www.samajalive.in
Saturday, December 6, 2025
23.1 C
Bhubaneswar

ଶତ୍ରୁତାରୁ ଘରପୋଡ଼ି

ମହୀଧରପୁର: ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ବରସାହିରେ ଗତକାଲି ରାତିରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ରାତି ଅଧରେ ବରସାହିର ମନୋଜ ବେହେରା, କାର୍ତ୍ତିକ ବେହେରା ଏବଂ ଟୁଲିଆ ବେହେରା ପ୍ରଥମେ ରାତି ସାଢ଼େ ୧୧ଟା ବେଳେ ସେଇ ବରସାହିର ରମେଶ ଚନ୍ଦ୍ର ପାଳଙ୍କ ପୁଅ ସନାତନ ପାଳଙ୍କ ମଧ୍ୟରେ ଝଗଡ଼ା ହୋଇ ମାର୍‌ପିଟ ହୋଇଥିଲା। ରାତି ୧୨ଟା ବେଳେ ସେମାନେ ସନାତନଙ୍କ ଘରେ ପଶି ସନାତନ ପାଳଙ୍କ ବାପା, ଦାଦା ଏବଂ ସନାତନଙ୍କ ମା’କୁ ଆକ୍ରମଣ କରିଥିଲେ। ୪ ଜଣଙ୍କୁ ପିଟିବା ପରେ ବି ସେମାନଙ୍କ ମନ ଶାନ୍ତ ହୋଇନଥିଲା। ଶେଷରେ ସେମାନେ ସନାତନ ଗୁହାଳ ଏବଂ ଛାତ ଘରକୁ ଲାଗିଥିବା ରହଣି ଘରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ଦେଖି ସାହି ଲୋକ ଉଠିଥିଲେ। ଗୁହାଳରେ ୪ଟି ଗୋରୁ ବନ୍ଧା ହୋଇଥିଲେ, ଗୋରୁଗୁଡ଼ିକ ନିଆଁ ଧାସରେ ଏପଟ ସେପଟ ହେବା ଦେଖି ସାହି ଲୋକ ଗୋରୁଙ୍କ ବେକରୁ ପଘା ଖୋଲି ଦେଇଥିଲେ। ନିଆଁ ଜଳିବା ପରେ ରହଣି ଘରେ ଥିବା କଂସାବାସନ ଏବଂ ସମସ୍ତ ଆସବାବପତ୍ର ପାଉଁଶ ହୋଇଯାଇଥିଲା। ଘରେ ନିଆଁ ଲଗାଇବା ଆଗରୁ ପ୍ରଥମେ ସେମାନେ ଘର ବାହାରୁ ଭିତରେ ଶୋଇଥିବା ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାହାରକୁ ଡାକିଥିଲେ। ବାହାରକୁ ସେମାନେ ନବାହାରିକାରୁ ଘରେ ଲାଗିଥିବା କବାଟକୁ ମାରଣାସ୍ତ୍ରରେ ହାଣି ପକାଇଥିଲେ। ଏତିକି ଘଟଣା ଘଟିବା ପରେ ତୁରନ୍ତ ସନାତନଙ୍କ ଦାଦା ଫାଣ୍ଡିରେ ପହଞ୍ଚି ଫାଣ୍ଡି ବାବୁଙ୍କୁ ଖବର ଦେଇଥିଲେ।
ଫାଣ୍ଡି ଅଧିକାରୀ ପହଞ୍ଚି ପ୍ରଥମେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ କିଛି ମାତ୍ରାରେ ଆୟତ୍ତ କରିଥିଲେ। ତା’ ପୂର୍ବରୁ ନିଆଁ ଲାଗି ଦୁଇ ବଖରା ଘର ଭସ୍ମୀଭୂତ ହୋଇସାରିଥିଲା। ଫାଣ୍ଡି ଅଧିକାରୀ ବଅଁରପାଳ ଥାନାକୁ ଖବର ଦେବାରୁ ବଅଁରପାଳ ଥାନା ଆସି ଘଟଣା ଘଟାଇଥିବା ବରସାହିର ମନୋଜ ବେହେରା, କାର୍ତ୍ତିକ ବେହେରା ଏବଂ ଟୁଲିଆ ବେହେରାକୁ ଥାନାକୁ ନେଇ ଆସିଥିଲେ। ଏ ସବୁ ଘଟଣାକୁ ନେଇ ଆଜି ଦିନ ୧୦ଟା ବେଳେ ରମେଶ ବଅଁରପାଳ ଥାନାରେ ତାଙ୍କୁ ତାଙ୍କ ପୁଅ ଏବଂ ସ୍ତ୍ରୀକୁ ମାଡ଼ ମାରିଥିବା ଏବଂ ଘର ପୋଡ଼ି ଦେଇଥିବା କାର୍ତ୍ତିକ, ମନୋଜ ଏବଂ ଟୁଲିଆଙ୍କ ନାଁରେ ଅଭିଯୋଗ କରି ଉଚିତ ନ୍ୟାୟ ପ୍ରଦାନ ପାଇଁ ଆବେଦନ କରିଛନ୍ତି। ଏ ସବୁ ଘଟଣାକୁ ନେଇ କିନ୍ତୁ କାର୍ତ୍ତିକ, ମନୋଜ ଏବଂ ଟୁଲିଆଙ୍କଠାରୁ କିଛି ପାରିବାରିକ ଅଶାନ୍ତି କଥା ଶୁଣିବାକୁ ମିଳୁଛି। ସେମାନେ ଅଭିଯୋଗ କରୁଛନ୍ତି ଯେ ରମେଶ ପାଳଙ୍କ ପୁଅ ସନାତନ ଆମ ପରିବାର ଭିତରେ ଅଶାନ୍ତି ସୃଷ୍ଟି କରୁଛି। ଘର ପୋଡ଼ିଦେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହିତ ଆଇନକୁ ହାତକୁ ନେବା ଠିକ୍‍ ନୁହେଁ ବୋଲି ମତାମତ ପ୍ରକାଶ ପାଇଛି। ବଅଁରପାଳ ଥାନା ଅଧିକାରୀ ଅଧିକ ତଦନ୍ତ ଏବଂ ଘଟଣାର ସତ୍ୟାସତ୍ୟ ପାଇଁ ମହୀଧରପୁର ଫାଣ୍ଡି ଅଧିକାରୀ ଗୋକୁଳାନନ୍ଦ ପଣ୍ଡାକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories