ଗୋପ: ଚନ୍ଦ୍ରଭାଗା ଉପକୂଳରେ କେତେକ ବିଦେଶୀ ପକ୍ଷୀ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ପକ୍ଷୀଗୁଡ଼ିକ ବାର୍ଡ଼ ଫ୍ଲୁରେ ମରିଥିବା ଆଶଙ୍କା କରାଯାଉଛି। ପକ୍ଷୀଗୁଡ଼ିକ ସମୁଦ୍ର ଉପକୂଳରେ ହଠାତ୍ ପଡ଼ି ମରି ଯାଉଥିବା ଦେଖିବାକୁ ମିଳିଥିବାବେଳେ ବନବିଭାଗ ପକ୍ଷରୁ ଏଯାବତ୍ କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଇ ନାହିଁ। ଏ ନେଇ ବନବିଭାଗ ନିକଟରେ ଖବର ଥିଲେ ମଧ୍ୟ ଏହାର ପ୍ରତିକାର ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ମଙ୍ଗଳବାର ୩ରୁ ୪ଟି ପକ୍ଷୀ ହଠାତ୍ ତଳେ ପଡ଼ି ମରିଯିବା ସହ ୨ ରୁ ୩ଟି ପକ୍ଷୀ ଅସୁସ୍ଥ ହୋଇ ପଡ଼ି ରହିଥିଲେ। ଏହି ପକ୍ଷୀଗୁଡ଼ିକୁ ଚନ୍ଦ୍ରଭାଗାର କିଛି ବ୍ୟବସାୟୀ ଉଦ୍ଧାର କରି ପରେ ସେହି ପକ୍ଷୀଙ୍କୁ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ କୋଣାର୍କ ବନଖଣ୍ଡ ଅଧିକାରୀ ଆଦିତ୍ୟ ନାରାୟଣ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି ପକ୍ଷୀ ମରିବା ସମ୍ପର୍କିତ ସୂଚନା ତାଙ୍କ ନିକଟରେ ପହଞ୍ଚିଛି। ଏ ନେଇ ଅଧିକ ତଥ୍ୟ ପାଇଁ ପ୍ରାଣୀ ଚିକିତ୍ସକଙ୍କୁ ଅବଗତ କରାଯାଇଛି। ଆସନ୍ତାକାଲି ଏହାର ଅନୁଧ୍ୟାନ କରାଯିବା ପରେ ବିଦେଶୀ ପକ୍ଷୀଙ୍କ ମୃତ୍ୟୁର ରହସ୍ୟ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି।
Popular Categories


