ଓଡ଼ିଆ ଭାଷା ପାଇଁ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଗଠନ ହେଉ

ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ଏକାଦଶ ତମ ସଂସ୍କରଣ ଉଦଘାଟିତ

ଭୁବନେଶ୍ବର : ମୁଁ ଓଡ଼ିଆ ବୋଲି ଗର୍ବରେ କହିବାକୁ ହେଲେ ପ୍ରଥମେ ଓଡ଼ିଆ ଭାଷାର ଇତିହାସ ଜାଣିବାକୁ ହେବ। ଓଡ଼ିଆ ଭାଷା ପାଇଁ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଗଠନ ହେଉ; ଯେଉଁଠି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ସହ  ଭାଷା ଓ ସାହିତ୍ୟକୁ ସମନ୍ବୟ ବଜାୟ ରଖି ଡିଜିଟାଇଜେସନ‍୍ ରୂପ ଦିଆଯାଇପାରିବ ବୋଲି ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

ଓଡ଼ିଶା ସରକାରଙ୍କ ସହଭାଗିତାରେ ଦି ଇଣ୍ଟେଲେକ୍ଟ ଆଣ୍ଡ ୱେବକ୍ରଞ୍ଚ ଟେକ୍ନୋଲୋଜି ପକ୍ଷରୁ ଆୟୋଜିତ ମାତୃଭାଷା ମହାକୁମ୍ଭ ‘ଆମରି ଭାଷା ପଥେ-୧୧’ର ଉଦଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ଏକାଦଶ ତମ ସଂସ୍କରଣର ଉଦଘାଟନ ଉତ୍ସବରେ ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ଵ ଦେଇଥିଲେ।

ଟେକ୍ନୋଲୋଜି ଆପଣାଇବାକୁ ହେବ ଏବଂ ଆମକୁ ଯୁଗୋପଯୋଗୀ ହେବାକୁ ପଡ଼ିବ ବୋଲି ବିଶିଷ୍ଟ ଭାଷାବିତ‍ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରକାଶ କରିଥିଲେ। ଇଷ୍ଟମ ମିଡ଼ିଆ ଲିମିଟେଡ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାଷାର ବ୍ୟାପକ ବ୍ୟବହାରକୁ ଗୁରୁତ୍ବାରୋପ କରିଥିବାବେଳେ ସାହିତ୍ୟିକ ବିବୁଧ ରଞ୍ଜନ ସମ୍ପ୍ରତି ସ୍ଥାନାନ୍ତରଣ ଓ ଟେକ୍ନୋଲୋଜି ଯୁଗରେ ପରିଚୟକୁ ବଳିଷ୍ଠ କରିବା ପାଇଁ ଭାଷା ଓ ଐତିହ୍ୟ ନିହାତି ଜାଣିବା ଉଚିତ‍୍ ବୋଲି ମତ ଦେଇଥିଲେ। ବିଶେଷକରି ମାତୃଭାଷାକୁ ନେଇ ଗଣଉତ୍ସବ ପାଳନ ହେବା ଦରକାର ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡ. ଭଗବାନ ପ୍ରକାଶ, ଡ. ମହେଶ କୁଲକର୍ଣ୍ଣି, ପ୍ରଫେସର ଉଦୟନାଥ ସାହୁ, ପ୍ରଫେସର ଉଦୟନାଥ ମହାନ୍ତି, ପୁଷ୍ପାଶ୍ରୀ ପଟ୍ଟନାୟକ, ତମସା ଦାସ ପଟ୍ଟନାୟକ, ରଞ୍ଜିତ‍୍ ପାତ୍ର, ସୁବାସ ଚନ୍ଦ୍ର ରାଉତ, ବିଷ୍ଣୁ ମୋହନ ଅଧିକାରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ପରଂବ୍ରହ୍ମ ତ୍ରିପାଠୀଙ୍କ ପରିଚାଳନାରେ ଆୟୋଜିତ ଇଣ୍ଟେଲେକ୍ଟ ସଂସ୍ଥାର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତ ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଶା ଭର୍ଚୁଆଲ୍‍‍ ଏକାଡେମୀ ପକ୍ଷରୁ ସ୍ମୃତିରଞ୍ଜନ ମିଶ୍ର, ୱେବ୍‍‍କ୍ରଞ୍ଚ୍‍‍ର ସିନିଅର‍୍ ଟେକ୍ନିକାଲ୍‍‍ ଆଡ‍୍‍‍ଭାଇଜର‍୍ ସୁଧୀର ପଟେଲ, ପରିଚାଳନା ନିର୍ଦ୍ଦେଶକ ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.