ବିଦେଶରୁ ଠାବ ହେଲା ନୀରବଙ୍କ ଗୋପନ ବ୍ୟାଙ୍କ ଆକାଉଣ୍ଟ

0

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ବିଦେଶରେ ଥିବା ଗୋପନୀୟ ବ୍ୟାଙ୍କ ଆକାଉଣ୍ଟକୁ ଠାବ କରିଛି ଆୟକର ବିଭାଗ। ନୀବରଙ୍କ ବ୍ୟାଙ୍କ ଖାତାରେ ୧ମିଲିୟନ ୟୁକେ ପାଉଣ୍ଡ ତଥା ଭାରତୀୟ ମୁଦ୍ରାରେ ୯କୋଟି ଟଙ୍କା ରହିଥିବା ଆୟକର ବିଭାଗ ଜାଣି ପାରିଛି। ଏହି ଆକାଉଣ୍ଟ ‘ମୋଦି ଲିମିଟେଡ଼’ ଫାର୍ମ ନାମରେ ଖୋଲା ଯାଇଛି। ଏହି ବ୍ୟାଙ୍କ ଖାତା ନୀରବ ମୋଦିଙ୍କ ନିଜସ୍ୱ ଆକାଉଣ୍ଟ ବୋଲି ଆୟକର ଜାଣିବାକୁ ପାଇଛି।
ଏହି ଖାତା ସମ୍ପର୍କରେ ନୀରବ ମୋଦି ତାଙ୍କ ଆୟକର ରିପୋର୍ଟରେ ପ୍ରକାଶ କରି ନଥିଲେ। ଆୟକର ବିଭାଗ ପକ୍ଷରୁ ନୀରବ ମୋଦି ଓ ମେହୁଲ ଚୌକସିଙ୍କ ବିଦେଶରେ ଥିବା ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ତଦନ୍ତ କରିବାକୁ ଯାଇ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ଜାଣି ପାରିଛି। ଏଭଳି ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଗୋପନରେ ବିଦେଶରେ ଖୋଲାଯାଇ ସେଥିରେ ଋଣ ଟଙ୍କାକୁ ରଖାଯାଇ ଥିବ ବୋଲି ଆୟକର ବିଭାଗ ସନ୍ଦେହ କରି ତଦନ୍ତ ଅବ୍ୟାହତ ରଖିଛି। ଏହା ବ୍ୟତୀତ ଉଭୟ ନୀରବ ଓ ମେହୁଲ ବିଦେଶରେ ଭୂତ କମ୍ପାନୀ ନାମରେ ଆକାଉଣ୍ଟ ଖୋଲି ସେଥିରେ ମଧ୍ୟ ଋଣ ଟଙ୍କାକୁ ରଖିଥିବା କେତେକ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି। ଏପରିକି ୧୦୦୦ରୁ ଊର୍ଦ୍ଧ୍ବ କମ୍ପାନୀ ସହଯୋଗରେ ବିଦେଶରେ ଭାରତରୁ ଜାଲିଆତି ହୋଇଥିବା ୧୨୭୦୦କୋଟି ଟଙ୍କା ଗଚ୍ଛିତ ରହିଥିବା ସନ୍ଦେହରେ ଆୟକର ବିଭାଗ ତଦନ୍ତ ଜାରି ରଖିଛି।

Leave A Reply