ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତୀୟ ଟ୍ୱେଣ୍ଟି୨୦ ଦଳରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବାଦ୍ ପଡ଼ିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟ୍ୱେଣ୍ଟି୨୦ ସିରିଜ୍ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଟ୍ୱେଣ୍ଟି୨୦ ସିରିଜ୍ ଲାଗି ଶୁକ୍ରବାର ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି। ଉଭୟ ଦଳରେ ଧୋନି ସ୍ଥାନ ପାଇନାହାନ୍ତି। ଋଷଭ ପନ୍ତ୍ ଓ ଦିନେଶ କାର୍ତ୍ତିକ ଉଭୟ ଦଳରେ ୱିକେଟ ରକ୍ଷକ ଭାବେ ସ୍ଥାନ ପାଇଛନ୍ତି। ଏହାସହ ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ଟେଷ୍ଟ ଦଳ ମଧ୍ୟ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ; ୨୦୦୬ରେ ଭାରତ ସର୍ବପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ସେବେଠାରୁ ଧୋନି କ୍ରମାଗତ ଭାବେ ଖେଳି ଆସୁଥିଲେ। ଏବେ ଧୋନି ଦ୍ରୁତଗତିରେ ସ୍କୋର୍ କରିବାରେ ବିଫଳ ହୋଇଥିବାରୁ ବୋଧହୁଏ ତାଙ୍କୁ ଟ୍ୱେଣ୍ଟି୨୦ ଦଳରୁ ବାଦ୍ ଦିଆଯାଇଛି। ଗତ ୧୨ ବର୍ଷରେ ଧୋନି ଭାରତ ପାଇଁ ୯୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳି ୧୪୮୭ ରନ୍ ସ୍କୋର୍ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ସର୍ବପ୍ରଥମ ଟ୍ୱେଣ୍ଟି୨୦ ବିଶ୍ୱକପ୍ ଜିତିଥିଲା। ଆକ୍ରମଣାତ୍ମକ ବ୍ୟାଟିଂ ଲାଗି ପ୍ରସିଦ୍ଧ ଋଷଭ ପନ୍ତ୍ଙ୍କୁ ଧୋନିଙ୍କ ସ୍ଥାନରେ ଉଭୟ ଟି୨୦ ସିରିଜ୍ ଲାଗି ଭାରତୀୟ ଦଳରେ ସ୍ଥାନ ଦିଆଯାଇଛି। ଏହାସହ ଆଇପିଏଲ୍ରେ ସଫଳ ଅଲ୍ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ଉଭୟ ସିରିଜ୍ ଲାଗି ଭାରତୀୟ ଦଳରେ ସ୍ଥାନ ଦିଆ ଯାଇଥିବା ବେଳେ ଝାଡ଼ଖଣ୍ଡର ବାମହାତି ସ୍ପିନର ଶାହ୍ବାଜ ନଦ୍ଦିମ୍ଙ୍କୁ ଇଣ୍ଡିଜ୍ ବିପକ୍ଷ ଟ୍ୱେଣ୍ଟି୨୦ ସିରିଜ୍ ପାଇଁ ଦଳରେ ରଖାଯାଇଛି। ଇଣ୍ଡିଜ୍ ବିପକ୍ଷ ଟି୨୦ ସିରିଜ୍ରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆ ଯାଇଥିବା ବେଳେ ରୋହିତ ଶର୍ମା ନେତୃତ୍ୱ ନେବେ। ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ରେ କୋହଲି ଖେଳିବେ। ଉଭୟ ଦଳରେ ଅଲ୍ରାଉଣ୍ଡର କେଦାର ଯାଦବ ସ୍ଥାନ ପାଇନାହାନ୍ତି। ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪ର୍ଥ ଓ ୫ମ ଦିନିକିଆ ପାଇଁ କେଦାରଙ୍କୁ ଭାରତୀୟ ଦଳରେ ରଖାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ମୁରଲୀ ବିଜୟ ଓ ରୋହିତ ଶର୍ମା ଦଳକୁ ଫେରିଥିବା ବେଳେ ୨ୟ ୱିକେଟ ରକ୍ଷକ ଭାବେ ପାର୍ଥିବ ପଟେଲ ରହିଛନ୍ତି।
ନଭେମ୍ବର ୪, ୬ ଓ ୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍ର ସିରିଜ୍ ଖେଳିବ। ପରେ ଅଷ୍ଟ୍ରେଲିଆ ଗସ୍ତରେ ଘରୋଇ ଦଳ ବିପକ୍ଷରେ ଭାରତ ନଭେମ୍ବର ୨୧, ୨୩ ଓ ୨୫ରେ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍ର ସିରିଜ୍ ଖେଳିବ। ଡିସେମ୍ବର ୬ରୁ ୩୦ ମଧ୍ୟରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ।
ଇଣ୍ଡିଜ୍ ବିପକ୍ଷ ଟ୍ୱେଣ୍ଟି୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, କେ.ଏଲ୍. ରାହୁଲ, ଦିନେଶ କାର୍ତ୍ତିକ, ମନୀଷ ପାଣ୍ଡେ, ଶ୍ରେୟାସ ଆୟର, ଋଷଭ ପନ୍ତ୍ (ୱିକେଟ ରକ୍ଷକ), କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ଖଲିଲ ଅହମ୍ମଦ, ଉମେଶ ଯାଦବ ଓ ଶାହ୍ବାଜ ନଦ୍ଦିମ୍।
ଅଷ୍ଟ୍ରେଲିଆ ବିପକ୍ଷ ଟ୍ୱେଣ୍ଟି୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, କେ.ଏଲ୍. ରାହୁଲ, ଦିନେଶ କାର୍ତ୍ତିକ, ମନୀଷ ପାଣ୍ଡେ, ଶ୍ରେୟାସ ଆୟର, ଋଷଭ ପନ୍ତ୍ (ୱିକେଟ ରକ୍ଷକ), କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ଖଲିଲ ଅହମ୍ମଦ ଓ ଉମେଶ ଯାଦବ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, କେ.ଏଲ୍. ରାହୁଲ, ପୃଥ୍ୱୀ ସ’, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ତ୍, ପାର୍ଥିବ ପଟେଲ (ଉଭୟ ୱିକେଟ ରକ୍ଷକ), ଆର୍. ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଭୁବନେଶ୍ୱର କୁମାର, ଉମେଶ ଯାଦବ ଓ ଯଶପ୍ରୀତ ବୁମ୍ରା।
ଟ୍ୱେଣ୍ଟି୨୦ ଦଳରୁ ଧୋନି ବାଦ୍
Popular Categories



