www.samajalive.in
Saturday, December 6, 2025
23.1 C
Bhubaneswar

ସବୁ ପଞ୍ଚାୟତରେ ଲାଗିବ ବର୍ଷାମାପକ ଯନ୍ତ୍ର; ପ୍ରତି ବ୍ଲକରେ ହେବ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ବନ୍ୟା, ବାତ୍ୟା ଓ ମରୁଡ଼ି ସମୟରେ ଲୋକଙ୍କୁ କ୍ଷତିପୂରଣ ଆକଳନ ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସ୍ୱୟଂଚାଳିତ ବର୍ଷା ମାପକ ଷ୍ଟେସନ(ଅଟୋମେଟେଡ୍‌ ରେନ୍‌ଗଜ୍‌ ଷ୍ଟେସନ) ସ୍ଥାପନ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିସହିତ ବ୍ଲକସ୍ତରରେ ୩୨୦ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର(ଅଟୋମେଟେଡ୍‌ ୱେଦର ଷ୍ଟେସନ) ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୬ହଜାର ପଞ୍ଚାୟତରେ ବର୍ଷାମାପକ ଯନ୍ତ୍ର ଲଗାଯିବ। ଏଥିରେ ପ୍ରତି ପଞ୍ଚାୟତର ବର୍ଷାକୁ ନିୟମିତ ରେକର୍ଡ କରାଯାଇ ପାରିବ। ମୌସୁମି ଓ ଅଣମୌସୁମି ସମୟରେ ବର୍ଷା ମପାଯିବ। କେଉଁ ପଞ୍ଚାୟତରେ କେତେ ତାପମାତ୍ରା, ବର୍ଷା, ଆର୍ଦ୍ରତା ବାୟୁର ପ୍ରବାହ ରହୁଛି ସେସବୁ ଏଥିରେ ମପାଯିବ। ରେନ୍‌ଗଜ ଓ ୱେଦର ଷ୍ଟେସନ୍‌ରେ ପଞ୍ଚାୟତରୁ ଆସୁଥିବା ରିପୋର୍ଟ ଆଧାରରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତି ଆକଳନ କରାଯିବ ଏବଂ ତଦନୁସାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ। ଏଥିନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟର ୩୧୪ ବ୍ଲକରୁ ବର୍ଷାର ଆନୁମାନିକ ରିପୋର୍ଟ ଏବେ ଏସ୍‌ଆର୍‌ସିଙ୍କ ନିକଟକୁ ଆସୁଛି। ଏହି କାର୍ଯ୍ୟ ତଦାରଖ କରିବାକୁ ବ୍ଲକର ମୁଖ୍ୟ କିରାଣିଙ୍କୁ ବର୍ଷା ରେକର୍ଡିଂ ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ବ୍ଲକରୁ ଠିକ୍‌ ସୂଚନା ମିଳି ପାରେନାହିଁ। ଫଳରେ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଅଟୋମେଟେଡ୍‌ ୱେଦର ଷ୍ଟେସନ ଜରିଆରେ ବାୟୁ ପ୍ରବାହ, ତାପମାତ୍ରା, ମାଟିର ଆର୍ଦ୍ରତା ଆଦି ସଂଗ୍ରହ କରାଯିବ। ନିୟମିତ ପଞ୍ଚାୟତ ଓ ବ୍ଲକସ୍ତରରୁ ରିପୋର୍ଟ ସଂଗ୍ରହ ପାଇଁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ଏକ ସେଲ୍‌ ଗଠନ କରାଯାଇ ତାହାର ଏହାକୁ ମନିଟରିଂ କରାଯିବ। ଏସ୍‌ଆର୍‌ସି ପକ୍ଷରୁ ସେହି ରିପୋର୍ଟକୁ ଜଳ ସମ୍ପଦ ବିଭାଗ, ଆଞ୍ଚଳିକ ପାଣିପାଗ କେନ୍ଦ୍ର, ରାଜସ୍ୱ ବିଭାଗକୁ ପଠାଯିବ। ଓଡ଼ିଶା ବର୍ଷା ତଦାରଖ ୱେବ୍‌ପୋର୍ଟାଲ୍‌ ଏସବୁ ତଥ୍ୟ ଉପଲବ୍ଧ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ.ଶଶି କାନ୍ତ କହିଛନ୍ତି ଯେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ର, ଆର୍ଦ୍ରତା, ବର୍ଷା, ଘଡ଼ଘଡ଼ି ସହ ବର୍ଷା, ପ୍ରବଳରୁ ଅତି ପ୍ରବଳ ବର୍ଷା ଆଦି ଜାଣିବା ପାଇଁ ବିଭିନ୍ନ ପାଣିପାଗ ଯନ୍ତ୍ରପାତି ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସାଇକ୍ଲୋନ୍‌ ଡିଟେକ୍‌ସନ୍‌ ରାଡର୍‌(ସିଡିଆର୍‌) ପାରାଦ୍ୱୀପରେ ସ୍ଥାପନ କରାଯାଇଥିବାବେଳେ ‘ଡପ୍‌ଲର୍‌ ୱେଦର ରାଡର୍‌(ଡିଡବ୍ଲୁଆର୍‌)’ ଗୋପାଳପୁରରେ ସ୍ଥାପନ କରାଯାଇଛି। ବିଶାଖାପାଟଣା ଡିଡବ୍ଲୁଆର୍‌ରୁ ଗଜପତି, ଗଞ୍ଜାମ ଓ ପୁରୀ ଜିଲା ପାଇଁ ପାଣିପାଗ ପୂର୍ବାନୁମାନ କରାଯାଉଛି। ସେହିପରି କଲକାତା ଡିଡବ୍ଲୁଆର୍‌ରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ପାଣିପାଗ ସମ୍ଭାବ୍ୟ ସୂଚନା ଦିଆଯାଇପାରୁଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଏବଂ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ରାଡର୍‌ର ତଥ୍ୟ ମଧ୍ୟ ବ୍ୟବହୃତ ହେଉ। ସଠିକ୍‌ ତଥ୍ୟ ଜାଣିବା ପାଇଁ ଇନ୍‌ସାଟ୍‌ ସୂଚନା ମଧ୍ୟ ବ୍ୟବହାର କରାଯାଉଛି। ଭୁବନେଶ୍ୱରରେ ଦୁଇଥର ଏବଂ ଝାରସୁଗୁଡ଼ାରେ ଥରେ ପାଣିପାଗ ପୂର୍ବାନୁମାନ ମପାଯାଉଛି। ବାଲେଶ୍ୱର ଓ ସମ୍ବଲପୁରରେ ‘ରାଡର’ ଏବଂ ୩୧୪ ବ୍ଲକରେ ରେନ୍‌ଗଜ ଓ ୱେଦର ଷ୍ଟେସନ୍‌ ସ୍ଥାପନ ପ୍ରସ୍ତାବ ରହିଛି। ଏହାପରେ ସାରା ରାଜ୍ୟର ପାଣିପାଗ ଓ ଜଳବାୟୁ ସମ୍ପର୍କିତ ତଥ୍ୟ ଜାଣିବାରେ ସହଜ ହେବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories