ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଆଠଗଡ ମହୋତ୍ସବ

ଆଠଗଡ: ଆଠଗଡ ମହୋତ୍ସବ ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ଆହୁତ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ପାଳନ କମିଟିର କାର୍ଯ୍ୟକାରୀ ସଭାପତି ତଥା ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସହରର ବିଭିନ୍ନ ବଜାର କମିଟି କର୍ମକର୍ତ୍ତା ଓ ସଦସ୍ଯ, କଳାକାର, କ୍ରୀଡାବିତ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ଯ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧି, ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଆସନ୍ତା ଡିସେମ୍ବର ମାସ ୧୮ ତାରିଖରୁ ୨୨ ତାରିଖ ୫ ଦିନ ବ୍ୟାପୀ ଆଠଗଡ ମହୋତ୍ସବ ଆୟୋଜନ ପାଇଁ ଆପାତତଃ ସ୍ଥିର କରାଯାଇଥିଲା। ମହୋତ୍ସବ ଆୟୋଜନକୂ ନେଇ ଉପସ୍ଥିତ ବିଭିନ୍ନ ବର୍ଗର ବ୍ଯକ୍ତିବିଶେଷ ନିଜ ନିଜର ମତାମତ ଦେଇଥିଲେ । ତେବେ ଗତ ଦୁଇବର୍ଷରେ ମହୋତ୍ସବ ଆୟୋଜନ ଶୈଳୀ ଓ ଗଠିତ ବିଭିନ୍ନ କମିଟିକୁ ନେଇ ଏହି ବୈଠକରେ ବିଭିନ୍ନ ଗୋଷ୍ଠୀ ମଧ୍ଯରେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା ।
ଚଳିତ ବର୍ଷ ମହୋତ୍ସବ ଆୟୋଜନ କରିବା ପାଇଁ ପ୍ରଥମେ ଅଣ୍ଟା ଭିଡିଥିବା ଆଠଗଡର ସମୂହ ବଜାର କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଯାଇଥିଲା। ଉପଜିଲ୍ଲାପାଳଙ୍କ ସ୍ବୀକୃତି ମିଳିବା ପରେ ଗତ ୨୦ ତାରିଖରେ ଗଣଦୌଡ ଓ ମଶାଲ ଶୋଭାଯାତ୍ରା ସହିତ ମହୋତ୍ସବର ଅୟମାରମ୍ଭ ଘୋଷଣା ହୋଇଥିଲା। ବିଗତ ବର୍ଷ ମହୋତ୍ସବ ଆୟୋଜନ ପାଇଁ ଗଠିତ କମିଟିଗୁଡିକୁ ଭଙ୍ଗ କରାଯିବା ସହ ସୋମବାର ମଧ୍ୟରେ ବଜାର କମିଟି ସମୂହ ନୂତନ କମିଟିମାନ ଗଠନ କରି ପ୍ରଶାସନକୁ ଅବଗତ କରାଇବା ଲାଗି ନିବେଦନ କରାଯାଇଥିଲା। ଚଳିତ ବର୍ଷ ସମସ୍ତ ବଜାର କମିଟି, ବିଭିନ୍ନ ସାହି କମିଟି, କ୍ଲବର କର୍ମକର୍ତ୍ତାଙ୍କୁ ନେଇ ମହୋତ୍ସବ ପାଳନ କରାଯାଉ ଏବଂ ଏହାକୁ ସଫଳ କରିବା ପାଇଁ ପ୍ରଶାସନିକ ସ୍ତରରେ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
ଆଜିର ବୈଠକରେ ତହସିଲଦାର କ୍ଷେତ୍ରମୋହନ ସ୍ବାଇଁ, ମହୋତ୍ସବ ପ୍ରସ୍ତୁତି କମିଟି ସଂଯୋଜକ ଆଇନଜୀବୀ ଫଣୀଭୂଷଣ ରଥ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ଭାରପ୍ରାପ୍ତ ଉପକୋଷାଗାର ଅଧିକାରୀ ନୃସିଂହ ପ୍ରସାଦ ଦାସ, ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.