ସମାଜ ଡିଜିଟାଲ ଡେସ୍କ: ଯେକୌଣସି ଅନୁଷ୍ଠାନ ପାଇଁ ୧୦୦ ବର୍ଷ ପୂରଣ କରିବା ସହଜ ନୁହେଁ। ଏହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ସମାଜ ବୋଧହୁଏ ଓଡ଼ିଶାର ଏକମାତ୍ର ଦୈନିକ ଖବରକାଗଜ ଯାହା ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇଆସୁଛି। ସମାଜ ଖବରକାଗଜ ଆଜି କେବଳ ଏକ ଦୀର୍ଘ ୧୦୦ ବର୍ଷ ପୂରଣ କରିନାହିଁ, ତା’ ସହିତ ମଧ୍ୟ ସେଦିନରୁ ଆଜି ପର୍ଯ୍ୟନ୍ତ ପ୍ରତିକ୍ଷଣରେ ଯେଉଁମାନେ ତାହାର ପାଠକ ହୋଇଥାଆନ୍ତି, ସେହି ପାଠକଙ୍କ ମଧ୍ୟରେ ଏହା ଏକ ବଡ଼ ବିଶ୍ଵସନୀୟତା ଓ ଲୋକପ୍ରିୟତା ପ୍ରତିଷ୍ଠା କରିପାରିଛି। ‘ସମାଜ’ କେବଳ ଏକ ଖବରକାଗଜ ନୁହେଁ, ଏହା ଗୋଟିଏ ଆନ୍ଦୋଳନ। ‘ସମାଜ’କୁ ଛାଡ଼ି ଓଡ଼ିଶା ବିଷୟରେ ଚିନ୍ତା କରିହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୈନିକ ‘ସମାଜ’ର ୧୦୬ତମ ସ୍ଵନକ୍ଷତ୍ର ପୂର୍ତ୍ତି ପକ୍ଷ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବ୍ରିଟିଶ ସରକାରଙ୍କ କଟକଣାଠାରୁ ଆରମ୍ଭ କରି ଜରୁରିକାଳୀନ ପରିସ୍ଥିତି ପର୍ଯ୍ୟନ୍ତ ସବୁକିଛି ଦେଖିଛି ସମାଜ। ସ୍ଵାଧୀନତା ପରବର୍ତ୍ତୀ ଭାରତର ପ୍ରତ୍ୟକ ସରକାରଙ୍କୁ ବି ସମାଜ ଦେଖିଛି। ସରକାରଙ୍କ କାର୍ଯ୍ୟକଳାପ ଉପରେ ଟିପ୍ପଣୀ ଦେବା, ସୁଚିନ୍ତିତ ମତାମତ ଦେବା ଭଳି କାର୍ଯ୍ୟ କରିଆସିଛି। ବିଶ୍ଵସନୀୟତା ବଜାୟ ରଖିବାରେ ସମାଜ ନିଜକୁ ପ୍ରମାଣିତ କରିଛି। ଉତ୍କଳମଣିଙ୍କ ଭଳି ଜଣେ ପୂଣ୍ୟାତ୍ମାଙ୍କ ଦ୍ଵାରା ସୃଷ୍ଟ ଏହି ସମ୍ବାଦପତ୍ର ଓଡ଼ିଶାବାସୀଙ୍କୁ ଦେଶ ସେବା ପାଇଁ ପ୍ରେରଣା ଦେଇଆସିଛି। ପ୍ରାରମ୍ଭିକ ସମୟରେ ଦେଶର ସ୍ଵାଧୀନତା ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିବାବେଳେ ପରବର୍ତ୍ତୀ ସମୟରେ ଦେଶ ଓ ରାଜ୍ୟର ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ଓ ସାଂସ୍କୃତିକ ସଚେତନତା କ୍ଷେତରେ ସମାଜ ଏବଂ ସରକାରକୁ ପ୍ରେରଣା ଦେଇଆସିଛି।
‘ସମାଜ’ ମାଧ୍ୟମରେ ସମାଜର ଉନ୍ନତି ପାଇଁ ଏହା ଥିବା ଗୋପବନ୍ଧୁଙ୍କର ମହାନ ଯଜ୍ଞ। ଲୋକମାନଙ୍କର କଥା, ବ୍ୟଥା, କାହାଣୀ, ସମସ୍ୟା ଏବଂ ଅଭାବବୋଧକୁ ବ୍ରିଟିଶ ଶାସକଙ୍କଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସରକାରଙ୍କ ନିକଟରେ ଏହା ପହଞ୍ଚାଇପାରିଅଛି।
ସମ୍ବାଦ ପରିବେଷଣ ସହ ସମାଜ ସେବା ହେଉଛି ସମାଜର ଏକ ଅଭିନ୍ନ ଅଂଶ। ଏହା ଲୋକସେବକ ମଣ୍ଡଳ ତତ୍ଵାବଧାନରେ ଚାଲୁଥିବାରୁ ସମାଜ ସେବା ଏହାର ଧମନୀରେ ପ୍ରବାହିତ। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହିତ କୃତ୍ରିମ ବିପର୍ଯ୍ୟୟ ସମୟରେ ସମାଜ ରିଲିଫ ପାଣ୍ଠି ଲୋକଙ୍କୁ ସହାୟତା ଯୋଗାଇଥାଏ।
ସମାରୋହରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ବୈଷ୍ଣବ ଚରଣ ସାମଲ ଯୋଗଦେଇ ‘ସମାଜ’ର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ। ‘ସମାଜ’ ପ୍ରତି ଉତ୍କଳମଣିଙ୍କ ଅବଦାନ ଏବଂ ଏହାକୁ ଆଗକୁ ନେବାରେ ଡ. ରାଧାନାଥ ରଥଙ୍କ ଅବଦାନ ସମ୍ପର୍କରେ ମଧ୍ୟ କହିଥିଲେ। ଓଡ଼ିଆ ଅସ୍ମିତାର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନର ପ୍ରଶଂସା କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଥିଲେ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିଷ୍ଠା, ଉଦ୍ୟମ ଓ ଜନସାଧାରଣଙ୍କ ସହଯୋଗରେ ‘ସମାଜ’ ତାହାର କାୟା ବିସ୍ତାର କରିଛି। ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ମଧ୍ୟ ‘ସମାଜ’ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏହା ସହିତ ସେ ରାଜ୍ୟରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନା ସକାର କରିବା ଲାଗି ରାଜ୍ୟକୁ ଶିଳ୍ପ ସମୃଦ୍ଧ ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାର ଶତପ୍ରତିଶତ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ।
ଏହି ଅବସରରେ ଐତିହାସିକ କୃପାସିନ୍ଧୁ ମିଶ୍ର ଏବଂ ଲାଲା ଲଜପତ ରାୟଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକକୁ ଅତିଥିମାନେ ମଞ୍ଚରେ ପାଠକାର୍ପଣ କରିଥିଲେ। ଲୋକସେବକ ମଣ୍ଡଳ ସଭାପତି ରାଜକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଲୋକସେବକ ମଣ୍ଡଳ ଉପସଭାପତି ଦୀପକ ମାଲବୀୟ ଏବଂ ସମାଜର ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ସମ୍ପାଦକ ରାଜେନ୍ଦ୍ର କୁମାର ଜେନା, ସମ୍ପାଦକ ତଥା ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର ଉପସ୍ଥିତ ଥିଲେ।



