ଭଦ୍ରକ ରାଣୀତାଲ ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ମାଡିଗଲା  ଟ୍ରକ, ୫ ମୃତ, ୬ ଗୁରୁତର

0

ଭଦ୍ରକ: ଅପରାହ୍ଣ ୪ଟା। ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମନଖୁସିରେ ଘରକୁ ଫେରୁଥିଲେ। ସମସ୍ତେ ଥିଲେ ଗୋଟିଏ ଗାଁର। ସେମାନଙ୍କ ମଧ୍ୟରୁ ୫ ଜଣ ଯେ ଘରକୁ ବାହୁଡ଼ିବେ ନାହିଁ, ଏକଥା ବା କିଏ ଜାଣିଥିଲା। କାଳରୂପୀ ଏକ ୧୨ ଚକିଆ ଟ୍ରକ୍‌ ଦ୍ରୁତଗତିରେ ଆସି ୧୬ ନମ୍ବର ଜାତୀୟ ରାଜପଥର ରାହାଞ୍ଜ ବାଇପାସ ଛକ ନିକଟରେ ପିଲାମାନଙ୍କ ଉପରେ ପଛରୁ ମାଡ଼ିଗଲା। ଧାଡ଼ିରେ ସାଇକଲ ଯୋଗେ ରାଜପଥର ବାମପାର୍ଶ୍ବରେ ଯାଉଥିବା ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚାହୁଁ ଚାହୁଁ ଅକାଳରେ ଝଡ଼ିଗଲା ୫ ଜଣଙ୍କ ଜୀବନ, ଆହତ ହେଲେ ୬ଜଣ।
ଅତ୍ୟନ୍ତ ହୃଦୟବିଦାରକ ତଥା ଯନ୍ତ୍ରଣାଦାୟକ ଏହି ଦୁର୍ଘଟଣା ଜାତୀୟ ରାଜପଥରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। କୌଣସି ପ୍ରକାରେ ଜୀବନ ବଞ୍ଚି ଯାଇଥିବା ୬ଜଣଙ୍କୁ ତୁରନ୍ତ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣକୁ କଟକ ବଡ଼ ଡାକ୍ତରଖାନା ଅଣାଯାଇଛି। କାହାର ହାତରେ ଆଘାତ ଲାଗିଛି ତ କାହାର ଗୋଡ଼ ଉପରେ ମାଡିଯାଇଛି ଟ୍ରକ୍‌। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀମାନେ ହେଲେ ରାହାଞ୍ଜ ନିବାସୀ ସୁବାସ ସାହୁଙ୍କ ଝିଅ ଶ୍ୱେତା, ଅସୁରା ହାଟସାହିର ଅଟଳ ବାରିକଙ୍କ ପୁଅ ସତ୍ୟବ୍ରତ, ଦୁର୍ଯ୍ୟୋଧନ ଜେନାଙ୍କ ଝିଅ କଳ୍ପନା, ଅସୁରା ସାହୁସାହି ନିବାସୀ ପିଣ୍ଟୁ ସାହୁଙ୍କ ପୁତ୍ର ସୁକାନ୍ତ, କୃପାସିନ୍ଧୁ ମହାନ୍ତିଙ୍କ ଝିଅ ପ୍ରିୟମ୍ବଦା।
ସେହିପରି ଆହତମାନେ ହେଲେ ସୁବାସ ସାହୁଙ୍କ ଝିଅ ଶୀତଲ, ରବୀନ୍ଦ୍ର ସାହୁଙ୍କ କନ୍ୟା ଊର୍ବଶୀ, ଲକ୍ଷ୍ମୀଧର ସାହୁଙ୍କ କନ୍ୟା ଦୀପ୍ତିରେଖା, ମଦନ ମହାପାତ୍ରଙ୍କ କନ୍ୟା ବର୍ଷାରାଣୀ, ରତ୍ନାକର ସାହୁଙ୍କ ଦୁଇ ଝିଅ ପୂଜାରାଣୀ ସାହୁ ଓ ଲିଜାରାଣୀ ସାହୁ।

ଦୁର୍ଘଟଣା ପରେ ୧୬ ନଂ ଜାତୀୟ ରାଜପଥକୁ ଅପରାହ୍ଣ ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଅବରୋଧ କରି ରଖିଥିଲେ। ମୃତକଙ୍କ ପରିବାରକୁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଜାତୀୟ ରାଜପଥର ସମସ୍ତ ଛକରେ ଅଣ୍ଡରପାସ ନିର୍ମାଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଦୁର୍ଘଟଣା ଭିଆଇଥିବା ଟ୍ରକକୁ (ଏପି୦୩ଟିଜେ-୦୧୨୨)କୁ ଲୋକେ ଜାଳିଦେବା ପରେ ଏସପି, ଅତିରିକ୍ତ ଜିଲାପାଳ ପୁଲିସ ଫୋର୍ସ ସହ ଘଟଣାସ୍ତଳରେ ପହଞ୍ଚିଥିଲେ ହେଁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରି ନଥିଲେ। ହଜାର ହଜାର ଲୋକ ରାସ୍ତାକୁ ଅବରୋଧ କରିବା ସହ କେତେକ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ରାହାଞ୍ଜରୁ ରାଣୀତାଲ ଛକ ଯାଏ ୨ କିମି ରାସ୍ତାକୁ ଲୋକେ ଏକାଧିକ ସ୍ଥାନରେ ଅବରୋଧ କରାଯାଇଥିଲା। ଏପଟେ ଚରମ୍ପା ଯାଏ ରାସ୍ତା ମଧ୍ୟ ବନ୍ଦ କରିଦେଇଥିଲେ। ସନ୍ଧ୍ୟା ପରଠାରୁ ପରିସ୍ଥିତି ଗୁରୁତର ହେବାରେ ଲାଗିଥିବା ବେଳେ ପ୍ରଶାସନର ଅକଲ ଗୁଡୁମ ହୋଇଯାଇଥିଲା।

ଦୁର୍ଘଟଣା ପରେ ମେଡିକାଲରେ ଜିଲାପାଳ ଜ୍ଞାନରଂଜନ ଦାସ ପହଞ୍ଚି ପ୍ରଥମେ ଆହତଙ୍କ ଚିକିତ୍ସା ଅବସ୍ଥା ପଚାରି ବୁଝିଥିଲେ। ସନ୍ଧ୍ୟା ପରେ ବିଧାୟକ ଯୁଗଳ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିବାବେଳେ ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ମନ୍ତ୍ରୀ ଓ ବିଧାୟକ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଏହି ସହାୟତା ରାଶି ୪ଲକ୍ଷ ଟଙ୍କାକୁ ବଢ଼ାଯାଇଥିବା ଘୋଷଣା କରାଯାଇଥିଲା। ଏଥିସହିତ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଘୋଷଣା କରିଥିଲେ। ସ୍ଥାନୀୟ ଲୋକଙ୍କ ଆଗରେ ବର୍ଦ୍ଧିତ କ୍ଷତିପୂରଣ ରାଶି ସଂପର୍କରେ ଜିଲାପାଳ ଘୋଷଣା କରିଥିଲେ। ଏହାପରେ ଲୋକେ ଆପାତତଃ ଶାନ୍ତ ପଡିଥିଲେ। ରାସ୍ତାରୋକ କ୍ରମଶଃ ହଟିଥିଲା। ତେବେ କିଛି ଯୁବକ ରାସ୍ତାକୁ ଅବରୋଧ ମୁକ୍ତ କରିବାରୁ ବିରତ ନହେବାରୁ ପୁଲିସକୁ ମୃଦୁ ଲାଠି ଚାଳନା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା। ରାତି ୯ଟା ପରେ ରାଜପଥ ଅବରୋଧମୁକ୍ତ ହୋଇଛି।

Leave A Reply