ଗାନ୍ଧିଜୀଙ୍କ ପ୍ରିୟ ରଘୁ
ବିର୍ଲା ଭବନରେ କେଇ ମୁହୂର୍ତ୍ତ କେନ୍ଦ୍ରାପଡାର ଅଖ୍ୟାତ ପଲ୍ଲୀ ଜାଗୁଳିଆପଡାକୁ ଇତିହାସ ପୃଷ୍ଠାକୁ ଟାଣି ଆଣିଥିଲା। ୧୯୪୮ ଜାନୁଆରୀ ୩୦ତାରିଖ ସନ୍ଧ୍ୟା। ଦିଲ୍ଲୀର ବିର୍ଲା ଭବନରେ ଆୟୋଜିତ ପ୍ରାର୍ଥନା ସଭାକୁ ଜାତିର ଜନକ ମହାତ୍ମା ଗାନ୍ଧୀ ଯାଉଥିବା ବେଳେ ସମସ୍ତଙ୍କୁ ସ୍ତବ୍ଧ କରି ଗୁଳି ଫୁଟିଥିଲା। କେହି କିଛି ବୁଝିବା ପୂର୍ବରୁ ଗାନ୍ଧିଜୀ ନାଥୁରାମ ଗଡ୍ସେ ବନ୍ଧୁକରୁ ବାହାରିଥିବା ଗୁଳିରେ ରକ୍ତାକ୍ତ ହୋଇ ଟଳିପଡିଥିଲେ। ଭିଡର ସୁଯୋଗ ନେଇ ନାଥୁରାମ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଥିଲେ ବିର୍ଲା ଭବନରେ ମାଳୀ ଭାେବ କାମ କରୁଥିବା ୩୭ବର୍ଷୀୟ ରଘୁନାଥ ନାୟକ। ହାତରେ ଥିଲା ମାଟି ଖୋଳୁଥିବା ଖୁରୁପି। ସେହି ଅସ୍ତ୍ରରେ ନାଥୁରାମଙ୍କୁ ନିଜ କବଳକୁ ନେଇଯାଇଥିଲେ ରଘୁ। ପରେ ସେ ଏହି ବିଚାର ପ୍ରକ୍ରିୟାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ବିଚାରପତି ଆତ୍ମଚରଣଙ୍କ ସମ୍ମୁଖରେ ସାକ୍ଷ୍ୟ ଦେଇଥିଲେ। ଏହି ଘଟଣାରେ ନାଥୁରାମ ଗଡ୍ସେଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ୧୯୫୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଏକ ପ୍ରଶଂସାପତ୍ର ସହ ପାଞ୍ଚଶହ ଟଙ୍କା ଦେଇ ରଘୁଙ୍କୁ ସମ୍ମାନିତ କରିବା ପରେ ସେ ଜଣେ ନାୟକ ଭାବେ ଦେଶବାସୀଙ୍କ ସମ୍ମୁଖକୁ ଆସିଥିଲେ।
ସପ୍ତମ ଶ୍ରେଣୀଯାଏ ପଢିବା ପରେ ୧୯୨୫ ମସିହାରେ ଗାଁର କେତେଜଣ ବନ୍ଧୁଙ୍କ ସହ ରଘୁ କଲକାତା ଚାଲିଯାଇଥିଲେ। ତାଙ୍କର ଦକ୍ଷତା ଓ ନିଷ୍ଠା ଦେଖିବା ପରେ ତାଙ୍କୁ ୧୯୩୦ ମସିହାରେ ଦିଲ୍ଲୀସ୍ଥିତ ବିର୍ଲା ଭବନ ପଠାଇ ଦିଆଯାଇଥିଲା। ୧୯୬୮ ମସିହା ପର୍ଯ୍ୟନ୍ତ ବିର୍ଲା ଭବନରେ ମାଳୀ ଭାବେ କାମ କରି ଅବସର ଗ୍ରହଣ କରିଥିଲେ ରଘୁ। ଏହାପରେ ସେ ଗାଁକୁ ଫେରିଆସିଥିଲେ। ଅଭାବ ଓ ଯନ୍ତ୍ରଣା ମଧ୍ୟରେ ରହି ୧୯୮୩ ମସିହାରେ ରଘୁଙ୍କର ପରଲୋକ ଘଟିଥିଲା। ତେବେ ୨୦୧୬ ମସିହାରେ ରାଜ୍ୟ ସରକାର ତାଙ୍କ ପତ୍ନୀ ମନ୍ଦୋଦରୀଙ୍କୁ ୫ଲକ୍ଷ ଟଙ୍କା ଦେଇ ସମ୍ମାନିତ କରିବା ପରେ ସାରା ରାଜ୍ୟରେ ରଘୁନାଥ ନାୟକ ପୁଣି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ପାଲଟିଗଲେ। ମହାତ୍ମାଙ୍କ ପାଇଁ ଛେଳି କ୍ଷୀର ନେବା ସହ ତାଙ୍କର ବିଭିନ୍ନ କାମରେ ସହଯୋଗ କରୁଥିଲେ ରଘୁ। ଜାତିର ପିତାଙ୍କ ପ୍ରିୟ ମଣିଷ ଶେଷ ଜୀବନ କଷ୍ଟରେ ଅତିବାହିତ କରିଥିଲେ ମଧ୍ୟ ତାଙ୍କର ବିଶ୍ବାସ ଥିଲା, ଇତିହାସ ଦିନେ ତାଙ୍କୁ ମନେପକାଇବ।