ବ୍ରହ୍ମପୁତ୍ରରେ ଦୁଇ ଜୀବନ ବଞ୍ଚାଇଥିଲେ ଏହି ୧୧ ବର୍ଷର ବାଳକ
ଗୌହାଟୀ: ଅପୂର୍ବ ସାହସିକତା ପ୍ରଦର୍ଶନ କରି ବ୍ରହ୍ମପୁତ୍ରର ଭୟଙ୍କର ସ୍ରୋତରୁ ନିଜକୁ ରକ୍ଷା କରିବା ସହିତ ମା’ ଓ ମାଉସୀଙ୍କୁ ଉଦ୍ଧାର କରିଛନ୍ତି ଜଣେ ୧୧ ବର୍ଷର ବାଳକ। ପ୍ରାୟ ୨୦ ମିନିଟ୍ ମଧ୍ୟରେ ନିଜ ଜୀବନକୁ ବାଜି ଲଗେଇ ଦୁଇ ଜଣଙ୍କ ଜୀବନ ବଞ୍ଚାଇ ଥିଲେ ହେଁ ଅନ୍ୟ ଜଣେ ମହିଳା ଓ ତାଙ୍କ ଶିଶୁଙ୍କୁ ବଞ୍ଚାଇ ପାରିନଥିବାରୁ ଅନୁତପ୍ତ ଅଛନ୍ତି ସେହି ସାହସୀ ବାଳକ କମଲ କିଶୋର ଦାସ
ସେହି ଲୋମହର୍ଷଣକାରୀ ଘଟଣାର ବର୍ଣ୍ଣନା କରି କମଲ୍ କହିଛନ୍ତି ଯେ ସେ ତାଙ୍କ ମା’ ଓ ମାଉସୀଙ୍କ ସହିତ ଏକ ଡଙ୍ଗାରେ ନିଜ ଘରକୁ ଫେରୁଥିଲେ। କିଛି ସମୟ ପରେ ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ହଠାତ୍ ଡଙ୍ଗାଟି ନଦୀ ମଧ୍ୟରେ ଥିବା ଏକ ପିଲାରରେ ଧକ୍କା ଖାଇ ବୁଡ଼ିବାକୁ ଆରମ୍ଭ କରିଥିଲା। ଡଙ୍ଗାରେ ଥିବା ଯାତ୍ରୀମାନେ କୌଣସିମତେ ପହଁରି ରିଜର୍ଭର ପାଖକୁ ଯିବାକୁ ଚେଷ୍ଟା କରୁଥିଲେ। ଡଙ୍ଗା ଛାଡ଼ି ପହଁରି ଚାଲି ଯିବା ପାଇଁ କମଲ୍ଙ୍କୁ ମଧ୍ୟ ମା’ କହିଥିଲେ। କିନ୍ତୁ ରିଜର୍ଭର ପାଖରେ ପହଞ୍ଚିବା ପରେ ସେ ଜାଣିଲେ ଯେ ତାଙ୍କ ମା’ ଓ ମାଉସୀ ଡଙ୍ଗା ପାଖରେ ରହିଯାଇଛନ୍ତି। ସେମାନେ ପହଁରା ଜାଣି ନ ଥିଲେ। ସେମାନଙ୍କୁ ସ୍ରୋତ ଭସାଇ ନେବା ପୂର୍ବରୁ କମଲ୍ ନଦୀକୁ ଡେଇଁ ପଡ଼ି ପ୍ରଥମେ ମା’ଙ୍କୁ ଉଦ୍ଧାର କରିଥିଲେ। ପରେ ପୁଣି ଥରେ ନଦୀକୁ ଡେଇଁ ମାଉସୀଙ୍କୁ ଉଦ୍ଧାର କରିଥିଲେ।
କମଲ୍ଙ୍କ କହିବା ଅନୁଯାୟୀ ମା’ ଓ ମାଉସୀଙ୍କୁ ଉଦ୍ଧାର କରିବା ପରେ ଏକ ଶିଶୁକୁ ଧରିଥିବା ଜଣେ ମହିଳା ପାଣିରେ ଭାସି ଯାଉଥିବା ଦେଖିଥଲେ। ତା’ ପରେ ପୁଣି ସେ ପାଣିକୁ ଡେଇଁ ମହିଳା ଓ ଶିଶୁକୁ ନଦୀର ରିଜର୍ଭର ଉପରେ ଥିବା ସ୍ଲାବ୍ ଉପରକୁ ଆଣିପାରିଥିଲେ। କିନ୍ତୁ ହଠାତ୍ ମହିଳାଙ୍କ ହାତରୁ ଶିଶୁଟି ଖସି ଯାଇ ସ୍ରୋତରେ ନଦୀକୁ ଚାଲିଯାଇଥିଲା। ତାକୁ ବଞ୍ଚାଇବାକୁ ଯାଇ ମହିଳା ଜଣକ ନଦୀକୁ ଡେଇଁ ପଡ଼ିଲେ। ହଠାତ୍ ସେ ଦୁଇ ଜଣ ଯାକ ନିମିଷକେ ମଧ୍ୟରେ ନଦୀସ୍ରୋତରେ ଭାସି ଚାଲି ଯାଇଥିଲେ। ଏଥର କିନ୍ତୁ ଆଉ କମଲ୍ ସେହି ଦୁଇ ଜଣଙ୍କୁ ବଞ୍ଚାଇ ପାରି ନଥିଲେ।