www.samajalive.in
Saturday, December 6, 2025
19.1 C
Bhubaneswar

ଆଜିଠୁ ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଭୁବନେଶ୍ୱର : ଶୁକ୍ରବାର ଠାରୁ ଷୋଡ଼ଶ ବିଧାନସଭାର ପ୍ରଥମ ତଥା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବ। ଏଥିପାଇଁ ଶାସକ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନ ୩୮ଟି ବିଭାଗ ପାଇଁ ବଜେଟରେ କରାଯାଇଥିବା ଅନୁଦାନ ଦାବିର ଯାଞ୍ଚ କାର୍ଯ୍ୟ ସାରିଥିବା ୧୦ଟି ସ୍ଥାୟୀ କମିଟି ସେମାନଙ୍କ ରିପୋର୍ଟ ଦାଖଲ କରିବେ। ଏହାବ୍ୟତୀତ ବିତ୍ତୀୟ ଶୃଙ୍ଖଳା ଓ ବଜେଟ ପରିଚାଳନା ଆଇନ ମୁତାବକ ପ୍ରଥମ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପିତ ହେବ। ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ପ୍ରାୟ ୧୩୦୦ କୋଟି ଟଙ୍କାର ଅଗ୍ରିମ ଅର୍ଥ ଭରଣା ପାଇଁ ଏହି ବ୍ୟୟ ତାଲିକା ଉପସ୍ଥାପନ କରାଯିବ। ଅଧିବେଶନ କାଳରେ ବିଭିନ୍ନ ବିଭାଗର ଖର୍ଚ୍ଚ
ଦାବି ଉପରେ ଆଲୋଚନା କରାଯିବ। ଆଲୋଚନା ଯେପରି ଫଳପ୍ରଦ ହେବ ତାକୁ ଶାସକ ଦଳ ଗୁରୁତ୍ବ ଦେଇଛି। ଏହାବ୍ୟତୀତ ବିରୋଧୀ ରାଜ୍ୟର ସ୍ବାର୍ଥ ସମ୍ବଳିତ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ଶାସକ ଦଳ ପକ୍ଷରୁ ସେସବୁର ଉତ୍ତର ଦିଆଯିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ମଧ୍ୟ ସଦସ୍ୟମାନେ ଆଲୋଚନା କରିବେ ବୋଲି ସେ ପ୍ରକାଶ କରିଛନ୍ତି। ବଜେଟ ଉପରେ ଗତ ୧ ଓ ୨ ତାରିଖ ଦୁଇଦିନ ଧରି ଚାଲିଥିବା ସାଧାରଣ ଆଲୋଚନାରେ ବହୁ ସଦସ୍ୟ ଅନୁପସ୍ଥିତ ଥିଲେ। ବିଧାନସଭା ଚାଲିଥିବାବେଳେ ସଦସ୍ୟମାନେ ଗୃହରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବାକୁ ହୁଇପ ଜାରି କରାଯାଇଥିବା ସେ କହିଛନ୍ତି। ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ର୍ରସଙ୍ଗ ଉଠାଇବାକୁ ବିରୋଧୀ ଯୋଜନା କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସଂପ୍ରତି ମଣ୍ଡିରୁ ଧାନ ଉଠା ଯାଉନଥିବାରୁ ଚାଷୀ ନାହଁି ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମଣ୍ଡିରେ ଧାନ ଗଜା ହେବା ପରେ ବି ଧାନ ଉଠୁନଥିବା ଦେଖାଯାଇଛି। ଏହାର ସ୍ଥାୟୀ ସମାଧାନ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବି କରାଯିବ। ସେହିପରି ବିଭିନ୍ନ ବିଭାଗରେ ଜିଲା କ୍ୟାଡର କର୍ମଚାରୀଙ୍କ ପଦ ଖାଲିଥିବାରୁ ଜିଲାସ୍ତରରେ ସେମାନଙ୍କ ନିୟୋଜନ, ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥାୟୀ କରିବା, ପୁନଃ ନିଯୁକ୍ତି ବନ୍ଦ କରାଯିବା , ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗକୁ ପ୍ରାଧାନ୍ୟ ଦେଇ ସଂପୃକ୍ତ ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ପ୍ରସଙ୍ଗ ଉଠାଯିବ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ଅବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ନାବାଳିକା, ଆଦିବାସୀ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଏହା ଚିନ୍ତାର କାରଣ ହୋଇପଡ଼ିଛି। ଏହି ପ୍ରସଙ୍ଗ ସହ ଧାନର ଅଭାବୀ ବିକ୍ରି, ସମବାୟ ବ୍ୟାଙ୍କରେ ଦୁର୍ନୀତି, ବେକାର ସମସ୍ୟା, ଜଳସେଚନ ଓ ଅନ୍ୟାନ୍ୟ ସମସ୍ୟା ନେଇ କଂଗ୍ରେସ ସରକାରଙ୍କୁ ଘେରିବ। ଏହାବ୍ୟତୀତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବନ୍ଧୁତା ଉପରେ ମଧ୍ୟ ପ୍ରଶ୍ନ ଉଠାଇବ। ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇ ଶନିବାର ଓ ରବିବାର ଛୁଟି ପାଇଁ ବନ୍ଦ ରହିବ। ୧୫ ତାରିଖ ଠାରୁ ୩୦ ପର୍ଯ୍ୟନ୍ତ ବିଭାଗୀୟ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ। ୩୧ ତାରିଖରେ ୨୦୧୯-୨୦ ଆର୍ଥିକବର୍ଷର ବଜେଟରେ ବ୍ୟୟ କରାଯାଇଥିବା ବରାଦ ଉପରେ ବ୍ୟୟ ମଞ୍ଜୁରି ବିଧେୟକ ଆସିବ। ଅଗଷ୍ଟ ୧ ତାରିଖରେ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅର୍ଥ ବ୍ୟୟ ଉପରେ ଆଲୋଚନା ହେବ। ୨ ତାରିଖରେ ଏହା ଉପରେ ସ୍ବତନ୍ତ୍ର ବ୍ୟୟ ମଞ୍ଜୁରି ବିଧେୟକ ଅଣାଯିବ।
ସୂଚନାଯୋଗ୍ୟ ଯେ ଜୁନ ୨୫ ତାରିଖରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ସ୍ଥାୟୀ କମିଟି ଦ୍ବାରା ବିଭିନ୍ନ ବିଭାଗର ଅନୁଦାନ ଦାବି ଯାଞ୍ଚ ପାଇଁ ଜୁଲାଇ ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories