କାଗଜ ପତ୍ରରେ ସୀମିତ ଶୂନ୍ୟ ସଡକ ସୁରକ୍ଷା ଘୋଷଣା

୫ ବର୍ଷ ହେଲା ପୁନଃ ପିଚୁ ହୋଇନାହିଁ ୨୦ ନଂ ଜାତୀୟ ରାଜପଥ

ପାଟଣା : ସଂପ୍ରତି କେବଳ କେନ୍ଦୁଝର ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶାରେ ସଡକ ଦୁର୍ଘଟଣା ଉଦବେଗଜନକ ହୋଇଥିବାବେଳେ ପରିବହନ ବିଭାଗ କେବଳ ହେଲମେଟ୍, ପଲ୍ୟୁସନ ଯାଞ୍ଚକୁ ପ୍ରାଧାନ୍ୟ ଦେଉଛି। କିନ୍ତୁ ଗାଡି ଚାଳକ ମାନଙ୍କୁ ସଚେତନ କରାଇବା ଦିଗରେ ଆଗ୍ରହ ଦେଖାଇନାହିଁ । ମଦ୍ୟପ ଚାଳକ ମାନଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବା, ରାସ୍ତା ଦୁରାବସ୍ଥା କାରଣରୁ ଯେଉଁ ସ୍ଥାନରେ ସର୍ବାଧିକ ଦୁର୍ଘଟଣା ହେଉଛି ତାହାର ପ୍ରତିକାର ଦିଗରେ ରାଜ୍ୟ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ଦିଗରେ ଜିଲ୍ଲା ସ୍ତରରେ ଥିବା ସଡକ ସୁରକ୍ଷା କମିଟି ଉପଯୁକ୍ତ ସମୟପଯୋଗୀ ପଦକ୍ଷେପ ନେଉନଥିବା ଜଣାପଡୁଛି। ଏପରିକି ବ୍ଲାକ ସ୍ପଟ ଚିହ୍ନିତ ସ୍ଥାନ ମାନଙ୍କ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେଇ ଚୁପଚାପ ବସିଯିବା ଏନଏଚ ୨୦ ଏବଂ ୨୨୦ ରେ ଦେଖାଯାଉଛି । ଯାହା ଫଳରେ ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଓ ନିୟମିତ ବ୍ୟବଧାନରେ ଦୋହରା ପିଚୁ କରା ନଯାଇ ରାସ୍ତାରେ ତାଳିପକା କାମ ଦୁର୍ଘଟଣାର କାରଣ ପାଲଟିଥିବା ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶିଷ ଚକ୍ରବର୍ତ୍ତୀ ଅଭିଯୋଗ ଆଣିଛନ୍ତି । ଭାରି ଯାନର ରହଣି ପାଇଁ ପାର୍କିଂ ଅଞ୍ଚଳ ଘୋଷଣା ସତ୍ୱେ ଏହି କାମ ଆଜି ପର୍ଯ୍ୟନ୍ତ ଆରମ୍ଭ କରାନଯିବା ମଧ୍ୟ ଚିନ୍ତାର କାରଣ ହୋଇଛି । ଯାହା ଫଳରେ ଛକ ଜାଗା, ଫାଙ୍କା ଜାଗା ଓ ଢ଼ାବା ଗୁଡିକ ଏବେ ପାର୍କିଂ ଅଞ୍ଚଳ ହୋଇ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ନଦୀ ନାଳ ପୋଖରୀ ଥିବା ରାସ୍ତା କଡ଼ ଗୁଡିକ ମଧ୍ୟ ପାର୍କିଂ ଅଞ୍ଚଳ ହେଉଛି । ୨୦୧୭ ରୁ ୨୦ ନଂ ଜାତୀୟ ରାଜପଥରୁ ଟୋଲ ଟିକସ ଆଦାୟ କରାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସମ୍ପୂର୍ଣ ରାସ୍ତାକୁ ଦୋହରା ପିଚୁ କରାଯାଇନଥିବାରୁ ଅନେକ ସ୍ଥାନରେ ରାସ୍ତା ଦବି ରହିଥିବା,ରାସ୍ତାରେ ଗୁଳା ପଡିଥିବା ଆଦି ମଧ୍ୟ ଭାରି ଯାନ,ହାଲୁକା ଯାନ ଓ ୨ ଚକିଆ ଯାନ ଚଳାଚଳ କ୍ଷେତ୍ରରେ ବିପଦ ସୃଷ୍ଟି କରୁଛି ।
ଏନଏଚ କର୍ତ୍ତୃପକ୍ଷଙ୍କ ଦ୍ଵାରା ଢେଙ୍କିକୋଟ ସମେତ ବିଭିନ୍ନ ସ୍ଥାନରେ ବଜାର ଅଞ୍ଚଳର ସର୍ଭିସ ରୋଡ଼ ଗୁଡିକ ମଧ୍ୟ ସଠିକ ଢଙ୍ଗରେ ନିର୍ମାଣ କରାଯାଇନଥିଲା। ଢେଙ୍କିକୋଟ ସର୍ଭିସ ରୋଡ଼ରେ ବାଇକ ,ସ୍କୁଟି ଗଲେ ଦୋହଲି ଯାଉଛି । ଢେଙ୍କିକୋଟ ଠାରେ ଦୀର୍ଘ ୫ ବର୍ଷ ମଧ୍ୟରେ ଓଭର ବ୍ରିଜ ଅଞ୍ଚଳକୁ ମଧ୍ୟ ଆଲୋକୀକରଣ କରାଯାଇପାରିଲା ନାହିଁ । ଏହି ଓଭର ବ୍ରିଜ ରାସ୍ତା ଦୁର୍ଘଟଣାରେ ମୋଟ ୯ ଜଣଙ୍କ ମୃତ୍ୟ ଘଟି ସାରିଥିଲେ ମଧ୍ୟ ଏଠାରେ ଚିହ୍ନିତ ବ୍ଲାକ ସ୍ପଟ ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏପରିକି ଦୀର୍ଘ ୩ ବର୍ଷ ତଳେ ଟ୍ରକ ଦୁର୍ଘଟଣା ରେ ଭାଙ୍ଗି ପଡିଥିବା ସୂଚନା ଫଳକ ଖୁଣ୍ଟ ଟି ଉପୁଡି ଡିଭାଇଡ଼ର ଉପରେ ପଡି ରହିଥିଲେ ମଧ୍ୟ ଏଠାରେ ନୂଆ ସୂଚନା ଫଳକ ଲଗା ଯାଉନାହିଁ କି ଭାଙ୍ଗି ପଡିଥିବା ଖୁଣ୍ଟ ଟିକୁ ମଧ୍ୟ ଉଠା ଯାଉନାହିଁ । ଖଣ୍ଟଘର ପଥକର ଫାଟକର ସବୁ ଗେଟ ସବୁ ସମୟରେ ଠିକ ଭାବେ ଖୋଲୁ ନଥିବାରୁ ଏଠାରେ ଗାଡିର ଲମ୍ବା ଲାଇନ ଲାଗିବା ଓ ସେଠାରୁ ଫିଟିବା ପରେ ଆଗକୁ ଓଭର ଟେକ ଚକ୍କର କୁ ନେଇ ମଧ୍ୟ ଦୁର୍ଘଟଣା ଘଟୁଛି । ବର୍ଷକେ ତଳେ ସଡକ ଦୁର୍ଘଟଣା ଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବେଛାସେବୀ ଚୟନ ପ୍ରକ୍ରିୟା କରାଯାଇଥିଲେ ମଧ୍ୟ ଏହାର ଅଗ୍ରଗତି କେତେ ହେଲା ତାହା ସାଧାରଣ ଲୋକଙ୍କୁ ଜଣା ନାହିଁ।
ତେବେ ରିମୂଳିରୁ ପାଣିକୋଇଲି ପର୍ଯ୍ୟନ୍ତ ୪ ଲେନ ରାସ୍ତାର ପୁନଃ ପିଚୁ କରାଯିବା ସମ୍ବେଦନଶୀଳ ବ୍ଲାକ ସ୍ପଟ ଅଞ୍ଚଳରେ ଗତିରୋଧକ ଫଳକ ଲଗାଯିବା ପାର୍କିଂ ଏରିଆ ନିର୍ମାଣ କରାଯିବା ସହ ମଦ୍ୟପ ଚାଳକ ଓ ଦୃତଗତିରେ ଗାଡି ଚଳାଉଥିବା ଚାଳକଙ୍କ ଉପରେ ଆଇନ ଗତ ପଦକ୍ଷେପ ନିଆଯିବା, ନାବାଳକ ଚାଳକଙ୍କୁ ଗିରଫ କରାଯିବା, ଉଚ୍ଚ ଶକ୍ତି ସମ୍ପନ୍ନ ଏଲ ଇଡିହେଡ ଲାଇଟ ବନ୍ଦ କରିବା, ଡିଭାଇଡ଼ର ଅଞ୍ଚଳକୁ ବର୍ଷ ତମାମ ପରିଷ୍କାର ରଖିବା ଆଦି ବିବିଧ ସମସ୍ୟାର ସମାଧାନ କରାନଗଲେ ଆଗକୁ ଦୁର୍ଘଟଣା ଜିଲ୍ଲାର ଏକ ମୁଖ୍ୟ ସମସ୍ୟା ହୋଇ ରହିବ। ଏହା ନିଃସନ୍ଦେହ ବୋଲି କୁହାଯାଉଛି।

Comments are closed.