧ୍ୟମରେ ସେମାନଙ୍କର ଉଚ୍ଚ ପ୍ରଶଂସା କରାଯାଏ; କିନ୍ତୁ ଯେତେବେଳେ ବିଫଳତା ଆସେ, ସେତେବେଳେ ଦୋଷ ତଳସ୍ତରର ଅଫିସରଙ୍କ ଉପରେ ଲଦି ଦିଆଯାଏ। ଯଦି ତଳସ୍ତରର ଅଫିସରମାନେ ପ୍ରକୃତରେ ଦାୟୀ, ତେବେ ସେମାନଙ୍କୁ ତଦାରଖ କରୁଥିବା ବରିଷ୍ଠମାନଙ୍କ ଦାୟିତ୍ୱ କ’ଣ ? ଏହା କୌଣସି ନୂଆ ସମସ୍ୟା ନୁହେଁ। ଆମ ଦେଶରେ ଧାର୍ମିକ ପର୍ବରେ ଭିଡ଼ ପରିଚାଳନା ସବୁବେଳେ ଦୁର୍ବଳ। କୁମ୍ଭମେଳା, ରଥଯାତ୍ରା, ସାବରୀମଲ, ତିରୁପତି – ପ୍ରତ୍ୟେକ ସ୍ଥାନରେ, ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଛି। କାରଣ ଆମେ କୌଣସି ଏକ ଘଟଣାରୁ କେବେ ଶିକ୍ଷା ନେଉନାହୁଁ। ପ୍ରତ୍ୟେକଥର ଦୁର୍ଘଟଣା ପରେ ସମାନ ପଦ୍ଧତିରେ ତଦନ୍ତ କରାଯାଇ କେତେଜଣ ତଳସ୍ତରର ଅଫିସରଙ୍କୁ ନିଲମ୍ବନ କରାଯାଏ, କିଛି କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଏ, କିଛି କ୍ଷତିପୂରଣ ଦିଆଯାଏ। ଦୁଇ-ତିନି ମାସ ଚର୍ଚ୍ଚା ହୁଏ, ତା’ପରେ ସମେସ୍ତ ସବୁ ଭୁଲିଯାଆନ୍ତି। ପରବର୍ତ୍ତୀ ବଡ଼ ଆୟୋଜନରେ ପୁଣି ସେହି ପୁରୁଣା ପଦ୍ଧତି, ସେହି ପୁରୁଣା ଭୁଲ ଏବଂ ପୁଣି ନୂଆ ଦୁର୍ଘଟଣା। ଏହି ଚକ୍ର ଭାଙ୍ଗିବା ଜରୁରୀ। ରଥଯାତ୍ରା ଠେଲାପେଲା ଏକ ଦୁର୍ଘଟଣା ନୁହେଁ; ଏହା ଦୂରଦୃଷ୍ଟିର ବିଫଳତା ଥିଲା। ପ୍ରକୃତ ସୁରକ୍ଷା କେବଳ ଉନ୍ନତ ଏଆଇ କ୍ୟାମେରା କିମ୍ବା କମାଣ୍ଡ ସେଣ୍ଟରରେ ନାହିଁ। ଏହା ଅଛି ସଚ୍ଚୋଟ ଦାୟିତ୍ୱବୋଧ, ବିଜ୍ଞାନଭିତ୍ତିକ ଯୋଜନା, ନିୟମିତ ପ୍ରଶିକ୍ଷଣ ଏବଂ ସର୍ବୋପରି ସମାନ ନ୍ୟାୟରେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories