ପିପିଲି: ପିପିଲି-ଜଟଣୀ ରାସ୍ତାଦେଇ ଜଟଣୀ, ଡେଲାଙ୍ଗ ଓ ଖୋର୍ଦ୍ଧା ଅଞ୍ଚଳରୁ ପ୍ରତିଦିନ ମୋରମ ଓ ମାଙ୍କଡା ପଥର ବେଆଇନ ଭାବେ ଚୋରାଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଗୁରୁବାର ଖଣି ବିଭାଗ ପକ୍ଷରୁ ପିପିଲି-ଜଟଣୀ ରାସ୍ତାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୯ଟି ମୋରମ ବୋଝେଇ ହାଇୱା ଗାଡି ଓ ଗୋଟିଏ ମାଙ୍କଡା ପଥର ବୋଝେଇ ଟ୍ରକ୍କୁ ଜବତ କରାଯାଇଛି । ଜିଲା ଖଣି ବିଭାଗ ଅଧିକାରୀ ସମୀର କୁମାର ମିଶ୍ରଙ୍କ ନେତୃତ୍ୱରେ କନିଷ୍ଠ ଖଣି ଅଧିକାରୀ (ଜେଏମ୍ଓ) ବିଶ୍ୱଜିତ ବେହେରା, ଡିଏସ୍ଏ ସୌମ୍ୟରଞ୍ଜନ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ପିପିଲି ପୁଲିସ ଓ ପୁରୀର ସ୍ୱତନ୍ତ୍ର ପୁଲିସ ଦଳ ସହାୟତାରେ ଏହି ଚଢାଉ କରିଥିଲେ। ଜବତ ଗାଡିଗୁଡିକୁ ପିପିଲି ଥାନାରେ ରଖାଯାଇଛି।



