www.samajalive.in
Saturday, December 6, 2025
14.1 C
Bhubaneswar

୩ ଯବାନ ସହିଦ, ୫ ଆତଙ୍କବାଦୀ ଓ ୫ ସାଧାରଣ ନାଗରିକ ମୃତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ରାଜୌରି ଓ କୁଲଗାଓଁ ଜିଲାରେ ଗୁଳିବିନିମୟ ଘଟି ୩ ଯବାନ ସହିଦ ହୋଇଥିବାବେଳେ ୫ ଆତଙ୍କବାଦୀ ଓ ୫ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ରବିବାର ଅପରାହ୍ଣରେ ରାଜୌରି ଜିଲାର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅନୁପ୍ରବେଶକାରୀ ଓ ସୈନିକଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୩ଜଣ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଅନୁପ୍ରବେଶକାରୀ ପ୍ରାଣ ହରାଇଛନ୍ତି। ମୃତ ଅନୁପ୍ରବେଶକାରୀଙ୍କ ନିକଟରୁ ଦୁଇଟି ଏକେ ୪୭ ରାଇଫଲ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣେ ସେନା ଅଧିକାରୀ କହିଛନ୍ତି। ଗୁଳିବିନିମୟରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଉଦ୍ଦାମପୁର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ରବିବାର ସକାଳେ ଦକ୍ଷିଣ କାଶ୍ମୀରର ଗୁଲଗାଓଁ ଜିଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ୫ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ପୁଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ ଲାରୂ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ତଲାସ ଅଭିଯାନ ଚଳାଇଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଗୁଳିବିନିମୟ ଶେଷ ହେବା ପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଯାଞ୍ଚ କରିଥିଲେ। ଏହି ସମୟରେ ସାଧାରଣ ନାଗରିକଙ୍କୁ ଗୁଳିବିନିମୟସ୍ଥଳ ନ ଯିବା ଲାଗି କୁହାଯାଇଥିଲା। ମାତ୍ର ସ୍ଥାନୀୟ ଅଞ୍ଚଳ ଲୋକେ ଗୁଳିବିନିମୟ ସ୍ଥଳକୁ ବହୁ ସଂଖ୍ୟାରେ ଚାଲିଆସିଥିଲେ।
ଏହି ସମୟରେ ଆତଙ୍କବାଦୀମାନେ ନିକ୍ଷେପ କରିଥିବା ବିସ୍ଫୋରକ (ଗ୍ରେନେଡ) ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୫ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହେବା ସହ ପ୍ରାୟ ୪୦ଜଣ ଆହତ ହୋଇଥିବା କୁଲଗାଓଁ ଡେପୁଟି ପୁଲିସ କମିସନର କହିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ମୃତକଙ୍କ ମଧ୍ୟରେ ଜଣେ ୧୦ବର୍ଷର ବାଳକ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାକୁ ଦୁଃଖଦାୟକ ବୋଲି କହିଛନ୍ତି। ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ବିଚ୍ଛିନ୍ନତାବାଦୀମାନେ ସୋମବାର ପାଇଁ ବନ୍ଦ ଡାକରା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories