ଭୁବନେଶ୍ବର: ଆଜି ବିଶ୍ୱ ହୃଦୟ ଦିବସ । ବିଭିନ୍ନସ୍ତରରେ ଏହି ଦିବସ ପାଳନ ହେବ । ହେଲେ ସରକାରୀସ୍ତରରେ ଯେଭଳି ହୃଦ୍ ଚିକିତ୍ସାକୁ ଗୁରୁତ୍ବ ଦିଆଯିବା କଥା ସେଭଳି ଗୁରୁତ୍ବ ଦିଆଯାଉନାହିଁ । ଭିତ୍ତିଭୂମିର ଅଭାବ ଥିବାବେଳେ ମାନବସମ୍ବଳ ପ୍ରତିବନ୍ଧକ ସାଜିଛି। ପିଜିଆଇଏମ୍ଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ହୃଦ୍ ବିଭାଗକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ହୃଦ୍ ବିଭାଗକୁ ଉତ୍କର୍ଷ କେନ୍ଦ୍ର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ତାହା ହୋଇପାରି ନାହିଁ । ଏଠାରେ ଦୈନିକ ରୋଗୀ ସଂଖ୍ୟା ଅନୁସାରେ ଭିତ୍ତିଭୂମି, ଶଯ୍ୟା, ଆଇସିୟୁ ଡାକ୍ତର, ସେବିକା, ଆଟେଣ୍ଡାଣ୍ଟଙ୍କ ଅଭାବ ରହିଛି। କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ଯୋଡ଼ି ହେବା ପରେ ଏବେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ନିଷ୍ପତ୍ତି ଅନୁସାରେ ହୃଦ୍ ବିଭାଗରେ ସେପରି କୌଣସି ଆଖ୍ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଦୈନିକ ଏଠାରେ ପ୍ରାୟ ୧୫୦ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ଆଞ୍ଜିଓଗ୍ରାମ, ଆଞ୍ଜିଓପ୍ଲାଷ୍ଟି ଭଳି ଅସ୍ତ୍ରୋପଚାର ସହ ଜନ୍ମରୁ ଛାତିରେ ଛିଦ୍ର ହୋଇଥିଲେ ତାହାକୁ ବିନା ଅସ୍ତ୍ରୋପଚାରରେ ଠିକ୍ କରାଯାଉଛି । ଏହାଛଡ଼ା ଆରିଦିମିଆ ଅସ୍ତ୍ରୋପଚାର ମଧ୍ୟ କରାଯାଉଛି। ଏତେ ସବୁ ହେଲା ପରେ ବିଭାଗକୁ ଉପେକ୍ଷା କରାଯାଉଛି। ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ସ୍ବତନ୍ତ୍ରଭାବେ ଡା. ପି କେ ଦାସଙ୍କୁ ଏଠାକୁ ଆଣିବା ସହିତ ବିଭାଗର କଳେବର ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ହସ୍ପିଟାଲ ନିର୍ଦେଶକ ଏବଂ ଡା. ଦାସଙ୍କ ସହିତ ଅନେକ ଥର ବୈଠକ ହୋଇଛି।
ଆବଶ୍ୟକତା ଅନୁସାରେ ହୃଦ ବିଭାଗକୁ ସମସ୍ତ ଅତ୍ୟାଧୁନିକ ସରଞ୍ଜାମ, ଭିତ୍ତିଭୂମି ଏବଂ ମାନବସମ୍ବଳ ଦିଆଯିବ ବୋଲି ନିଷ୍ପରି ହୋଇଥିଲା। ଏହା ଭିତରେ ଡା. ଦାସ ଯୋଗ ଦେବାର ୫ ବର୍ଷ ପୂରି ହେବ ଏବଂ ପୁରୁଣା ସରକାର ଯାଇ ନୂଆ ସରକାର ଆସିଲେଣି। କିନ୍ତୁ ଏପର୍ଯ୍ୟନ୍ତ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ କି ଏବିଷୟରେ ଆଲୋଚନା କରାଯାଇନାହିଁ । ଦୀର୍ଘ ବର୍ଷ ହେବ ହସ୍ପିଟାଲର ହୃଦ୍ ବିଭାଗକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାରୀସ୍ତରରେ ହେଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଲେ ସବୁ କିଛି କାଗଜକଲମରେ ସୀମିତ ରହିଛି। ଏଠାରେ ଜୁନିଅର ଡାକ୍ତର ନଥିବାବେଳେ ସେବିକାଙ୍କ ଅଭାବ ରହିଛି । ସେହି ଅନୁସାରେ ଆଟେଣ୍ଡାଣ୍ଟ ମଧ୍ୟ ନାହାନ୍ତି । ଏହାସହ ଶଯ୍ୟା ସଂଖ୍ୟା ସୀମିତ ଥିବାବେଳେ ଆଇସିୟୁ ଶଯ୍ୟା ମାତ୍ର ୪ ରହିଛି। ଇକୋ, ଇସିଜି ଏବଂ ଅନ୍ୟାନ୍ୟ ପରୀକ୍ଷା କରିବା ପାଇଁ ଟେକ୍ନିସିଆନ ମଧ୍ଯ ନାହାନ୍ତି । ସ୍ବତନ୍ତ୍ର ଆଇସିୟୁ କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲେ ହେଁ ତାହା ଏବେ ଶୀତଳଭଣ୍ଡାରରେ ରହିଛି। ସରକାରୀସ୍ତରରେ ସମସ୍ତ ଆବଶ୍ୟକତା ପୂରଣ କରାଗଲେ ହୃଦ୍ ରୋଗୀ ଉପକୃତ ହୋଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଛନ୍ତି।



