ନୂଆଦିଲ୍ଲୀ,: ଦୀର୍ଘ ମନ୍ଥନ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଅଭିଜ୍ଞ ନେତା କମଳ ନାଥଙ୍କ ନାମ ଉପରେ ମୋହର ଲଗାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ତେବେ ଅଶୋକ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଥିଲେ ବି ତାଙ୍କ ପ୍ରତିଦ୍ବନ୍ଦ୍ବୀ ସଚିନ ପାଇଲଟ ଅବୁଝା ଥିବାରୁ ଏ ନେଇ ଘୋଷଣାକୁ ଏକ ପ୍ରକାର ଝୁଲାଇ ରଖାଯାଇଛି।
ଗୁରୁବାର ବିଳମ୍ବିତ ରାତିରେ ୭୨ବର୍ଷୀୟ କମଳ ନାଥ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସହଯୋଗ କରିଥିବାରୁ ସେ ପ୍ରତିଦ୍ବନ୍ଦୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସିନ୍ଧିଆ ରାଜ୍ୟ ଶାସନ କ୍ଷେତ୍ରରେ କମଳ ନାଥଙ୍କ ଅଧୀନରେ ଆବଶ୍ୟକ ଅଭିଜ୍ଞତା ଆହରଣ କରିବେ ବୋଲି ନିଷ୍ପତ୍ତି ହୋଇଛି; ତେବେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ରହିବ ନାହିଁ ବୋଲି ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ସେ ଦାବି ଜଣାଇବେ ବୋଲି କମଳ ନାଥ ସୂଚନା ଦେଇଛନ୍ତି। ଏଥିସହିତ ନିର୍ବାଚନ ପ୍ରତିଶ୍ରୁତି ପାଳନ ଓ ରାଜ୍ୟବାସୀଙ୍କ ଆଶା ଆକାଙ୍କ୍ଷା ପୂରଣ ଦିଗରେ ସମସ୍ତ ଉଦ୍ୟମ କରିବେ ବୋଲି କମଳ ନାଥ ପ୍ରତିକ୍ରିୟାରେ କହିଛନ୍ତି। ୧୦ଦିନ ଭିତରେ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି କହିଛନ୍ତି। ଦିନ ତମାମ ଦିଲ୍ଲୀର
ତୋଗଲକ ମାର୍ଗସ୍ଥିତ ରାହୁଲ ଗାନ୍ଧୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ବାଛିବା ନେଇ ଘନଘନ ବୈଠକ ଚାଲିଥିଲା। ରାହୁଲ, ୟୁପିଏ ଅଦ୍ୟକ୍ଷା ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ତଥା ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସିନ୍ଧିଆ ଓ କମଳ ନାଥଙ୍କ ସହିତ ଅଲଗା ଆଲୋଚନା ହୋଇଥିଲା। ସନ୍ଧ୍ୟାରେ କମଳ ନାଥଙ୍କ ନାମରେ େମାହର ଲାଗିଥିଲା। ପରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳଠାରେ ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକ ପରେ ରାତି ୧୨ଟା ସୁଦ୍ଧା କମଳ ନାଥ ନେତା ନିର୍ବାଚିତ େହବା ସମ୍ପର୍କେର ଘୋଷଣା କରାଯାଇଥିଲା। ସୋନିଆ ଓ ପ୍ରିୟଙ୍କାଙ୍କ ସହିତ ପରାମର୍ଶ ପରେ ରାହୁଲ ଦଳର ଯୁବ ପିଢ଼ିଙ୍କ ଅପେକ୍ଷା ଏହି ଦିଗ୍ଗଜ ନେତାଙ୍କ ଉପରେ ଭରଶା ରଖିଥିବା କୁହାଯାଉଛି।
ଅପରପକ୍ଷରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ନେଇ ବିବାଦର ଅନ୍ତ ଘଟିନାହିଁ। ପୂର୍ବରୁ ଦୁଇଥର ମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ନେତା ଅଶୋକ ଗେହଲଟ ଓ ରାଜ୍ୟ କଂଗ୍ରେସ ସଭାପତି ସଚିନ ପାଇଲଟଙ୍କ ମଧ୍ୟରେ ଟଣାଓଟରା ଲାଗିରହିଛି। ଦିଲ୍ଲୀରୁ ଏହି ନାଟକ ଜୟପୁରକୁ ସ୍ଥାନାନ୍ତର ହୋଇଛି। ରାତି ସୁଦ୍ଧା ନାମ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ରାଜ୍ୟ ରାଜଧାନୀରେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଦିଲ୍ଲୀରୁ ଫେରି ଜୟପୁରରେ ପହଞ୍ଚିଥିବା ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ମର୍ଜ୍ୟାଦା ପ୍ରଦାନ କରାଯାଇଛି। ସେହି ଅନୁସାରେ ତାଙ୍କ ପ୍ରତି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନ ସାରା ରାଜସ୍ଥାନକୁ ନେଇ ତୋଗଲକ ମାର୍ଗରେ ନାଟକ ଚାଲିଥିଲାବେଳେ ସେପଟେ ରାଜସ୍ଥାନରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଚରମ ରୂପ ନେଇଥିଲା। ରାଜସ୍ଥାନରେ ସଚିନଙ୍କ ସମର୍ଥକମାନେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି ଅବ୍ୟାହତ ରଖିଥିେଲ। କରାଉଲିଠାରେ ସେମାନେ ରାସ୍ତାରୋକ କରିଥିଲେ। ପରିସ୍ଥିତି ଗୁରୁତର ହେବା ଲକ୍ଷ୍ୟକରି ସଚିନ ସେମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଓ ଶାଳୀନତା ରକ୍ଷା କରିବାକୁ ନିବେଦନ କରିଥିଲେ। ଆମେ ଦଳର ଶୃଙ୍ଖଳିତ ସଦସ୍ୟ ହୋଇଥିବାରୁ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆ ଯେଉଁ ନିଷ୍ପତ୍ତି ନେବେ ତାହାକୁ ଆମେ ସମସ୍ତେ ଗ୍ରହଣ କରିବା ବୋଲି ସେ କହିଥିଲେ। ଗେହଲଟ ମଧ୍ୟ ସମର୍ଥକଙ୍କୁ ସମାନ ନିବେଦନ କରିଥିଲେ। ଏହାସତ୍ତ୍ବେ ଜୟପୁରରେ ସଚିନ ସମର୍ଥକଙ୍କ ଅସନ୍ତୋଷ ଜାରି ରହିଥିଲା। ଏମିତି କି ରାହୁଲଙ୍କ ବାସଭବନକୁ ମଧ୍ୟ କିଛି ଲୋକ ଧସେଇ ପଶିଥିବା ଲକ୍ଷ୍ୟ କରାଯାଇଥିଲା।
ରାହୁଲ ଅଲଗା ଅଲଗା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ସହିତ ଆଲୋଚନା କରୁଥିଲାବେଳେ ସଚିନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଜଣାଇବା ସହ ଏଥିରୁ ତାଙ୍କୁ ବଞ୍ଚିତ କରାଗଲେ ପ୍ରତିବାଦ କରିବେ ବୋଲି ଖୋଲାଖୋଲି ଜଣାଇଥିଲେ। ଏହା ପୂର୍ବରୁ ରାହୁଲ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ପାଇଁ ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କଠାରୁ ରାଜ୍ୟର ରାଜନୈତିକ ସ୍ଥିତି ତଥା ନବନିର୍ବାଚିତ ବିଧାୟକଙ୍କ ମନୋଭାବ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସଂଗ୍ରହ କରିଥିେଲ। ସେମାନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଥିଲା; କିନ୍ତୁ ସମାଧାନର ରାସ୍ତା ନ ବାହାରିବାରୁ ରାଜସ୍ଥାନ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ କେ.ସି ବେଣୁଗୋପାଳ ସନ୍ଧ୍ୟାରେ ଦ୍ବିତୀୟ ଥର ରାହୁଲଙ୍କୁ ଭେଟିଥିଲେ।
ଏହାଛଡ଼ା ଛତିଶଗଡ଼ ସମ୍ପର୍କରେ ମଧ୍ୟ ରାହୁଲ, ସୋନିଆ ଓ ପ୍ରିୟଙ୍କା ସମ୍ପୃକ୍ତ ରାଜ୍ୟର ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ସହିତ ଆଲୋଚନା କରିଥିଲେ। ମୁଖମନ୍ତ୍ରୀ ପଦ ଦାବିଦାର ଟି.ଏସ୍ ସିଂହଦେଓ ଓ ଭୂପେଶ ବଘେଲାଙ୍କୁ ଆଲୋଚନା ପାଇଁ ଦିଲ୍ଲୀ ଡକାଯାଇଛି। ରାୟପୁରରେ ବଘେଲାଙ୍କ ବାସଭବନ ସମ୍ମୁଖରେ ସମର୍ଥକଙ୍କ ଗହଳି ଲାଗିରହିଛି। ରିପୋର୍ଟ ଲେଖାହେବା ସୁଦ୍ଧା ଛତିଶଗଡ଼ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ। ଶୁକ୍ରବାର ପୂର୍ବାହ୍ଣ ସୁଦ୍ଧା ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବାର ଆଶା ରହିଛି।
କମଲନାଥ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଝୁଲିଲା ରାଜସ୍ଥାନ ନିଷ୍ପତ୍ତି
Popular Categories


