ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ଓ ଦୁଇଦିନିଆ ସାଂସ୍କୃତିକ ପ୍ରଦର୍ଶନୀ ଉଦ୍ଘାଟିତ

କେନ୍ଦୁଝରଗଡ : ଓଡ଼ିଆ ଭାଷା ପ୍ରତିଟି ଓଡ଼ିଆଙ୍କ ଅସ୍ମୀତା ଓ ଆସ୍ଥାର ଭୂମି । ଓଡିଆ ଭାଷାର ଅଧିକରୁ ଅଧିକ ଗବେଷଣା ଆବଶ୍ୟକ ।  ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ତ୍ରିଦିବସୀୟ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ଓ ଦୁଇଦିନିଆ ସାଂସ୍କୃତିକ ପ୍ରଦର୍ଶନୀକୁ ଉଦ୍‍ଘାଟନ କରିବା ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଏହା କହିଛନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷାକୁ କେବଳ ଶ୍ରେଣୀକକ୍ଷର ଭାଷା ନକହି ଏହା ଆମ ଜାତୀୟ ଅସ୍ମୀତାର ପ୍ରତୀକ ବୋଲି ଅଭିହିତ କରିଥିଲେ । ବିଶିଷ୍ଟ କବି ପଦ୍ମଶ୍ରୀ ଡ.ଦମୟନ୍ତୀ ବେଶ୍ରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଆ ଓ ଜନଜାତି ସଂସ୍କୃତିର ସମନ୍ୱୟ ବୋଲି ପ୍ରମାଣ ରଖିଥିଲେ ।

ସମ୍ମିଳନୀରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡିଆ ଓ ଜନଜାତି ଭାଷା ମଧ୍ୟରେ ସମ୍ପର୍କ ଓ ପ୍ରଭାବ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁରର ପ୍ରଫେସର ଡ.ମୀରା ସ୍ୱାଇଁ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ବିଶିଷ୍ଟ କବି ପଦ୍ମଶ୍ରୀ ଡ.ଦମୟନ୍ତୀ ବେଶ୍ରା ଅତିଥି ଆଲୋଚକ ଭାବେ ଯୋଗଦେଇ ଓଡିଆ ଭାଷା ସହିତ କିଭଳି ଜନଜାତିଙ୍କ ସମ୍ପର୍କ ନିବିଡ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସନ୍ଧ୍ୟାରେ କେନ୍ଦୁଝରର ଜନଜାତି ଜୁଆଙ୍ଗ ଦ୍ୱାରା ଚାଙ୍ଗୁ ନୃତ୍ୟ ଓ ପ୍ରସିଦ୍ଧ କାଠିକଣ୍ଢେଇ ନୃତ୍ୟ ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments are closed.