www.samajalive.in
Friday, December 5, 2025
26.1 C
Bhubaneswar

ଭାରତ-ସାଉଦି ସମ୍ବନ୍ଧ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ଶୋକାକୁଳ ଥିବାବେଳେ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ଭାରତ ଆସିବା ସଂଯୋଗ ମାତ୍ର; କିନ୍ତୁ ଆତଙ୍କବାଦର ଲଢ଼େଇରେ ଉଭୟ ଦେଶ ସହଯୋଗ କରିବେ ବୋଲି ପରସ୍ପରକୁ ପ୍ରତିଶ୍ରୁତି ଦେବା କିଛିଟା ଗୁରୁତ୍ବ ରଖେ। ସଲମାନ ଭାରତକୁ ଆସିବା ପୂର୍ବରୁ ପାକିସ୍ତାନ ଯାଇଥିଲେ। ସେ ସେଠାରୁ ସିଧା ଭାରତ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା; କିନ୍ତୁ ପୁଲୱାମା ଆକ୍ରମଣ ପରେ ସେ ସାଉଦି ଆରବକୁ ଫେରିଯାଇ ପୁଣି ଭାରତ ଆସିଥିଲେ। ଏଥିରୁ ଭାରତ ପ୍ରତି ତାଙ୍କର ସମ୍ବେଦନଶୀଳତା ଜଣାପଡ଼ୁଛି। ଦିଲ୍ଲୀରେ ମନ୍ତବ୍ୟ ଦେଇ ସେ ସିଧାସଳଖ ପୁଲୱାମା ଆକ୍ରମଣକୁ ନିନ୍ଦା କରିନାହାନ୍ତି, କିନ୍ତୁ କହିଛନ୍ତି ଯେ ଆତଙ୍କବାଦ ନେଇ ଭାରତ ଓ ସାଉଦି ଆରବର ଭାବନା ସମାନ। ଏହି ଲଢ଼େଇରେ ଗୁଇନ୍ଦା ସୂଚନା ସହ ଅନ୍ୟ ବିଷୟରେ ତାଙ୍କ ଦେଶ ଭାରତକୁ ସହଯୋଗ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଭୁଲିଯିବା ଅନୁଚିତ ଯେ ପାକିସ୍ତାନରେ ମଧ୍ୟ ସେ ଠିକ୍‌ ସେହି ସମାନ କଥା କହିଥିଲେ। ଆତଙ୍କବାଦ ଲଢ଼େଇରେ ପାକିସ୍ତାନ ଓ ସାଉଦି ଆରବ ଏକାଠି ରହିଛନ୍ତି ବୋଲି ମିଳିତ ବିବୃତିରେ କୁହାଯାଇଥିଲା। ଅତଏବ ସେ ଭାରତ ଓ ପାକିସ୍ତାନ ଉଭୟ ଦେଶକୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି।
ଅନ୍ୟପକ୍ଷରେ ସଲମାନଙ୍କ ଭାରତ ଗସ୍ତ ଅବସରରେ ଉଭୟ ଦେଶ ଭିତରେ ପାଞ୍ଚଟି ଚୁକ୍ତି ମଧ୍ୟ ସ୍ବାକ୍ଷର ହୋଇଛି, ଯେଉଁଥିରେ ‘ନେସନାଲ ଇନଭେଷ୍ଟମେଣ୍ଟ ଏଣ୍ଡ୍ ଇନ୍‌ଫ୍ରାଷ୍ଟ୍ରକଚର ଫଣ୍ଡ୍’ରେ ନିବେଶ ତଥା ପର୍ଯ୍ୟଟନ କ୍ଷେତ୍ର ଅନ୍ତର୍ଭୁକ୍ତ। ଆହୁରି ମଧ୍ୟ ପ୍ରସାର ଭାରତୀ ଓ ସାଉଦି ବ୍ରଡ଼କାଷ୍ଟ କର୍ପୋରେସନ ମଧ୍ୟରେ ଚୁକ୍ତି ହୋଇଛି। ସୂଚନାଯୋଗ୍ୟ, ସାଉଦି ଆରବରେ ରୋଜଗାର ପାଇଁ ଲକ୍ଷଲକ୍ଷ ଭାରତୀୟ ରହୁଛନ୍ତି। ୨୦୧୬ର ଏକ ତଥ୍ୟ ଅନୁସାରେ ସେଠାରେ ଏହି ସଂଖ୍ୟା ୩୦ ଲକ୍ଷରୁ ଅଧିକ। ସାଉଦି ଆରବରୁ ତୈଳ ଆମଦାନୀ କରିବାରେ ଭାରତ ଏକ ଅଗ୍ରଣୀ ଦେଶ। ୨୦୧୪-୧୫ରେ ଉଭୟ ଦେଶ ମଧ୍ୟରେ ପ୍ରାୟ ୩୯୦୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ବ୍ୟବସାୟର ପରିମାଣ ୬୦୦ କୋଟି ଟଙ୍କାର। ତେବେ ଏଥିରେ ସନ୍ଦେହ ନାହିଁ ଯେ ସାଉଦି ଆରବ ଓ ପାକିସ୍ତାନ ଭିତରେ ପ୍ରତିରକ୍ଷା ସମ୍ବନ୍ଧ ଖୁବ୍ ସୁଦୃଢ଼। ଅବଶ୍ୟ ୨୦୧୪ରେ ଭାରତ-ସାଉଦି ଆରବ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହୋଇଥିଲା, ଯେଉଁଥିରେ ସୂଚନା ଆଦାନପ୍ରଦାନ ଓ ସୈନ୍ୟ ପ୍ରଶିକ୍ଷଣ ଭଳି ପ୍ରସଙ୍ଗ ସ୍ଥାନ ପାଇଥିଲା। ବର୍ତ୍ତମାନ ସ୍ଥିତିରେ ସାଉଦି ଆରବ ସହ ଭାରତର ସୁସମ୍ପର୍କ ବେଶ୍ ଗୁରୁତ୍ବ ରଖୁଛି, କାରଣ ପାକିସ୍ତାନ ସହ ମଧ୍ୟ ଏହି ଦେଶର ସୁସମ୍ପର୍କ ରହିଛି।
ଯୁବରାଜ ସଲମାନ ନିଜ ଦେଶକୁ ଏକ ଆଧୁନିକ ରାଷ୍ଟ୍ର କରିବାକୁ ଚାହୁଁଥିବା ତାଙ୍କ କାର୍ଯ୍ୟକଳାପରୁ ଜଣାପଡ଼ୁଛି। ତେବେ ନିକଟ ଅତୀତରେ ତୁର୍କୀସ୍ଥିତ ସାଉଦି ଦୂତାବାସରେ ସାମ୍ବାଦିକ ଜମାଲ ଖାସୋଗିଙ୍କ ବର୍ବର ହତ୍ୟାକାଣ୍ଡରେ ସଲମାନଙ୍କ ସଂପୃକ୍ତି ନେଇ ଆମେରିକାର ସିଆଇଏ ପ୍ରକାଶ କରିବା ପରେ ତାଙ୍କ ଭାବମୂର୍ତ୍ତି ମଳିନ ହୋଇଛି। ତାକୁ ସୁଧାରିବାକୁ ସେ ଚେଷ୍ଟା କରୁଛନ୍ତି। ଭାରତ ସେଥିପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରିବା ବିଧେୟ। ବର୍ତ୍ତମାନ ପାକିସ୍ତାନକୁ କୂଟନୈତିକ ସ୍ତରରେ କିଭଳି ପରାଜିତ କରିହେବ, ତାହା ଭାରତ ପାଇଁ ପ୍ରଧାନ ଚିନ୍ତା। ଏଥିରେ ସାଉଦି ଆରବ କି ଭୂମିକା ତୁଲାଇପାରିବ, ତାହା ସଂଶୟାଚ୍ଛନ୍ନ। ଅନ୍ୟପକ୍ଷରେ ସଲମାନଙ୍କୁ ଭାରତରେ ଯେଭଳି ରାଜକୀୟ ସମ୍ମାନ ପ୍ରଦାନ କରାଯାଇଛି, ଆନ୍ତର୍ଜାତିକ ସ୍ତରରେ ତା’ର କି ପ୍ରଭାବ ପଡ଼ୁଛି, ତାହା ଦେଖିବା କଥା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories