ଶାସକଙ୍କୁ ସତ କହିବା ଗଣତନ୍ତ୍ରର ଅବିଚ୍ଛେଦ୍ୟ ଅଙ୍ଗ
ନୀଳମାଧବ ମହାନ୍ତି
ବସନ୍ତବିହାର, ନୂଆଦିଲ୍ଲୀ
କିଛିଦିନ ତଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ପ୍ରସିଦ୍ଧ ଖବରକାଗଜ ନିଉୟର୍କ ଟାଇମ୍ସର ପ୍ରକାଶକ ଏ.ଜି. ସୁଲଜବର୍ଗର ଓ ସମ୍ପାଦକ ଜେମ୍ସ ବେନେଟ୍ ରାଷ୍ଟ୍ରପତିଙ୍କୁ ରୋକଠୋକ୍ ଭାବରେ କହିଥିଲେ ଯେ ତାଙ୍କର ସାମ୍ବାଦିକ ବିରୋଧୀ ଅାକ୍ରୋଶମୂଳକ ସମାଲୋଚନା ଦେଶ ଓ ବିଦେଶରେ ହିଂସାର ବାତାବରଣ ସୃଷ୍ଟି କରୁଛି। ରଜା ବା ସର୍ବୋଚ୍ଚ ଶାସକ (ମନ୍ତ୍ରୀ)ଙ୍କୁ ନିର୍ଭୟ ହୋଇ ଏହିପରି ସତ କହିବା ଗଣତାନ୍ତ୍ରିକ ପଦ୍ଧତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଆଲୋଚନା, ଉପଦେଶ ବା ସଚେତନତା ଜରିଆରେ ଦିଆଯାଇପାରେ ଓ ଏହାର ମୂଳମଞ୍ଜି ହେଲା ସ୍ପଷ୍ଟବାଦିତା। ସମାଜର ବିଭିନ୍ନ ବର୍ଗର ନାଗରିକମାନେ, ବିଶେଷତଃ ଯେଉଁମାନେ ଜନମତ ଜାଗ୍ରତ ବା ପ୍ରଭାବିତ କରିବାରେ ଅଗ୍ରଣୀ, ଯଦି ଏହି ପ୍ରକାରର ବ୍ୟବହାର ଦେଖାଇବାରେ କୁଣ୍ଠାବୋଧ କରନ୍ତି, ତାହା ହେଲେ ଗଣତନ୍ତ୍ର ଓ ଫ୍ରି ସ୍ପିଚ୍ ବା ମୁକ୍ତ ଭାବରେ ମତ ପ୍ରକାଶର ଅଧିକାର ଯେ ବିପଦାପନ୍ନ ହେବ, ଏଥିରେ ସନ୍ଦେହ ନାହିଁ।
ଏହି ପରିପ୍ରେକ୍ଷୀରେ ଆମ ସମାଜର ଦୁଇଟି ଗୋଷ୍ଠୀର ଭୂମିକା ବିଷୟରେ ଆଲୋଚନା କରାଯାଇପାରେ। ଏହି ଦୁଇଟି ଦଳ ହେଲେ ଅମଲାତନ୍ତ୍ର ଓ ସାମ୍ବାଦିକ ଗୋଷ୍ଠୀ। ଅମଲାତନ୍ତ୍ରର କର୍ତ୍ତବ୍ୟ ହେଲା, ରାଜନୈତିକ ଶାସକ ବା ମନ୍ତ୍ରୀମାନଙ୍କୁ ନିର୍ଭୟ ହୋଇ ନିରପେକ୍ଷ ଉପଦେଶ ବା ପ୍ରସ୍ତାବ ଦେବା, ଅନିୟମିତ ଓ ଅବୈଧ ପଦକ୍ଷେପ ବିରୋଧରେ ସଚେତନ କରିବା, ରାଜ୍ୟ ଓ ଦେଶରେ ସୁଶାସନ ପାଇଁ। ଏହାଦ୍ବାରା ଜନସାଧାରଣଙ୍କର ସ୍ବାର୍ଥରକ୍ଷା କରାଯାଇପାରିବ ଓ ସମାଜର ଉନ୍ନତି ମଧ୍ୟ ହେବ।
ଅପରପକ୍ଷରେ, ସାମ୍ବାଦିକମାନଙ୍କର ଏକ ମୁଖ୍ୟ କର୍ତ୍ତବ୍ୟ ହେଉଛି ସମାଜର ତତ୍ତ୍ବାବଧାରକ (ୱାଚ୍ଡଗ୍) ଭାବରେ କାର୍ଯ୍ୟ କରିବା। ମିଡ଼ିଆ ବା ଖବରକାଗଜ, ରେଡ଼ିଓ ଓ ଟିଭି ଇତ୍ୟାଦି ବାର୍ତ୍ତାବାହକ ସଂସ୍ଥା ସମୂହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଧରାଯାଏ। ଅନ୍ୟ ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କ ଭଳି ପବ୍ଲିକ ଗୁଡ଼୍ ବା ସର୍ବସାଧାରଣଙ୍କର କଲ୍ୟାଣରେ କାର୍ଯ୍ୟ କରିବା ହେଉଛି ମିଡ଼ିଆର ପ୍ରାଥମିକ ଦାୟିତ୍ବ। ଏହାର ଅର୍ଥ ହେଲା ଯେ ସାମ୍ବାଦିକମାନେ ନିରପେକ୍ଷ, ନ୍ୟାୟସଙ୍ଗତ, ନିର୍ଭୁଲ ଓ ନିର୍ଭରଯୋଗ୍ୟ
ସମ୍ବାଦ ପରିବେଷଣ କରିବା ସାଙ୍ଗକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଘଟଣା ଓ ସମସ୍ୟାମାନଙ୍କ ଉପରେ ଦାୟିତ୍ବମୂଳକ ଟିପ୍ପଣୀ ବା ମନ୍ତବ୍ୟ ଦେବେ ଓ ସମ୍ପାଦକୀୟ ଲେଖିବେ। ଏହି ପରିପ୍ରେକ୍ଷୀରେ ଆମ ଦେଶର ଅମଲାତନ୍ତ୍ର ଓ ସାମ୍ବାଦିକମାନଙ୍କର ଭୂମିକା ବିଷୟରେ ଆଲୋଚନା କରାଯାଇପାରେ।
ଦେଶସ୍ବାଧୀନ ହେଲାପରେ, ସର୍ଦାର ପଟେଲ, ଜବାହରଲାଲ ନେହେରୁ ପ୍ରମୁଖ ସ୍ବାଧୀନ ଭାରତର ନିର୍ମାତାମାନେ ଉତ୍କର୍ଷ, ଯୋଗ୍ୟତା ଉପରେ ଆଧାରିତ ବେସାମରିକ ପ୍ରାଶାସନିକ ସଂସ୍ଥା ବା ସିଭିଲ ସର୍ଭିସ ସ୍ଥାପନ କରିଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଓ ଆଶା ଥିଲା ଯେ ଏହି ସଂସ୍ଥାର ବୁଦ୍ଧିସମ୍ପନ୍ନ, ଅନୁଭବୀ ସଦସ୍ୟମାନେ ସ୍ପଷ୍ଟବାଦୀ ହୋଇ ବିଭିନ୍ନ ସମସ୍ୟାର ତର୍ଜମା କରିବେ, ଶାସକ (ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ)ମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବେ ଓ ଦରକାର ହେଲେ, ଚେତାବନୀ ଦେଇ ସେମାନଙ୍କୁ ସଂଯତ କରିବେ।
ସ୍ବାଧୀନତା ପରେ ପ୍ରାୟ ୨୫-୩୦ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟ ପଦ୍ଧତି ମୋଟାମୋଟି ସୁରୁଖୁରୁରେ ଚାଲିଲା। ଉଭୟ ସରକାରୀ ଅଫିସର ଓ ରାଜନୈତିକ ନେତାମାନେ ନିଜର ଗୃହୀତ ଭୂମିକା ବିଷୟରେ ଅବଗତ ଥିଲେ ଓ ପରସ୍ପର ପ୍ରତି ସମ୍ମାନ ମଧ୍ୟ ପ୍ରଦର୍ଶନ କରୁଥିଲେ। ସେ ସମୟର ରାଜନୈତିକ ଶାସକମାନେ- ନେହେରୁ, ସରଦାର ପଟେଲ, ବିଧାନ ରାୟ, ହରେକୃଷ୍ଣ ମହତାବ ପ୍ରମୁଖ ଅଭିଜ୍ଞ ଅଫିସରମାନଙ୍କ ମତକୁ ଗୁରୁତ୍ବ ଦେଇଥିଲେ ଓ ସେମାନଙ୍କର ନିଜ ମତରୁ ଅଲଗା ହେଲେ ମଧ୍ୟ ଆଦର ପ୍ରଦର୍ଶନ କରୁଥିଲେ। ତତ୍କାଳୀନ ଅଫିସରମାନଙ୍କର ମଧ୍ୟ ପବ୍ଲିକ ସର୍ଭିସ ବା ସର୍ବସାଧାରଣଙ୍କର ସେବା ପାଇଁ ଆଗ୍ରହ ଥିଲା ଓ େଯକୌଣସି ପ୍ରକାରେ ଧନୀ ହୋଇଯିବା ପାଇଁ ମନୋବୃତ୍ତି ଆସି ନଥିଲା।
ପ୍ରାୟ ୧୯୭୦ ଦଶକର ଦ୍ବିତୀୟ ଭାଗରୁ ଏହି ଅବସ୍ଥାର ପରିବର୍ତ୍ତନ ହେବା ଆରମ୍ଭ ହେଲା। ୧୯୭୫ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲାପରେ ‘କମିଟେଡ଼ ବ୍ୟୁରୋକ୍ରାସି’ ବା ପ୍ରତିଶ୍ରୁତିବଦ୍ଧ ଅମଲାତନ୍ତ୍ର ସମ୍ପର୍କରେ ପ୍ରଚାର କରାଗଲା। କୁହାଗଲା ଯେ ସରକାରୀ ଅଫିସର ସଫଳ ହେବାକୁ ହେଲେ, ଶାସନରେ ଥିବା ରାଜନୈତିକ ନେତା ଓ ଦଳର ତତ୍ତ୍ବ ବା ଆଦର୍ଶ ପ୍ରତି ଆସ୍ଥା ଦେଖାଇବେ ଓ ସେହି ଅନୁସାରେ ନିଜର କାର୍ଯ୍ୟ ପରିଚାଳନା କରିବେ। ସେହି ଦିନଠାରୁ ଉଭୟ ରାଜନୈତିକ ଓ ଅମଲାତାନ୍ତ୍ରିକ ଚିନ୍ତାଧାରାରେ ପରିବର୍ତ୍ତନ ହୋଇଥିବା ମନେହୁଏ। ଯଦିଓ ଅନେକ ଅଫିସର ଏବେ ମଧ୍ୟ ସ୍ବାଧୀନ ମନୋଭାବ ରଖି ଉପଯୁକ୍ତ ପରାମର୍ଶ ଦେଉଛନ୍ତି, ଆଉ ଅନେକ ଏମିତି ବି ଅଛନ୍ତି ଯେଉଁମାନେ ତାଙ୍କର ରାଜନୈତିକ ନିଯୁକ୍ତିଦାତାମାନଙ୍କର ଦୃଷ୍ଟିକୋଣ ସହିତ ତାଳ ମିଳାଇ କାର୍ଯ୍ୟ କରିବାରେ କୁଣ୍ଠାବୋଧ କରନ୍ତିନାହିଁ। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇର ବିବର୍ତ୍ତନ ଏହାର ଏକ ଜ୍ବଳନ୍ତ ଉଦାହରଣ। ଦିନଥିଲା ଯେତେବେଳେ ସିବିଆଇ ଦେଶର ଏକ ସ୍ବାଧୀନ ଓ ନିରପେକ୍ଷ ଅନୁସନ୍ଧାନକାରୀ ସଂସ୍ଥା ଭାବେ ସୁନାମ ଅର୍ଜନ କରିଥିଲା। ଏହାର ମୁଖ୍ୟ ବା ନିର୍ଦେଶକ ନିର୍ଭୀକ ଓ ଦୃଢ଼ ଭାବରେ ନିଜର ଏବଂ ନିଜ ଅନୁଷ୍ଠାନର ସ୍ବାଧୀନତା ବଜାୟ ରଖୁଥିଲେ। ବର୍ତ୍ତମାନ ସେହି ସଂସ୍ଥାକୁ ‘ପିଞ୍ଜରାବଦ୍ଧ ଶୁଆ’ ଆଖ୍ୟା ଦିଆହେଉଛି।
ତା’ଛଡ଼ା ୧୯୯୦ ଦଶକଠାରୁ ଅର୍ଥନୈତିକ ଉଦାରୀକରଣ, ଜଗତୀକରଣ ଓ ବଜାର ବା ମାର୍କେଟର ପ୍ରାଧାନ୍ୟ ଅନେକ ନାଗରିକଙ୍କ ମନରେ ଅପର୍ଯ୍ୟାପ୍ତ ଟଙ୍କା ଅର୍ଜନ କରି ଶୀଘ୍ର ଧନୀ ହୋଇଯିବା ପ୍ରବୃତ୍ତିକୁ ଉତ୍ସାହିତ କରୁଛି। ଅମଲାତନ୍ତ୍ର ଏଥିରୁ ବାଦ ପଡ଼ିନାହିଁ। ଏହା ଶାସନରେ ସମସ୍ୟା ସୃଷ୍ଟି କରିବା ସାଙ୍ଗକୁ ରାଜନୈତିକ ନେତାମାନଙ୍କୁ ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ପ୍ରଶ୍ରୟ ଦେଉଛି।
ଏହିି ସବୁ ଘଟଣା ଯୋଗୁଁ ଅମଲାତନ୍ତ୍ରର ‘ରଜାକୁ ସତ କହିବା ପରମ୍ପରା ମଳିନ ହୋଇଯାଇଥିବା ମନେହୁଏ। ଗଣମାଧ୍ୟମରେ ମଧ୍ୟ ସେହିପରି ସ୍ଥିତି ପରିଲକ୍ଷିତ ହେଉଛି। ସ୍ବାଧୀନତା ପରେ ପ୍ରାୟ ୩୦ ବର୍ଷ ପର୍ଯ୍ୟନ୍ତ ଦେଶରେ ସ୍ବାଧୀନ ଓ ନିର୍ଭୀକ ସମ୍ବାଦପତ୍ର ଗୋଷ୍ଠୀ ବା ପ୍ରିଣ୍ଟ ମିଡ଼ିଆ ଗଢ଼ିଉଠିଥିଲା। ନିରପେକ୍ଷ ଓ ଠିକ ସମ୍ବାଦ ଦେବାଛଡ଼ା ଆଉ ଦୁଇଟି ରୂପରେ ଏହି ନିର୍ଭୀକତା ପ୍ରକାଶ ପାଇଥିଲା। ପ୍ରଥମଟି ହେଲା ଅନୁସନ୍ଧାନମୂଳକ ସାମ୍ବାଦିକତା (ଇନ୍ଭେଷ୍ଟିଗେଟିଭ ଜର୍ନାଲିଜିମ୍) ଓ ଦ୍ବିତୀୟଟି ହେଲା ବିଜ୍ଞ ଓ ସ୍ବାଧୀନ ସମ୍ପାଦକଙ୍କ ଉପସ୍ଥିତି। ଏହି ଦୁଇଟି ମାଧ୍ୟମରେ ସମ୍ବାଦପତ୍ର ସମୂହ ବିଭିନ୍ନ କ୍ଷେତ୍ରରେ ଶାସକ ବା ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ସତ୍ୟର ଆଭାସ ଦେଉଥିଲେ ଓ ଦରକାର ପଡ଼ିଲେ, ସଚେତନ ମଧ୍ୟ କରୁଥିଲେ।
ଅନୁସନ୍ଧାନକାରୀ ସାମ୍ବାଦିକ ତଦନ୍ତ ଦ୍ବାରା ବିଭିନ୍ନ ତ୍ରୁଟି ବା ଅପକର୍ମ ବିଷୟରେ ପ୍ରକାଶ କରି ସାଧାରଣ ଲୋକଙ୍କ ଗୋଚରକୁ ଆଣୁଥିଲେ। ସମ୍ବାଦପତ୍ର ଓ ପତ୍ରିକାଗୁଡ଼ିକର ସୁନାମ ବା ପ୍ରତିଷ୍ଠା ସେମାନଙ୍କର ସମ୍ପାଦକମାନଙ୍କର ବ୍ୟକ୍ତିତ୍ବ, ଜ୍ଞାନ ଓ ସାଧୁତା ସହ ଓତପ୍ରୋତ ଭାବରେ ଜଡ଼ିତ ଥିଲା। ଜାତୀୟ ସ୍ତରରେ ଦୁର୍ଗାଦାସ, ଫ୍ରାଙ୍କ୍ ମୋରାସ୍, ସିଆର ଇରାନୀ ଓ ଶ୍ୟାମଲାଲଙ୍କ ଭଳି ସମ୍ପାଦକମାନଙ୍କର ମତାମତକୁ ବିଭିନ୍ନ କ୍ଷେତ୍ରର ନେତୃସ୍ଥାନୀୟ ବ୍ୟକ୍ତିମାନେ ଗମ୍ଭୀର ଭାବରେ ବିଚାର କରୁଥିଲେ। ଆମ ରାଜ୍ୟରେ ରାଧାନାଥ ରଥ, ବାଳକୃଷ୍ଣ କର ଓ ଗୋଦାବରୀଶ ମହାପାତ୍ରଙ୍କ ଭଳି ସମ୍ପାଦକମାନଙ୍କର ସେହି ପ୍ରକାରର ପ୍ରତିଭା ଓ ଖ୍ୟାତି ଥିଲା।
୧୯୭୫ ମସିହାରେ େଘାଷିତ ଜରୁରୀକାଳୀନ ପରିସ୍ଥିତି ଗଣମାଧ୍ୟମର ସ୍ବାଧୀନତାକୁ ମଧ୍ୟ ଆଘାତ କରିଥିଲା। ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣୀଙ୍କ ଭାଷାରେ ‘ଯେତେେବଳେ ସାମ୍ବାଦିକମାନଙ୍କୁ ମୁଣ୍ଡ ନୁଆଇଁବାକୁ କୁହାଗଲା, ସେମାନେ ଗୁରୁଣ୍ଡିବାକୁ ଲାଗିଲେ’। ତା’ପରଠାରୁ ଆଜି ପର୍ଯ୍ୟନ୍ତ ଦେଶର ଦୃଶ୍ୟମାନ କେତୋଟି ସାମାଜିକ ଓ ରାଜନୈତିକ ଘଟଣାର ଗତି (ଟ୍ରେଣ୍ଡ) ଗଣମାଧ୍ୟମର ‘ରାଜା’ଙ୍କୁ ସତ କହିବା’ର ପ୍ରବୃତ୍ତିକୁ ଚାପି ଦେଉଛି ବୋଲି ମନେହୁଏ।
ଆମ ସମାଜର କ୍ରମବର୍ଦ୍ଧିଷ୍ଣୁ ରାଜନୀତିକରଣ ଓ ଅନ୍ୟ ପେସାମାନଙ୍କ ତୁଳନାରେ ରାଜନୀତିଜ୍ଞମାନଙ୍କ ପ୍ରାଧାନ୍ୟ ସାମ୍ବାଦିକମାନଙ୍କୁ ପ୍ରଭାବିତ କରିବାର ଜଣାପଡ଼େ। ଫଳତଃ ଅନେକ ସ୍ଥାନରେ ସାମ୍ବାଦିକମାନେ ତାଙ୍କର ଲେଖା ଓ ମନ୍ତବ୍ୟରେ ପକ୍ଷପାତ ବା ଦଳଗତମୂଳକ ମନୋଭାବ ଅବଲମ୍ବନ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। ଏହା ଟେଲିଭିଜନ ସମ୍ବାଦ ପରିବେଷଣ କ୍ଷେତ୍ରରେ ବେଶ୍ ଦୃଶ୍ୟମାନ। କେତେକ ସ୍ଥଳରେ ଜଣାଶୁଣା ସାମ୍ବାଦିକ ଓ ସମ୍ପାଦକ ନିର୍ଦିଷ୍ଟ ରାଜନୈତିକ ଦଳରେ ରହି ଅଥବା ସାମିଲ ହୋଇ ବିଧାୟକ ବା ସଂାସଦ ହେବାକୁ ପଦକ୍ଷେପ ନେଉଛନ୍ତି। ଏହାଦ୍ବାରା ସେମାନଙ୍କର ନିରପେକ୍ଷତା ଓ ପ୍ରତିଷ୍ଠାରେ ଯେ ଆଞ୍ଚ ଆସୁଛି, ଏଥିରେ ସନ୍ଦେହ ନାହିଁ।
୧୯୯୦ ଦଶକଠାରୁ ଆରମ୍ଭ ହୋଇଥିବା ଅର୍ଥନୈତିକ ଉଦାରୀକରଣ, ଜଗତୀକରଣ ଓ ବଜାରର ପ୍ରାଧାନ୍ୟ ଗଣମାଧ୍ୟମର କାର୍ଯ୍ୟ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ଆଣିଛି। ଜାତୀୟ ସ୍ତରରେ କର୍ପୋରେଟ ବା ବ୍ୟାବସାୟିକ ଅନୁଷ୍ଠାନମାନେ ଗଣମାଧ୍ୟମ କମ୍ପାନୀମାନଙ୍କର ମାଲିକାନା ହାସଲ କରିବା ଦ୍ବାରା ତାଙ୍କର ଓ ତା’ସାଙ୍ଗକୁ ସରକାରଙ୍କର ଆର୍ଥିକ ଓ ରାଜନୈତିକ ସ୍ବାର୍ଥ ସମ୍ପର୍କିତ ସମ୍ବାଦ ପରିବେଷଣ ଓ ବିଶ୍ଳେଷଣରେ ପ୍ରତିବିମ୍ବିତ ହେବା ସ୍ବାଭାବିକ। ଏହାଛଡ଼ା ସରକାରୀ ଓ କର୍ପୋରେଟ ବିଜ୍ଞାପନ ମଧ୍ୟ ସମ୍ବାଦସଂସ୍ଥାମାନଙ୍କର ଆର୍ଥିକ ଅବସ୍ଥା ଲାଘବ କରିବାରେ ସହାୟକ ହୋଇଥାଏ।
ଏହି ପରିପେକ୍ଷୀରେ ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଭାରତୀୟ ଗଣମାଧ୍ୟମରେ ନିରପେକ୍ଷତା ଓ ସ୍ବାଧୀନତାର ମାତ୍ରା କମିଯାଉଛି ଓ ଅନୁସନ୍ଧାନମୂଳକ ସାମ୍ବାଦିକତାର ଭାଗ ହ୍ରାସ ହୋଇଯାଉଛି। ଆଜିକାଲିକା ରାଜନୈତିକ ନେତା ଓ କର୍ପୋରେଟ ମାଲିକମାନଙ୍କର ଶିକ୍ଷିତ ଓ ଭିନ୍ନ ମତାମତ ପାଇଁ ଏତେଟା ଆଦର ନାହିଁ ଓ ସେମାନେ ସ୍ବାଧୀନ ମତାବଲମ୍ବୀ ଓ ଟାଣୁଆ ସମ୍ପାଦକମାନଙ୍କୁ ପସନ୍ଦ କରନ୍ତି ନାହଁି। ଏହି ପରିସ୍ଥିତିରେ ଗଣମାଧ୍ୟମର ‘ରଜାଙ୍କୁ ସତ କହିବା’ କର୍ତ୍ତବ୍ୟରେ ଯେ ବାଧା ଆସୁଛି, ଏଥିରେ ସନ୍ଦେହ ନାହିଁ। ଏହି ସବୁ ଘଟଣାକ୍ରମ ଆମଦେଶର ଗଣତାନ୍ତ୍ରିକ ପଦ୍ଧତି ଉପରେ କି ପ୍ରକାରର ପ୍ରଭାବ ପକାଉଛି ତାହା ଆମ ସମସ୍ତଙ୍କର ଚିନ୍ତାର ବିଷୟ ହେବା ଉଚିତ।