ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ : ଅଷ୍ଟ୍ରେଲିଆ ୨୯୬ ରନରେ ଆଗୁଆ
ଭାରତକୁ ଫଲୋଅନରୁ ବଞ୍ଚାଇଲେ ରାହାଣେ, ସାର୍ଦୁଳ, ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୨୩/୪
ଓଭାଲ୍ : ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଜାରି ରହିଛି । ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବପୂର୍ଣ୍ଣ ଇନିଂସ ପରେ ଅଧିନାୟକ ପ୍ୟାଟ୍ କମିନସଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ପହଞ୍ଚିଛି । ଓଭାଲରେ ଚାଲିଥିବା ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଓ ସାର୍ଦୁଳ ଠାକୁରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଫଲୋଅନ ଏଡାଇଥିଲେ ମଧ୍ୟ ବିପଦଜନକ ସ୍ଥିତିରେ ରହିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ରନ ଜବାବରେ ଭାରତ ୨୯୬ରନରେ ଅଲ୍ଆଉଟ୍ ହୋଇଯାଇଛି। ପ୍ରଥମ ଇନିଂସରେ ୧୭୩ରନରେ ଅଗ୍ରଣୀ ହାସଲ କରିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ୪ ୱିକେଟ ହରାଇ ୧୨୩ର ରନ କରିଛି। ଅଷ୍ଟ୍ରେଲିଆ ହାତରେ ୬ ୱିକେଟ ସୁରକ୍ଷିତ ରହିଥିବାବେଳେ ଦଳ ୨୯୬ରନରେ ଆଗୁଆ ରହିଛି।
ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସ ଆରମ୍ଭରୁ ଭାରତକୁ ସଫଳତା ମିଳିଥିଲା। ସ୍କୋର ୨ରନ ଥିବାବେଳେ ଓପନର ଡେଭିଡ୍ ୱାର୍ଣ୍ଣର ମାତ୍ର ୧ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଉସ୍ମାନ ଖାୱାଜା ଓ ମାର୍ନୁସ ଲାବୁସାନେ ୨୨ରନ ଯୋଡିଥିଲେ। ୨୪ରନ ସ୍କୋରରେ ଖାୱାଜା ୧୩ରନ କରି ଆଉଟ୍ ହୋଇଥିଲେ। ୩ୟ ୱିକେଟ ପାଇଁ ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଷ୍ଟିଭ୍ ସ୍ମିଥ୍ ଓ ଲାବୁସାନେ ୬୨ରନ ସଂଗ୍ରହ କରିଥିଲେ। ୮୬ରନ ସ୍କୋର ଥିବାବେଳେ ସ୍ମିଥ୍ ୩୪ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଲାବୁସାନେ ଓ ଟ୍ରେଭିସ ହେଡ୍ ୨୫ରନ ସଂଗ୍ରହ କରିଥିଲେ। ସ୍କୋର ୧୧୧ରନ ଥିବାବେଳେ ହେଡ୍ ୧୮ରନ କରି ଆଉଟ୍ ହୋଇଥିଲେ। ୫ମ ୱିକେଟରେ ଲାବୁସାନେ ଓ କାମେରୁନ ଗ୍ରୀନ ଅବିଭାଜିତ ୧୨ରନ ସଂଗ୍ରହ କରିଛନ୍ତି। ୩ୟ ଦିନ ଖେଳ ଷ୍ଟମ୍ପ ଅପସାରଣ ବେଳକୁ ଲାବୁସାନେ ୪୧ ଓ ଗ୍ରୀନ ୭ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୨ଟି, ମହମ୍ମଦ ସିରାଜ ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ଭାରତ ଦ୍ବିତୀୟ ଦିନର ଅସମାପ୍ତ ୫/୧୫୧ରନରୁ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ୨୯ ଓ ଶ୍ରୀକର ଭାରତ ୫ରୁ ଖେଳ ଆରମ୍ଭ କରିଥିଲେ। ଦଳୀୟ ସ୍କୋରରେ ଆଉ ମାତ୍ର ୧ରନ ଯୋଗ କରିବା ପରେ ଭାରତ ୬ଷ୍ଠ ୱିକେଟ ହରାଇଥିଲା। ଶ୍ରୀକର ବ୍ୟକ୍ତିଗତ ସ୍କୋରରେ ଆଉ କୌଣସି ରନ୍ ଯୋଗ କରିବା ପୂର୍ବରୁ ଆଉଟ୍ ହୋଇଥିଲେ। ସପ୍ତମ ୱିକେଟରେ ରାହାଣେ ଓ ସାର୍ଦୁଳ ଠାକୁର ଦୃଢତାର ସହିତ ବ୍ୟାଟିଂ କରିଥିଲେ। ଉଭୟେ ଅଷ୍ଟ୍ରେଲିଆ ବୋଲରଙ୍କୁ କିଛି ସମୟ ସଠିକ ମୁକାବିଲା କରି ୧୦୯ରନ ଯୋଗ କରିଥିଲେ। ୨୬୧ରନରେ ସପ୍ତମ ୱିକେଟର ପତନ ଘଟିଥିଲା। ମଧ୍ୟାହ୍ନବିରତି ପେର ପ୍ରଥମ ଓଭରରେ ରାହାଣେ ୮୯ରନ କରି କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ସାର୍ଦୁଳ ଦାୟିତ୍ବର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସାର୍ଦୁଳ ଓ ମହମ୍ମଦ ସାମି ୮ମ ୱିକେଟରେ ୨୩ରନ ଯୋଡିଥିଲେ। ସ୍କୋର ୨୯୪ ଥିବାବେଳେ ସାର୍ଦୁଳ ୫୧ରନ କରି ଆଉଟ୍ ହୋଇଥିଲେ। ଭାରତ ଶେଷରେ ୬୯.୪ ଓଭର ଖେଳି ୨୯୬ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ମହମ୍ମଦ ସାମି ୧୩ରନ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୩ଟି, ସ୍କଟ ବୋଲାଣ୍ଡ, କାମେରୁନ ଗ୍ରୀନ, ମିଚେଲ ଷ୍ଟାର୍କ ୨ଟି ଲେଖାଏଁ, ନାଥନ ଲାୟନ ଗୋଟିଏ ୱିକେଟ ନେଇଥିଲେ।
Comments are closed.