ସଜ୍ଜନର ମିଥ୍ୟା

0

ଗ୍ରାମର କୃଷକମାନେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟରେ ତଳିତଳାନ୍ତ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ମହାଜନ ଋଣ ପରିଶୋଧ ନିମନ୍ତେ ଘରର ଆସବାବପତ୍ର ବିକ୍ରି କରିଦେଇଥିଲେ। କେତେକଙ୍କ ଘରେ ଖୁଦକଣିକା ମଧ୍ୟ ନଥିଲା। ଅନ୍ନଛତ୍ରର ଖାଦ୍ୟ ଥିଲା ଏକମାତ୍ର ଭରସା। ତାହା ପୁଣି ନିୟମିତ ମିଳୁନଥିଲା। ତେଣୁ ପ୍ରାୟତଃ ଦିନଦିନ ଧରି ଉପାସ ରହିବାକୁ ପଡ଼ିଥିଲା। ଜନୈକ କୃଷକ ନିଜ ବାଳୁତ ପୁଅର ଦୁର୍ଦଶା ଦେଖି ସହ୍ୟ କରିପାରି ନଥିଲେ। ଗ୍ରାମରେ ଏଭଳିି କେହି ନଥିଲେ ଯେଉଁମାନେ ମୁକ୍ତ ମନରେ ସାହାଯ୍ୟ କରିଥାନ୍ତେ। ହଠାତ ସେହି କୃଷକଙ୍କୁ ଦୁର୍ବୁଦ୍ଧି ଗ୍ରାସକଲା। ଭୋକିଲା ପିଲାକୁ ଯେପରି ହେଲେ ବଞ୍ଚାଇ ରଖିବାକୁ ହେବ। ଏହି ଉଦ୍ଦେଶ୍ୟରେ ଗ୍ରାମଠାରୁ ବେଶ୍‌ କିଛି ଦୂରରେ ଥିବା ଅନ୍ୟ ଏକ ଗ୍ରାମର ଜଣେ ସ୍ବଚ୍ଛଳ ତଥା ସଜ୍ଜନ ବ୍ୟକ୍ତିଙ୍କର ଗୁହାଳରୁ ନିଶାର୍ଦ୍ଧରେ ତାଙ୍କର ଦୁହାଁଳିଆ ଗାଈ ଚୋରିକରି ଆଣିଲେ। ସନ୍ତାନକୁ ପେଟଭରି କ୍ଷୀର ପିଆଇବାର ସାଧନ ମିଳିଯିବାରୁ କୃଷକ ଖୁସି ହୋଇଥିଲେ।
ରାତି ପାହି ସକାଳ ହେଲା। ସକାଳୁ ସଜ୍ଜନଙ୍କ ଚାକରମାନେ ଗାଈ ଚୋରି ହେବା ଜାଣି ଏଣେତେଣେ ଖୋଜାଖୋଜି କଲେ। ବେଶ୍‌ କିଛି ଦିନ ଖୋଜିବା ପରେ କୃଷକଙ୍କ ଘରେ ଗାଈ ବନ୍ଧା ହୋଇଥିବାର ଦେଖିବାକୁ ପାଇଥିଲେ। କୃଷକ ଯେ ଚୋରି କରିଛନ୍ତି ଏହା ସାବ୍ୟସ୍ତ ହୋଇଗଲା। ସଜ୍ଜନଙ୍କ ଚାକର କୃଷକକୁ ଚୋରି କରିଥିବା ଅପରାଧରେ ଧରି ନେଇଗଲେ; ସାହିର କିଛି ଲୋକ ଏହାର ସାକ୍ଷୀ ରହିଲେ। ପଞ୍ଚାୟତ ସଭା ବସିଲା ଚୋରି କରିଥିବା କୃଷକଙ୍କୁ ଦଣ୍ଡିତ କରିବା ନିମନ୍ତେ। ପଞ୍ଚାୟତ କୃଷକଙ୍କୁ ପଚାରିଥିଲେ- ଏ ଗାଈ ତୁମେ କେଉଁଠୁ ଆଣିଛ? କୃଷକ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ- ଏହା ମୁଁ ଗୋରୁହାଟରୁ କିଣିଛି।
ପଞ୍ଚାୟତର ସଦସ୍ୟମାନେ କୃଷକଙ୍କୁ ଗୁଡ଼େଇତୁଡ଼େଇ ଅନେକ କଥା ପଚାରିଥିଲେ। କୃଷକ କିନ୍ତୁ ଏହା ଚୋରି କରିଛି ବୋଲି ଆଦୌ ସ୍ବୀକାର କରି ନଥିଲେ। ପଞ୍ଚାୟତ ଦ୍ବିଧାରେ ପଡ଼ିଗଲେ। ଚୋରି ସ୍ବୀକାର ନକଲେ ଦଣ୍ଡିତ କରିବେ ବା କିପରି? କୃଷକ ନିଜ ମତରେ ଅଟଳ ଥିଲେ। ଶେଷରେ ସଜ୍ଜନଙ୍କୁ ଡକାଯାଇଥିଲା। ସଜ୍ଜନ ପଞ୍ଚାୟତ ସଭାରେ ଉପସ୍ଥିତ ହେଲେ। ତାଙ୍କୁ ପଚରା ଯାଇଥିଲା- ଏ ଗାଈଟି ତୁମର ଚୋରି ଯାଇଥିବା ଗାଈ ତ?
ପଞ୍ଚାୟତର ଏହି ପ୍ରଶ୍ନରେ ସଜ୍ଜନ କୃଷକର ମୁହଁକୁ ଅନାଇଥିଲେ। କୃଷକଙ୍କ ଦୁଇ ଆଖି ସହ ସଜ୍ଜନଙ୍କ ଦୁଇଆଖିର ମିଳନ ହେବାମାତ୍ରେ କୃଷକ ମୁହଁ ତଳକୁ କରି ଦେଇଥିଲା। ପଞ୍ଚାୟତ ଉଦ୍ଦେଶ୍ୟରେ କହିଥିଲେ- ‘ନା, ଏ ଗାଈ ମୋର ନୁହେଁ’। ପଞ୍ଚାୟତ ସଜ୍ଜନଙ୍କ କଥା ଅନୁସାରେ ଦୋଷମୁକ୍ତ କରିଦେଇଥିଲେ କୃଷକଙ୍କୁ। ଘରେ ପହଞ୍ଚିଲା ପରେ ପ୍ରଥମେ ପଞ୍ଚାୟତରେ ସଜ୍ଜନଙ୍କ ପକ୍ଷ ରଖିବାକୁ ଉପସ୍ଥିତ ଥିବା ତାଙ୍କର ଭୃତ୍ୟ ଓ ଗୁମାସ୍ତା ପଚାରିଥିଲେ ମାଲିକ ! ଆପଣ ପଞ୍ଚାୟତ ସମ୍ମୁଖରେ ମିଛ କହିଲେ ଯେ?
ସଜ୍ଜନ ଦୀର୍ଘଶ୍ବାସ ଛାଡ଼ି କହିଥିଲେ- ‘କୃଷକର ଚକ୍ଷୁ ଦୁଇଟିରେ ମୁଁ ଦେଖିପାରିଥିଲି ତା’ର ନିଷ୍ପାପ ହୃଦୟକୁ। ଚୋରି କରିବା ନିଶ୍ଚିତରେ ପାପ, ଗର୍ହିତ କାର୍ଯ୍ୟ। ହେଲେ କୃଷକର ବିକଳ ମୁହଁ, ନିରୀହ ଆଖି ଦୁଇଟି ମଧ୍ୟରେ ମୁଁ ତା’ର ବିବଶତାକୁ ବୁଝିପାରିଥିଲି। ଯଦି ମୁଁ ସତ୍ୟ କହିଥାନ୍ତି ସେ ସଜା ଭୋଗିଥାନ୍ତା ନିଶ୍ଚୟ। ଏହି କାରଣରୁ ମିଥ୍ୟା କହି ତାକୁ ଓ ତା’ର ପରିବାରକୁ ଅଧିକ ସଂକଟଜନକ ସ୍ଥିତିରୁ ବଞ୍ଚାଇବା ପ୍ରୟାସ କରିଥିଲି।’ ସଂକଟଗ୍ରସ୍ତର ସହାୟତା ନିମନ୍ତେ ସାଧନ (ସାଫଲ୍ୟର ପବିତ୍ରତା) ନୁହେଁ, ସାଧ୍ୟ (ପ୍ରତିକାର୍ଯ୍ୟ)ର ସାତ୍ତ୍ବିକତାକୁ ହିଁ ଦେଖାଯାଇଥାଏ।

kalyan agarbati
Leave A Reply