ମହିଳା ସାମ୍ବାଦିକଙ୍କ ଗାଲ ଛୁଇଁ ଭୁଲ ମାଗିଲେ ତାମିଲନାଡ଼ୁ ରାଜ୍ୟପାଳ
ଚେନ୍ନାଇ: ତାମିଲନାଡ଼ୁ ରାଜ୍ୟପାଳ ବନୱାରି ଲାଲ ପୁରୋହିତ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କ ଗାଲରେ ହାତ ଦେଇ ହଟହଟା ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ ଉକ୍ତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ତାଙ୍କ ଗାଲରେ ହାତ ଦେଇ ଏଡ଼ାଇ ଯାଇଥିଲେ। ଏଭଳି ଘଟଣାକୁ ନେଇ ସମ୍ପୃକ୍ତ ସାମ୍ବାଦିକ ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିବା ସହ ଏଭଳି ଘଟଣାର ତୀବ୍ର ନିନ୍ଦା କରିଥିଲେ। ଏହା ବ୍ୟତୀତ ରାଜ୍ୟପାଳଙ୍କ ଏଭଳି ଆଚରଣ ବିରୋଧରେ ତାଙ୍କୁ ଇ-ମେଲ ମାଧ୍ୟମରେ ଅବଗତ ମଧ୍ୟ କରିଥିଲେ। ଘଟଣାର କିଛି ସମୟ ମଧ୍ୟରେ ରାଜ୍ୟପାଳ ତାଙ୍କ ଆଚରଣ ପାଇଁ ଭୁଲ ସ୍ୱୀକାର କରିବା ସହ ତାଙ୍କ ଆଚରଣ ଜଣେ ଅଜା ଓ ନାତୁଣୀର ସମ୍ପର୍କ ସହ ତୁଳନା କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ତାମିଲନାଡ଼ୁର ଅରୁପାକୋଟ୍ଟାଇର ଦବାଙ୍ଗ ଆର୍ଟ କଲେଜର ଜଣେ ମହିଳା ଅଧ୍ୟାପିକା ଛାତ୍ରଛାତ୍ରୀଙ୍କୁ ଅଧିକ ନମ୍ବର ଦେବା ପ୍ରତିବଦଳରେ କଲେଜର କର୍ମଚାରୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣା ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଉକ୍ତ ମହିଳା ଅଧ୍ୟାପିକାଙ୍କୁ ଗିରଫ କରାଯାଇ ଥିଲା। ମହିଳା ଅଧ୍ୟାପିକାଙ୍କ ଫୋନରେ ରାଜ୍ୟପାଳଙ୍କ ସହ ତାଙ୍କ ସମ୍ପର୍କର କଲ ରେକର୍ଡ଼ ପଦାକୁ ଆସିଥିଲା। ଏହି ଘଟଣାରେ ନିଜ ପକ୍ଷ ରଖିବାକୁ ତାମିଲନାଡ଼ୁ ରାଜ୍ୟପାଳ ବନୱାରି ଲାଲ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।