ଭୁବନେଶ୍ବର: ରାଜ୍ୟରେ ବୁଧବାର ଆଉ ୧୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନେ ୧୭ଟି ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୭ ଜଣ କ୍ବାରେଣ୍ଟାଇନ ସେଣ୍ଟରର ଏବଂ ୧୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ସର୍ବାଧିକ ଆକ୍ରାନ୍ତ ଜଗତସିଂହପୁର ଜିଲାର। ଏହି ଗୋଟିଏ ଜିଲାରୁ ୩୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକ ଜିଲାରୁ ୨୦, ଖୋର୍ଦ୍ଧା ଜିଲାରୁ ୧୪, ଗଜପତିରୁ ୧୧, ପୁରୀରୁ ୭, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି ଓ ମୟୂରଭଞ୍ଜରୁ ୪ ଲେଖାଏଁ, ବରଗଡ଼ ଜିଲାରୁ ୨ ଏବଂ ଝାରସୁଗୁଡ଼ା, ଭଦ୍ରକ, ବଲାଙ୍ଗୀର, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର ଓ ବୌଦ୍ଧରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୧୦୬ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୨୧୩୩ ଜଣ ସୁସ୍ଥ ହୋଇଛନ୍ତି। ୧୧ ଜଣ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।



