ସଂରକ୍ଷଣକୁ ବିରୋଧ କରି ଭାରତ ବନ୍ଦ: ବିହାର,ୟୁପି, ରାଜସ୍ଥାନ,ମଧ୍ୟପ୍ରଦେଶ ଓ କେରଳରେ ହାଇଏଲାର୍ଟ

0

ନୂଆଦିଲ୍ଲୀ: ଏସସି-ଏସଟି ଆକ୍ଟରେ ପରିବର୍ତ୍ତନକୁ ବିରୋଧ କରି ୨ ଏପ୍ରିଲରେ ଦଳିତ ସଂଗଠନ ଦ୍ୱାରା ଭାରତ ବନ୍ଦର ଡାକରା ଦିଆଯାଇ ଥିଲା। ଆଜି ପୁଣି ସଂରକ୍ଷଣକୁ ବିରୋଧ କରି ଭାରତ ବନ୍ଦର ଡାକରା ଦିଆଯାଇଛି। ତେବେ ଏଭଳି ବନ୍ଦର ଡାକରା କୌଣସି ରାଜନୈତିକ ଦଳ କିମ୍ବା ସଂଗଠନ ଦେଇ ନାହାନ୍ତି। ସୋସିଆଲ ସାଇଟରେ ଭାରତ ବନ୍ଦର ପ୍ରଚାର କରାଯାଇ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଦେଶରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଏଭଳି ଏକ ଘଟଣା ଘଟିଛି। ପରିସ୍ଥିତିକୁ ଅନୁଧ୍ୟାନ କରି ଗୃହମନ୍ତ୍ରୀ ରାଜନାଥ ସିଂହ ସବୁ ରାଜ୍ୟକୁ ସତର୍କ ରହିବାର ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆରେ ସଂରକ୍ଷଣକୁ ବିରୋଧ କରି ଆଜି ଦେଶ ବ୍ୟାପୀ ବନ୍ଦ ପାଳିତ ହେଉଛି। କିଛି ରାଜ୍ୟରେ ପରିସ୍ଥିତିକୁ ଦେଖି ୧୪୪ଧାରା ଲାଗୁ କରି ଦିଆଯାଇଛି। ୨ଏପ୍ରିଲ ଘଟଣାକୁ ନେଇ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ସଂରକ୍ଷଣ ବିରୋଧୀ ସ୍ୱର ଉଠୁଥିଲା। ପରିସ୍ଥିତି କ୍ରମଶଃ ଜଟିଳ ହେବା ସହ ଏହା ଭାରତ ବନ୍ଦର ରୂପ ନେଇଥିଲା। ବିହାର ଆରା ନଗର ଅଞ୍ଚଳରେ ସଂରକ୍ଷଣକୁ ସମର୍ଥନ କରୁଥିବା ଓ ବିରୋଧ କରୁଥିବା ଗୋଷ୍ଠୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଏପରିକି ଉଭୟ ପକ୍ଷରୁ ଗୁଳିଚାଲଣା ମଧ୍ୟ କରାଯାଇଛି। ଏହା ବ୍ୟତୀତ ବିହାରରେ ରେଳ ଚଳାଚଳକୁ ବ୍ୟାପକ ଭାବରେ ପ୍ରଭାବିତ କରିଛନ୍ତି ବନ୍ଦ ସମର୍ଥକ। ଖବର ଲେଖା ହେବା ପର୍ଯ୍ୟନ୍ତ ୭ଜଣ ଗୁରୁତର ହୋଇ ଆରାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ଗୁରୁତରଙ୍କ ମଧ୍ୟରେ ଜଣେ କାର୍ଯ୍ୟରତ ଏସଡିଓ ମଧ୍ୟ ରହିଛନ୍ତି। ଏହା ବ୍ୟତୀତ ବିହାରର ଏକାଧିକ ସ୍ଥାନରେ ଲାଠିଚାର୍ଜ ହେବା ସହ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ସେହିପରି ହାଜୀପୁରଠାରେ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶବାହାଙ୍କୁ ଆନ୍ଦୋଳନକାରୀ ଦୁର୍ବ୍ୟବହାର କରିଥିବାର ଖବର ହସ୍ତଗତ ହୋଇଛି।ସଂରକ୍ଷଣ ଜାତିଭିତ୍ତିକ ନହୋଇ ଅର୍ଥନୈତିକ ଦୃଷ୍ଟିକୋଣରୁ ଦିଆଯାଉ ବୋଲି ଆନ୍ଦୋଳନକାରୀ ଦାବୀ ଉପସ୍ଥାପନ କରିଛନ୍ତି। ସେହପରି ଉତ୍ତରପ୍ରଦେଶର ମେରଠ, ସାହାରନପୁର, ମୁଜ୍ଜଫରନଗର ପ୍ରମୁଖ ଅଞ୍ଚଳରେ ବନ୍ଦର ବ୍ୟାପକ ପ୍ରଭାବ ପରିଲକ୍ଷିତ ହୋଇଛି। ଏସବୁ ସ୍ଥାନରେ ସୁରକ୍ଷା ଦୃୃଷ୍ଟିକୋଣରୁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଫିରୋଜାବାଦ ଓ ମୁଜ୍ଜଫରନଗରରେ ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ମଧ୍ୟପ୍ରଦେଶରେ ମଧ୍ୟ ଏକାଧିକ ସ୍ଥାନରେ ୧୪୪ଧାରା ଲାଗୁ କରାଯାଇ ଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ଦ୍ୱାରା ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଗୋଆଲିଅର, ମୁରେନ୍ନା, ଶିବପୁରୀ ପ୍ରମୁଖ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ସେହିପରି ରାଜସ୍ଥାନରେ ମଧ୍ୟ ଜୟପୁରରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବା ସହ ସହରରେ ୧୪୪ଧାରା ଲାଗୁ କରାଯାଇଛି। କେରଳରେ ସିବିଆଇ ଓ ବିଜେପି ବିରୋଧରେ ଆନ୍ଦୋଳନକାରୀଙ୍କ ଦ୍ୱାରା ନାରାବାଜି କରାଯିବା ସହ ଜିଲା ମୁଖ୍ୟାଳୟରେ ଧାରଣା ଦିଆଯାଇଛି।

Leave A Reply