ଚୀନ୍‍ଠାରୁ କୈଳାସ ମାନସରୋବର ଛଡ଼ାଇ ଆଣି ହିନ୍ଦୁଙ୍କୁ ଉପହାର ଦେଇଥିଲେ ଆଉରଙ୍ଗଜେବ୍‍!

0

ନୂଆଦିଲ୍ଲୀ: ମୁଗଲ୍‍ ସମ୍ରାଟ୍‍ ଆଉରଙ୍ଗଜେବ୍‍ ଚୀନ୍‍କୁ ଯୁଦ୍ଧରେ ପରାସ୍ତ କରି କୈଳାସ ମାନସରୋବର ଛଡ଼ାଇ ଆଣିଥିଲେ। ପରବର୍ତ୍ତୀ ସମୟରେ ଆଉରଙ୍ଗଜେବ୍‍ ହିନ୍ଦୁମାନଙ୍କୁ କୈଳାସ ମାନସରୋବର ଉପହାର ସ୍ୱରୂପ ଦେଇଥିଲେ। ଦୁଇଟି ନିର୍ଦିଷ୍ଟ ୱେବ୍‍ସାଇଟ୍‍ର ତଥ୍ୟ ଆଧାରରେ ଏଭଳି ଏକ ଖବର ଏବେ ସୋସିଆଲ୍‍ ମିଡିଆର ଭାଇରାଲ୍‍ ହେବାରେ ଲାଗିଛି।
ଉକ୍ତ ୱେବ୍‍ସାଇଟର ଦାବି ଅନୁଯାୟୀ, କୈଳାସ ମାନସରୋବର ହସ୍ତାନ୍ତର କରିବା ପାଇଁ ୧୬୮୦ ମସିହାରେ ଆଉରଙ୍ଗଜେବ୍‍ ଚୀନ୍‍ ଶାସକ କ୍ୱିଙ୍ଗଙ୍କୁ ଏକ ଚିଠି ଲେଖିଥିଲେ। ୪୫ ଦିନ ପର୍ଯ୍ୟନ୍ତ କୌଣସି ଉତ୍ତର ନ ଆସିବାରୁ ଚୀନ୍‍ ଉପରେ ଆଉରଙ୍ଗଜେବ୍‍ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ କରି କୈଳାସ ମାନସରୋବର ଉପରେ ନିଜ ମାଲିକାନା ଜାହିର କରିଥିଲେ। ଏହାପରେ ହିନ୍ଦୁମାନଙ୍କ ଉଦ୍ଦେଶ୍ୟର ସେହି ପବିତ୍ର ପର୍ବତକୁ ଉତ୍ସର୍ଗ କରିଥିଲେ। ସେହିପରି ରାଜ୍ୟସଭା ସାଂସଦ ମହମ୍ମଦ ଆଦିବ୍‍ ୨୦୧୭, ଜୁଲାଇରେ ଜନ୍ତରମନ୍ତରଠାରେ ଦେଇଥିବା ଭାଷଣରେ କହିଥିଲେ ଯେ ଜବାହରଲାଲ୍‍ ନେହେରୁ କୈଳାସ ମାନସରୋବର ଉପରେ ଭାରତର ମାଲିକାନା ଜାହିର କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ଚୀନ୍‍ ଉପରେ ଚାପ ପକାଇବା ପାଇଁ ଜାତିସଂଘକୁ ନେହେରୁ ଅନୁରୋଧ କରିଥିଲେ। କିନ୍ତୁ ଉକ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଚୀନ୍‍ କହିଥିଲା ଯେ ଭାରତକୁ କୈଳାସ ମାନସରୋବର ଫେରାଇବାର ପ୍ରଶ୍ନ ଉଠୁନି। ଏହା ଭାରତର ଅଧିକାରଭୁକ୍ତ ନୁହେଁ। ଆମଠାରୁ ଆଉରଙ୍ଗଜେବ୍‍ ଯାହା ନେଇଯାଇଥିଲେ ତାହା ଆମେ କେବଳ ପୁନଃ ଅକ୍ତିଆର କରିଛୁ।
ଏହି ଖବର ଉପରେ ଟାଇମ୍ସ ଫ୍ୟାକ୍ଟ ଚେକ୍‍ ପକ୍ଷରୁ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ବ୍ୟାପକ ଅନୁସନ୍ଧାନ, ଅନୁଶୀଳନ ଓ ଗବେଷଣା ପରେ ଟାଇମ୍‍ସ ଉପରୋକ୍ତ ସମ୍ବାଦ ବିଭ୍ରାନ୍ତିକର ବୋଲି କହିଛି। ଐତିହାସିକ ଓ ଗବେଷକଙ୍କ ଉକ୍ତିକୁ ଉଦ୍ଧାର କରି ଟାଇମ୍‍ସ କହିଛି ଯେ, ଆଉରଙ୍ଗଜେବ୍‍ଙ୍କ ଶାସନ ଅମଳରେ କୈଳାସ ମାନସରୋବର ଚୀନ୍‍ର ନୁହେଁ ବରଂ ତିବତ୍‍ର ଏକ ଅଂଶ ଥିଲା। ଆଉରଙ୍ଗଜେବ୍‍ କେବେ ବି ଚୀନ୍‍ କିମ୍ବା ତିବତ ଆକ୍ରମଣ କରି ନ ଥିଲେ। ସେ ଚୀନ୍‍କୁ ଆସାମ୍‍ ବାଟ ଦେଇ ଅକ୍ତିଆର କରିବାକୁ ଚାହୁଁଥିଲେ। ଏଥିପାଇଁ ଆଉରଙ୍ଗଜେବ୍‍ ମିର ଜୁମ୍‍ଲା ନାମକ ତାଙ୍କର ଜଣେ ସୁବେଦାରଙ୍କୁ ଆସାମ ପଠାଇଥିଲେ। ମିର ୧୬୬୨ରେ ଆହୋମ୍‍କୁ ପରାସ୍ତ କରିଥିଲେ ହେଁ ବର୍ଷେ ପରେ ସେଠାରୁ ଫେରି ଆସିଥିଲେ। ଆଉ କେତେକ ଐତିହାସିକଙ୍କ ମତାନୁଯାୟୀ ମିର ଆସାମ୍‍ରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ତେଣୁ ଆଉରଙ୍ଗଜେବ୍‍ଙ୍କ ଚୀନ୍‍ ଦଖଲ ସ୍ୱପ୍ନ ପୂରଣ ହୋଇ ନଥିଲା। ଏହାପରେ ଭାରତର ମୁଗଲ୍‍ ସାମ୍ରାଜ୍ୟ ଓ ଚୀନ୍‍ ମଧ୍ୟରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବଗତ ସମ୍ପର୍କ ସ୍ଥାପନା ହୋଇଥିଲା।
ଇତିହାସ ଅନୁଯାୟୀ କୁମାଓନ୍‍(ବର୍ତ୍ତମାନର ଉତ୍ତରାଖଣ୍ଡ)ର ବୀର ରାଜପୁତ ମହାରାଜା ବାଜ୍‍ ବାହାଦୂର ଏ ଦିଗରେ ଉଦ୍ୟମ କରିଥିଲେ। କୈଳାସ ମାନସରୋବର ଭାରତକୁ ଆଣିବା ପାଇଁ ସେ ତିବତ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ପ୍ରତିକୂଳ ପରିସ୍ଥିତି ଯୋଗୁଁ ତାହା ସମ୍ଭବ ହୋଇପାରି ନଥିଲା।

kalyan agarbati
Leave A Reply