ରେଙ୍ଗାଲିକ୍ୟାମ୍ପ: ଚୋରା ଗଞ୍ଜେଇ କାରବାର ତାର କାୟା ବିସ୍ତାର ଉତ୍ତରପ୍ରଦେଶରୁ ସମ୍ବଲପୁର ପର୍ଯ୍ୟନ୍ତ ହେଉଥିବା ଖବର ଅତାବିରା ପୁଲିସ ପାଖରେ ପହଞ୍ଚିଥିଲା। ଏହି କାରବାରରେ ଲିପ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତାର ପ୍ରୟାସ ଜାରି ରଖିଥିଲା। ଶନିବାର ୨ ଅଭିଯୁକ୍ତକୁ ଧରିବାରେ ଅତାବିରା ପୁଲିସ ସଫଳ ହୋଇଛି ।
ଫୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ନ ୧୧ ଟା ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଏକ କାର ଦ୍ରୁତ ବେଗରେ ଅତାବିରା ଦେଇ ଯାଉଥିବା ବେଳେ ସରଣ୍ଡା ଛକରେ କାରର ଆଗ ଚକଟି ପଙ୍କଚର୍ ହୋଇଯାଇଥିଲା। ସେହି କାରର ଆଗରେ ଓକିଲମାନଙ୍କର ଟାଏର ପ୍ରତୀକ ଓ ପଛପଟେ ଖାଟୁ ଶ୍ୟାମ ବାବାଙ୍କ ଧନୁତୀରର ସଂକେତ ରହିଥିଲା । କାରର ଗତି ଓ ଗାଡ଼ିରେ ରହିଥିବା ସଂକେତକୁ ଦେଖି ପୁଲିସ ସନ୍ଦେହ କରିଥିଲା। କାରରେ ଥିବା ଜଣେ ବ୍ୟକ୍ତି ବବି ଖାଁକୁ କିଛି ପଚାରିବାରୁ ସିଧାସଳଖ ଭାବରେ କଥାବାର୍ତ୍ତା ନ କରି ସେ ନିଜକୁ ପୁଲିସ ବୋଲି କହିଥିଲା।
ଫୁଲିସ କାର ଭିତରରେ ଯାଞ୍ଚ କରିବାରୁ ସେଠାରେ ଗଞ୍ଜେଇ ପ୍ୟାକେଟ ରହିଥିବା ଦେଖିବାକୁ ପାଇଥିଲା। ଏହି ଗଞ୍ଜେଇ ସେ ତା ଘରକୁ ନେଉଛି ବୋଲି ଅଭିଯୁକ୍ତ ପୁଲିସ କହିଥିଲା। ପୁଲିସ କାରରେ ଥିବା ବବି ଖାଁ ଓ ସୁଜିତ୍ ସାହୁଙ୍କୁ ଗିରଫ କରିଥିଲା। ଏହାସହ ୧କ୍ଵିଣ୍ଟାଲ ୨୦ କେଜି ୬୭୦ ଗ୍ରାମ ଗଞ୍ଜେଇ ସମେତ ସେମାନେ ବ୍ୟବହାର କରିଥିବା କାର, ଦୁଇଟି ମୋବାଇଲ ଓ ନଗଦ ୪୨ ଶହ ଟଙ୍କା ଜବତ କରିଛି । ବବି ଖାଁ (୪୫) ଉତ୍ତରପ୍ରଦେଶର ଶିକାରା ଚୌରାହା , ମିର୍ମାସ ମହଲା , ଜୌନପୁର ଏବଂ ଯୋଗ ସୂତ୍ର ରଖୁଥିବା ବ୍ୟକ୍ତି ସୁଜିତ୍ ସାହୁ ସୁବର୍ଣ୍ଣପୁର ଜିଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପତ୍ରାପାଲି ବାସିନ୍ଦା ବୋଲି ଜଣାପଡ଼ିଛି।



