www.samajalive.in
Monday, December 8, 2025
14.1 C
Bhubaneswar

ସ୍ୱାମୀଙ୍କ ହତ୍ୟା ଅଭିଯୋଗକୁ ପୁଲିସ ନ ରଖିବାରୁ ବିଷ ପିଇଦେଲେ ସ୍ତ୍ରୀ

କୋରାଇ: କୋରାଇ ଥାନା ଅନ୍ତର୍ଗତ ତାହାରପୁର ପଂଚାୟତ ସାଆନ୍ତରାପୁର (ସାନବେରୁଣୁପୁର) ଗ୍ରାମର ନବଘନ ପରିଡ଼ାଙ୍କ ପୁଅ ରଞ୍ଜନ (୩୫)ଙ୍କ ମୃତଦେହ ଆଜି ସକାଳୁ ତାଙ୍କ ଶୋଇବାଘରର ପଙ୍ଖାରେ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ। ତେଣୁ ରଞ୍ଜନଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଗେହ୍ଲୀ କୋରାଇ ଥାନାରେ ଏତଲା ଦେବାପାଇଁ ଯାଇଥିଲେ। କିନ୍ତୁ ସେଠାରେ ପୁଲିସ ଏତଲା ନ ରଖିବାରୁ ସେ ବିଷ ପିଇଦେଇଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏପଟେ ଝିଅ ଓ ଜୋଇଁଙ୍କ ଅବସ୍ଥା ଶୁଣି ଗେହ୍ଲୀଙ୍କ ମା’ ସଂଜ୍ଞାହୀନ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପ୍ରଚାରିତ ହେବାପରେ ଶହ ଶହ ଲୋକ ରଞ୍ଜନଙ୍କ ଘର ସମ୍ମୁଖରେ ଜମା ହୋଇଛନ୍ତି। ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରିବାକୁ କିନ୍ନରସଂଘ ଦାବି କରିଛି।
୨୦୧୬ ମସିହାରେ ରଞ୍ଜନ ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରହ୍ମଣବାଡ଼ ଗ୍ରାମର ମହେଶ୍ୱର ନାୟକଙ୍କ ଝିଅ ଗେହ୍ଲୀ(୨୫)ଙ୍କୁ ବିବାହ କରିଥିଲେ। ଗେହ୍ଲୀ ପରିବାରର ଏକମାତ୍ର ଝିଅ ହୋଇଥିବାରୁ ବିବାହ ପରେ ରଞ୍ଜନ ବେଳେବେଳେ ଶଶୁରଘରର ଦାୟିତ୍ୱ ମଧ୍ୟ ତୁଳାଉଥିଲେ। ୩ ଦିନ ତଳେ ଶଶୁର ମହେଶ୍ୱରଙ୍କ ଦେହ ଖରାପ ହେବାରୁ ଗେହ୍ଲୀ ଓ ରଞ୍ଜନ ସେଠାକୁ ଯାଇଥିଲେ। କିନ୍ତୁ ଆଜି ସକାଳୁ ରଞ୍ଜନଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଜାଣିବାପରେ ଗେହ୍ଲୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାକୁ ଏତଲଶ ପାଇଁ ଯାଇଥିଲେ। କିନ୍ତୁ ପୁଲିସ ଏତଲା ନ ରଖିବାରୁ ସେ ବିଷ ପିଇ ଦେଇଥିଲେ। ଅପରପକ୍ଷେ ରଞ୍ଜନଙ୍କ ବାପା ନବଘନଙ୍କ କହିବାନୁଯାୟୀ, ଗତରାତିରେ ରଞ୍ଜନ ଘରକୁ ଫେରିବା ପରେ ତାଙ୍କ ସହିତ ବଚସା ହୋଇଥିଲା। ତେଣୁ ସେ ଓ ତାଙ୍କ ଅନ୍ୟଜଣେ ପୁଅ ସଞ୍ଜୟ ମିଶି ରଞ୍ଜନଙ୍କୁ ମାଡ଼ ମାରିଥିଲେ। ଅଧରାତିରେ ସଞ୍ଜୟ ଯାଇ ଦେଖିବାରୁ ଶୋଇବାଘରେ ରଞ୍ଜନଙ୍କ ଶରୀର ଫ୍ୟାନ୍‍ରେ ଝୁଲୁଥିଲା। କିନ୍ତୁ ନବଘନଙ୍କ ବଡ଼ପୁଅ ମୁରଲୀଧର ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ, ରଞ୍ଜନ ରାତିରେ ଫେରିବା ପରେ ବାପା ଓ ଭାଇ ସଞ୍ଜୟ ମିଶି ତା’କୁ ପ୍ରବଳ ମାଡ଼ ମାରିବାରୁ ତା’ର ମୃତ୍ୟୁ ଘଟିଥିଲା। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ରଞ୍ଜନର ମରଶରୀରକୁ ଫ୍ୟାନ୍‍ରେ ଝୁଲାଇ ଦେଇଥିଲେ। ରଞ୍ଜନଙ୍କ ସ୍ତ୍ରୀ ଗେହ୍ଲୀ ଓ ଶଶୁରଘର ଲୋକ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଏନେଇ ଏତଲା ଦେବାକୁ ଯାଇଥିବା ଗେହ୍ଲୀ ଅନେକ କାକୁତିମିନତୀ କରିବାପରେ ମଧ୍ୟ ପୁଲିସ ଏତଲା ରଖି ନ ଥିଲା। ତେଣୁ ନିରାଶ ହୋଇ ଗେହ୍ଲୀ ବିଷପିଇ ଦେବାରୁ ଗୁରୁତର ହୋଇପଡିଥିଲେ। ତାଙ୍କୁ ପ୍ରଥମେ ଯାଜପୁରରୋଡ଼ ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ମୃତ ରଞ୍ଜନଙ୍କ ବାପା ନବଘନଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ପରେ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସେପଟେ ଝିଅ ଗେହ୍ଲୀ ଓ ଜୋଇଁଙ୍କ ଅବସ୍ଥା ଶୁଣି ମହେଶ୍ୱରଙ୍କ ପତ୍ନୀ ଚେତାଶୂନ୍ୟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଏତଲା ଗ୍ରହଣ ନ କରିବାରୁ ଯାଜପୁର ଜିଲା କିନ୍ନରସଂଘ ସଭାପତି କାଜଲ ନାୟକଙ୍କ ନେତୃତ୍ୱରେ ଗେହ୍ଲୀଙ୍କ ବାପଘର ଲୋକେ ଓ ଗ୍ରାମବାସୀ କୋରାଇ ଥାନାରେ ବସି ରହିଥିଲେ। କିନ୍ତୁ ଏକ ଅପମୃତ୍ୟୁ ମାମଲା ରୁଜୁହେବା ପରେ ପୁଲିସ ଆଉ ମାମଲା ରୁଜୁ କରିପାରିବ ନାହିଁ ବୋଲି ରୋକ୍‍ଠୋକ୍‍ ମନା କରିବାରୁ ବାପଘର ଲୋକେ ଆସନ୍ତକାଲି ଯାଜପୁର ଏସ୍‍ପିଙ୍କ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ଏନେଇ କୋରାଇ ଥାନାଧିକାରୀ ଚିନ୍ମୟୀ ସାହୁଙ୍କୁ ପଚାରିବାରୁ ରଞ୍ଜନଙ୍କ ବାପାଙ୍କ ଅଭିଯୋଗକୁ ଆଧାରକରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତକରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories