ଲକ୍ଷ୍ନୌ : ଲକ୍ଷ୍ନୌର ବିଶିଷ୍ଟ ବ୍ୟବସାୟୀ କହ୍ନେୟାଲାଲ ରସ୍ତୋଗି ଏବଂ ଅଜୟ ରସ୍ତୋଗିଙ୍କ ଘର ଏବଂ ବିଭିନ୍ନ ଠିକଣାରେ ଆୟକର ବିଭାଗ ଏକକାଳୀନ ଚଢଉ କରି ୧୦୦ କିଲୋ ସୁନା ଏବଂ ୧୦ କୋଟି ଟଙ୍କା ନଗଦ ଜବତ କରିଛି। ଜବତ ୧୦୦ କିଲୋ ସୁନାର ଆନୁମାନିକ ମୂଲ୍ୟ ୩୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାସହ ରସ୍ତୋଗି ପରିବାର ନାମରେ ଥିବା ୯୮ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତିର କାଗଜପତ୍ର ଜବତ କରାଯାଇଛି। ବୁଧବାର ଏହି ଚଢଉ କରାଯାଇଥିଲାବେଳେ ଗୁରୁବାର ଏନେଇ ବିସ୍ତୃତ ସୂଚନା ଦିଆଯାଇଛି। ଚଢଉରୁ ଜାଣିବାକୁ ମିଳିଛି ଯେ ‘ରସ୍ତୋଗି ଆଣ୍ଡ ସନ୍ସ’ ନାମରେ ହାୱାଲା କାରବାର ଏବଂ ଅର୍ଥ ଲଗାଣ ବ୍ୟବସାୟ ଚାଲିଛି। ରସ୍ତୋଗି ପରିବାର ଅର୍ଥ ଲଗାଣ ବ୍ୟବସାୟରେ ୬୦ କୋଟିରୁ ଅଧିକ ଟଙ୍କା ହରାଇଛି। ଆୟକର ବିଭାଗ ମୁଖପାତ୍ର ଏବଂ ଉପକମିଶନର (ତଦନ୍ତ) ଜୟନାଥ ବର୍ମା କହିଛନ୍ତି ଯେ କହ୍ନେୟାଲାଲ ରସ୍ତୋଗି ଏବଂ ତାଙ୍କ ପୁଅ ଘରୁ ୮.୦୮ କୋଟି ନଗଦ ଟଙ୍କା, ୮୭ କିଲୋ ସୁନା ବିସ୍କୁଟ ଏବଂ ୨ କିଲୋ ସୁନା ଗହଣା ଜବତ ହୋଇଛି। ଅଜୟ ରସ୍ତୋଗିଙ୍କ ଘରୁ ୧.୧୩ କୋଟି ନଗଦ ଟଙ୍କା ଏବଂ ୧୧.୬୪ କିଲୋ ସୁନା ଜବତ ହୋଇଛି।
Popular Categories



