କଲମ୍ବୋ : ଗୁରୁବାରଠାରୁ ଏଠାରେ ଘରୋଇ ଶ୍ରୀଲଙ୍କା ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମଦିନରେ ବର୍ଷା ବାଧକ ସାଜିଛି। ଫଳରେ ପୂରାଦିନରେ ମୋଟ ୩୬.୩ ଓଭର ଖେଳ ସମ୍ଭବପର ହୋଇଥିଲା। ତେବେ ଏହି ୩୬.୩ ଓଭର ଶ୍ରୀଲଙ୍କା ଅଧିନାୟକ ଦିମୁଥ୍ କରୁଣାରତ୍ନେଙ୍କୁ ତାଙ୍କ ବ୍ୟାଟିଂ ପ୍ରତିଭା ଦେଖାଇବା ଲାଗି ଯଥେଷ୍ଟ ଥିଲା। କରୁଣାରତ୍ନେ ୪୯ ରନ୍କରି ଅପରାଜିତ ରହିଛନ୍ତି। ପ୍ରଥମଦିନ ଶେଷରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୮୫ ରନ୍ କରିପାରିଛି।
ସକାଳୁ ଝିପିଝିପି ବର୍ଷା ଲାଗିରହିବା ଯୋଗୁଁ ପ୍ରଥମ ଅଧିବେଶନର ଖେଳ ସମ୍ପୂର୍ଣ୍ଣ ବାତିଲ ହୋଇ ଯାଇଥିଲା। ଭୋଜନ ବିରତି ପରେ ଖେଳ ଆରମ୍ଭ ହେବା ପରେ ଶ୍ରୀଲଙ୍କା ଟସ୍ ଜିତିଥିଲା ଏବଂ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡର ଦୁଇ ନୂଆବଲ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସାଉଦି ଏହି ମେଘୁଆ ବାତାବରଣରୁ ବେଶ୍ ଫାଇଦା ପାଇଥିଲେ ଏବଂ ବଲକୁ ସ୍ବିଙ୍ଗ୍ କରି ପାରିଥିଲେ। ତେବେ ଦୁହେଁ ସଟ୍ ପିଚ୍ ବୋଲିଂ କରିବାର ତ୍ରୁଟି କରିଥିବାରୁ ୱିକେଟ ମିଳିନଥିଲା। ୧୫ଶ ଓଭରରେ ନ୍ୟୁଜିଲାଣ୍ଡ ପ୍ରଥମ ୱିକେଟ ପାଇଥିଲା। ଅଫ୍ସ୍ପିନର ୱିଲିୟମ୍ ସମରଭିଲେ ନ୍ୟୁଜିଲାଣ୍ଡକୁ ପ୍ରଥମ ୱିକେଟ ଦେଇଥିଲେ। ଲାହିରୁ ଥିରିମାନେ ୩୫ ବଲ୍ ଖେଳି ୨ ରନ୍କରି ବିଦାୟ ନେଇଥିଲେ। ୨ୟ ୱିକେଟ ପାଇଁ ଦିମୁଥ୍ କରୁଣାରତ୍ନେ ଓ କୁଶଳ ମେଣ୍ଡିସ୍ ସ୍କୋର୍କୁ ୭୯ ରନ୍ରେ ପହଞ୍ଚାଇଥିଲେ। ମେଣ୍ଡିସ୍ ୭୦ ବଲ୍ରୁ ୪ଟି ଚୌକା ସହ ୩୨ ରନ୍ କରିଥିଲେ। ଏହାର କିଛି ଓଭର ପରେ ଖରାପ ଆଲୋକ ଯୋଗୁଁ ଅମ୍ପାୟାର ପ୍ରଥମ ଦିନର ଖେଳ ବାତିଲ କରିଥିଲେ। ଆଞ୍ଜେଲୋ ମାଥ୍ୟୁସ୍ ବିନା ସ୍କୋର୍ରେ କ୍ରିଜ୍ରେ ଥିଲେ। ପ୍ରଥମ ଟେଷ୍ଟମ୍ୟାଚ୍ରେ ଶତକମାରି ଶ୍ରୀଲଙ୍କାକୁ ଜିତାଇଥିବା ଦିମୁଥ୍ କରୁଣାରତ୍ନେ ୧୦୦ ବଲ୍ ଖେଳି ୬ଟି ଚୌକା ସହ ୪୯ ରନ୍କରି ଅପରାଜିତ ରହିଥିଲେ।



