ନିଯୁକ୍ତି ଓ ରୋଜଗାର ଯୋଗାଇଛି ୟୁ-ଟ୍ୟୁବ୍‌: ବର୍ଷକରେ ୭ ଲକ୍ଷ ନିଯୁକ୍ତି, ୬୮୦୦ କୋଟି ଆୟ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ରୋଜଗାରର ଏବେ ପ୍ରମୁଖ ପନ୍ଥା ପାଲଟିଛି ସାମାଜିକ ଗଣମାଧ୍ୟମର ୟୁ-ଟ୍ୟୁବ୍‌ ପ୍ଲାଟଫର୍ମ। ଘରେ ବସି ନୂଆ ନୂଆ ବିଷୟ, ପ୍ରସଙ୍ଗ ଓ ଘଟଣା ପ୍ରସ୍ତୁତ କରି ଭାରତୀୟ ଯୁବକ ଯୁବତୀ ବେଶ୍‌ ରୋଜଗାରକ୍ଷମ ହୋଇପାରୁଛନ୍ତି। ଅନେକ ବ୍ୟକ୍ତିଙ୍କ ଅର୍ଥ ଉପାର୍ଜନର ମାଧ୍ୟମ ପାଲଟିଥିବା ଏହି ସୋସିଆଲ ମିଡିଆକୁ ନେଇ ଖୋଦ୍‌ ୟୁ-ଟ୍ୟୁବ୍‌ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଜାରି କରିଛି। କମ୍ପାନୀର ମୁଖ୍ୟ ଉତ୍ପାଦକ ଅଧିକାରୀ ନିଲ୍‌ ମୋହନ କହିଛନ୍ତି ଯେ, ବର୍ଷକୁ ଭାରତର ମୋଟ ରାଜସ୍ବ ଆୟକୁ କେବଳ ୟୁଟ୍ୟୁବର ମାନଙ୍କର ୬,୮୦୦ କୋଟି ଟଙ୍କାର ଯୋଗଦାନ ରହିଛି। ସେତିକି ନୁହେଁ, ବାର୍ଷିକ ୭ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ମଧ୍ୟ ଏହି କମ୍ପାନୀ ସକ୍ଷମ ହୋଇଛି।

ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ୍‌(ଓଆରଏଫ) ପକ୍ଷରୁ ଆୟୋଜିତ ଟେକ୍ନୋଲୋଜି, ଇନୋଭେସନ୍ ଏବଂ ସୋସାଇଟି ଉପରେ ଚାଲିଥିବା ଏକ ଆଲୋଚନାଚକ୍ରରେ ନିଲମୋହନ ଯୋଗଦେଇ ଭାରତ ଅର୍ଥନୀତିର ପ୍ରଗତିରେ ୟୁ-ଟ୍ୟୁବର ଏକ ପ୍ରମୁଖ ଭାଗିଦାରୀ ରହିଥିବା କହିଛନ୍ତି। ସେ କହିଛନ୍ତି ଯେ ୟୁ-ଟ୍ୟୁବ କେବଳ ଦର୍ଶକ ତିଆରି କରିନି; ବରଂ ବ୍ୟବସାୟ ପାଇଁ ଆର୍ଥିକ ଉତ୍ସର ମାଧ୍ୟମ ହୋଇପାରିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛୋଟ ବ୍ୟବସାୟ ପାଇଁ ଏକ ବଡ଼ ଦିଗ ରହିଛି। ଏଥିରେ ବିଜ୍ଞାପନ ମଧ୍ୟ ଅର୍ଥ ଉପାର୍ଜନର ଏକ ପ୍ରମୁଖ ଅଂଶବିଶେଷ।

Comments are closed.