ଶ୍ରାବସ୍ତିର ଜଣେ ଯୁବ ବ୍ୟବସାୟୀଙ୍କୁ ବିବାହ କରିଥିଲେ କିସା ଗୌତମୀ। ବିତ୍ତଶାଳୀ ପରିବାର ଥିଲା। ଭାଗ୍ୟାକାଶରେ ଦୁଃଖର କଳାବାଦଲ ଘୋଟି ଆସିଥିଲା ଆକସ୍ମିକ ଭାବରେ। ଏକାମାତ୍ର ପୁଅ ରୋଗରେ ପଡ଼ି ପ୍ରାଣ ହରାଇଥିଲା। ପୁତ୍ରର ଆକସ୍ମିକ ମୃତ୍ୟୁଜନିତ ଦୁଃଖ ସହ୍ୟ କରି ନପାରି ପାଗଳିନୀ ସଦୃଶ ହୋଇଗଲେ କିସା ଗୌତମୀ। ମୃତ ପୁତ୍ରକୁ ଧରି ଶ୍ରାବସ୍ତିର ଗଳିକନ୍ଦି ଘୂରି ବୁଲିଲେ- ପୁଅକୁ ବଞ୍ଚାଇ ଦେବାପାଇଁ ଆତୁର ହୋଇ ସମସ୍ତଙ୍କୁ ନିବେଦନ କରୁଥାନ୍ତି। ଏହି କରୁଣ ପ୍ରାର୍ଥନାକୁ ଯେଉଁମାନେ ଶୁଣୁଥିଲେ ସେମାନେ ତଉଲୁଥିଲେ ମା’ର ମମତାକୁ, ଆକଳନ କରୁଥିଲେ ମା’ର ହୃଦୟରେ ସାଇତା ହୋଇ ରହିଥିବା ସନ୍ତାନ ପ୍ରେମକୁ। କେହି କେହି ଦୟା ଦେଖାଇ ସମ୍ବେଦନା ପ୍ରକାଶ କରୁଥିଲେ ତ କେହି, ହୃଦୟହୀନ ବ୍ୟକ୍ତି ଅନୁରୋଧକୁ (ପୁଅକୁ ବଞ୍ଚାଇବା) ହସରେ ଉଡ଼ାଇ ଦେଉଥିଲେ ‘ପାଗଳୀର ବାଚାଳତା’ ଭାବି । ଶେଷରେ ଜଣେ ଧୀମାନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଆଶ୍ବାସନା ଦେଇ କହିଥିଲେ- ‘ମା’ରେ ! ତୁମର ସନ୍ତାନକୁ ଜଣେ ମାତ୍ର ବ୍ୟକ୍ତି ଅଛନ୍ତି ଯିଏ ବଞ୍ଚାଇବାରେ ସକ୍ଷମ ହେବେ। ସେ ହେଉଛନ୍ତି ଭଗବାନ ବୁଦ୍ଧ, ଏବେ ସେ ଜେତବନରେ ଅବସ୍ଥାନ କରୁଛନ୍ତି।’ ଆକାଶର ଚାନ୍ଦକୁ ପାଇଲା ଭଳି ଲାଗିଥିଲା କିସା ଗୌତମୀଙ୍କୁ। ଧାଇଁ ଯାଇଥିଲେ ଜେତବନସ୍ଥ ବୌଦ୍ଧ ବିହାରକୁ ଯେଉଁଠି ତଥାଗତ ଶିଷ୍ୟମାନଙ୍କ ସହ ଅବସ୍ଥାନ କରୁଥିଲେ।
ମୃତ ପୁଅକୁ ତଥାଗତଙ୍କ ପାଦତଳେ ଲୋଟାଇଦେଇ ନିଜ ଦୁର୍ଭାଗ୍ୟ ବଖାଣିଥିଲେ କିସା ଗୌତମୀ। ଅନୁନୟ ବିନୟ ହୋଇ କହିଥିଲେ ପୁଅକୁ ବଞ୍ଚାଇ ଦେବାକୁ। ତା ବିନା ସେ ବଞ୍ଚି ପାରିବେନି ବୋଲି କାନ୍ଦିକାନ୍ଦି କହିଥିଲେ। ସବୁ ଶୁଣି ତଥାଗତ ଆଶ୍ବାସନା ଦେଇ କହିଥିଲେ- ‘ଭଉଣୀ! ମୁଁ ତୁମର ଦୁଃଖ ଅବଶ୍ୟ ଦୂର କରିବି। ହେଲେ ତୁମକୁ ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିବ। ଏବେ ତୁମେ ଶ୍ରାବସ୍ତି ଯାଅ, ଶ୍ରାବସ୍ତିର ଏପରି ଏକ ଘରୁ କିଛି ସୋରିଷ ଆଣିବ, ଯେଉଁ ଘରେ କେହି ଜଣେ ବି ମରି ନଥିବେ।’ ଦିନରାତି ଏକ କରି ଅନେକ ଘର ବୁଲିଥିଲେ ମାନସିକ ଭାରସାମ୍ୟ ହରାଇଥିବା କିସା ଗୌତମୀ; ହେଲେ ଅସମ୍ଭବ ଥିଲା ଏଭଳି ଏକ ଘର ପାଇବା ଯେଉଁ ଘରର କେହି ବି ସଦସ୍ୟ ମୃତ୍ୟୁବରଣ କରି ନଥିବେ। ଏଭଳି ଘରର ସନ୍ଧାନ ପାଇବା ପାଇଁ ବୁଲିବା ଭିତରେ ଉପଲବ୍ଧି କଲେ ଏକ ଅଭ୍ରାନ୍ତ ସତ୍ୟ- ସଂସାରରେ ଜନ୍ମ ଗ୍ରହଣ କଲେ ମୃତ୍ୟୁ ଅନିବାର୍ଯ୍ୟ। ଆଜି ନ ହେଲେ ବି କାଲି ମୃତ୍ୟୁ ନିଶ୍ଚୟ ହେବ। ଏହା ଅବିସମ୍ବାଦିତ ସତ୍ୟ। ଫେରିଯାଇଥିଲେ ତଥାଗତଙ୍କ ନିକଟକୁ। ବଖାଣିଥିଲେ ନିଜ ଅନୁଭବସିଦ୍ଧ ସତ୍ୟ- ଏଭଳି ଘର ପାଇଲିନି କି ପାଇବାକୁ ଆଉ ସନ୍ଧାନ କରିବି ନାହିଁ। ଆପଣ ମୋତେ ଯେଉଁ ଶିକ୍ଷା ଦେବାକୁ ଚାହୁଁଥିଲେ ମୁଁ ତାହା ବୁଝି ସାରିଛି। ପୁତ୍ରର ମୋହଜନିତ ଦୁଃଖ ମୋତେ ଅନ୍ଧ କରିଦେଇଥିବାରୁ ଭାବି ନେଇଥିଲି ମୃତ୍ୟୁ କେବଳ ମୋରି ଘରେ ବିରାଜମାନ କରିଛି। ଅନିତ୍ୟ ସଂସାରର ଅସାରତା ଉପଲବ୍ଧି କରିବା ପରେ ଦୁଃଖ ନିବୃତ୍ତି, ଜୀବନ୍ମୁକ୍ତି ଉଦ୍ଦେଶ୍ୟରେ ସଂଘ ଆଶ୍ରିତ ହୋଇଯାଇଥିଲେ କିସା ଗୌତମୀ।
ଚିନ୍ତାକଳ୍ପ : ସତ୍ୟୋପଲବ୍ଧି
Popular Categories



