ଲକ୍ଷ୍ନୌ: ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହା ଥିଲା ନିତିଦିନିଆ ଘଟଣା। ମାତ୍ର ଗୋଟିଏ ରାତିରେ ଝଗଡ଼ା ଭୀଷଣ ରୂପ ନେଲା। ପରେ ଉଭୟ ଶୋଇବାକୁ ଗଲେ। ହେଲେ ସ୍ବାମୀଙ୍କ ସ୍ବପ୍ନରେ ହଠାତ୍ ସ୍ତ୍ରୀ ଆସିଲେ। ସ୍ତ୍ରୀ କୁଆଡେ ତାଙ୍କ ଛାତି ଉପରେ ବସି ତାଙ୍କ ରକ୍ତ ପିଇବାକୁ ଲାଗିଥିଲେ। ଦାମ୍ପତ୍ୟ କଳହରୁ ଏଭଳି ଦୁଃସ୍ବପ୍ନ ଦେଖିଛନ୍ତି ସ୍ବାମୀ। ଏହି କାରଣ ପାଇଁ ରାତିରେ ଠିକ୍ ଭାବେ ଶୋଇପାରି ନଥିବା ଦର୍ଶାଇ ପରଦିନ ଠିକ୍ ସମୟରେ କାର୍ଯ୍ୟାଳୟ ଯାଇ ପାରି ନ ଥିଲେ ବୋଲି ତାଙ୍କ ବରିଷ୍ଠ ଅଧିକାରୀଙ୍କ କାରଣ ଦର୍ଶାଅ ଚିଠିର ଉପରୋକ୍ତ ଉତ୍ତର ଦେଇଛନ୍ତି ଜଣେ କନଷ୍ଟେବଳ ସ୍ବାମୀ।
ଏହି ବ୍ୟକ୍ତି ଜଣକ ଉତ୍ତରପ୍ରଦେଶ ଅର୍ଦ୍ଧସାମରିକ ବାହିନୀର ଜଣେ ପ୍ରାଦେଶିକ ସଶସ୍ତ୍ର କନଷ୍ଟେବଳ ଭାବେ କାର୍ଯ୍ୟ କରନ୍ତି । ଗୁରୁତ୍ୱପୂର୍ଣ୍ଣ ସୂଚନା ସମ୍ପର୍କରେ ଅବଗତ କରାଇବା ପାଇଁ ତାଙ୍କୁ ଠିକ ସମୟରେ କାର୍ଯ୍ୟାଳୟ ଆସିବାକୁ ନିର୍ଦେଶ ଥିଲା। କିନ୍ତୁ ସେ ବିଳମ୍ବରେ ଆସିବାରୁ ତାଙ୍କୁ ଉପରସ୍ଥ ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।
ଏହାର ଜବାବରେ କନଷ୍ଟେବଳ ଜଣଙ୍କ ଲେଖିଥିବା ଚିଠିକୁ ଲକ୍ଷାଧିକ ଲୋକ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏଭଳି ଚିଠି କନଷ୍ଟେବଳ ଜଣଙ୍କ ପିଏସିର ୪୪ ବାଟାଲିୟନ କମାଣ୍ଡାଣ୍ଟଙ୍କ ନିକଟକୁ ଲେଖିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ପିଏସିର ୪୪ ବାଟାଲିୟନ ଜି-ସ୍କ୍ୱାଡ କମାଣ୍ଡାଣ୍ଟ ମଧୁସୂଦନ ଶର୍ମା ଗତ ଫେବୃଆରୀ ୧୭ ତାରିଖରେ ନୋଟିସ ଜାରି କରି ଉତ୍ତର ମାଗିଥିଲେ। ପୂର୍ବ ସୂଚନା ସତ୍ତ୍ୱେ କାହିଁକି କନଷ୍ଟେବଲ ଜଣଙ୍କ ଡ୍ୟୁଟି ସମୟ ୯ଟାରେ ଆସି ନଥିଲେ ବୋଲି କମାଣ୍ତର ପ୍ରଶ୍ନ କରିଥିଲେ। ଏଥିସହ ସେ କାହିଁକି ଦାଢ଼ି ଓ ଚୁଟି କାଟି(କ୍ଲିନ୍ସେଭ୍ ) ନଥିଲେ। ଏଭଳିକି ୟୁନିଫର୍ମ ମଧ୍ୟ ସଠିକ୍ ଢଙ୍ଗରେ ପିନ୍ଧି ନଥିଲେ ବୋଲି ସ୍ପଷ୍ଟୀକରଣ ରଖିବାକୁ ନିର୍ଦେଶ ଦିଆଯାଇଥିଲା। ଦିନକ ପରେ ସଂପୃକ୍ତ କନଷ୍ଟେବଳ ଜଣକ ଦିନକ ମଧ୍ୟରେ ପିଏସି ଅଫିସରେ ନୋଟିସର ଲିଖିତ ଜବାବ ଦାଖଲ କରିବାକୁ କୁହାଯିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ମିଳିଥିଲା। ନୋଟିସର ଜବାବରେ କନଷ୍ଟେବଳ ଜଣଙ୍କ ଚକିତ କଲାଭଳି ଜବାବ ଲେଖିବା ସହ ସେ ଭୋଗୁଥିବା ଦାମ୍ପତ୍ୟ ଯନ୍ତ୍ରଣା କଥା ଉଲ୍ଲେଖ କରିଛନ୍ତି। ତାଙ୍କ କହିବା କଥା ଯେ ବ୍ୟକ୍ତିଗତ କାରଣ ପାଇଁ ସେ ରାତିରେ ଠିକ୍ ଭାବେ ଶୋଇପାରି ନଥିଲେ। ତେଣୁ ସେଦିନ ବିଳମ୍ବରେ କାର୍ଯ୍ୟାଳୟକୁ ଆସିଥିଲେ।
ପତ୍ନୀଙ୍କ ସହ ତାଙ୍କର ପ୍ରବଳ ଝଗଡ଼ା ୧୫ ତାରିଖ ରାତିରେ ହୋଇଥିଲା। ରାତିରେ ପତ୍ନୀ ତାଙ୍କ ସ୍ୱପ୍ନରେ ଆସି ଛାତି ଉପରେ ବସି ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ରକ୍ତ ପିଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ କନଷ୍ଟେବଳ ଜଣଙ୍କ ଡରି ଯାଇ ସାରା ରାତି ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ରାତିସାରା ଅନିଦ୍ରା ରହିଥିଲେ। ମାନସିକ ଅବସାଦ ଲାଗି ସେ ଔଷଧ ସେବନ କରୁଥିବା ମଧ୍ୟ ଉତ୍ତରପତ୍ରରେ ଉଲ୍ଲେଖ କରିଛନ୍ତି। ତାଙ୍କ ମା’ ସ୍ନାୟୁଜନିତ ରୋଗରେ ପୀଡ଼ିତ। ଏହା ମଧ୍ୟ କନଷ୍ଟେବଳଙ୍କ ଚିନ୍ତା ବଢାଇଛି। ସେ ଏବେ ଅସହାୟ ଅନୁଭବ କରୁଛନ୍ତି ଏବଂ ତାଙ୍କର ଆଉ ଜୀବନ ଜୀଇଁବାକୁ ଇଚ୍ଛା ନଥିବା ଲେଖିଛନ୍ତି। କେମିତି ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରି ଏହି ଯନ୍ତ୍ରଣାରୁ ମୁକୁଳିବେ, ସେଥିପାଇଁ ତା’ର ବାଟ ବତାଇବାକୁ ସେଥିପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ପାଲଟା ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ପିଏସିର ୪୪ ବାଟାଲିୟନର କମାଣ୍ଡାଣ୍ଟ ସତ୍ୟେନ୍ଦ୍ର ପଟେଲ କହିଛନ୍ତି ଯେ, ସେମାନେ ଚିଠିରେ କରାଯାଇଥିବା ଦାବିର ତଦନ୍ତ କରୁଛନ୍ତି। ସେ କହିଛନ୍ତି, “କର୍ମଚାରୀ ଜଣଙ୍କ କିଏ? ତାଙ୍କ ସମସ୍ୟା କ’ଣ? ସେସବୁର ତଦନ୍ତ କରାଯାଉଛି। ଯଦି କେହି କାଉନସେଲିଂ ଚାହୁଁଛନ୍ତି, ଏହା କରାଯିବ। ଯଦି କାହାକୁ ବିଭାଗୀୟ ସହଯୋଗ ଲୋଡ଼ା ତାହା ଦେଖାଯିବ ବୋଲି ମତ ରଖିଛନ୍ତି। ଏଭଳି ସ୍ପଷ୍ଟୀକରଣର ଉତ୍ତରକୁ ନେଇ ସାଧାରଣରେ ଚର୍ଚ୍ଚା ବଢିଛି।
ସ୍ବାମୀଙ୍କ ଛାତିରେ ବସି ରକ୍ତ ପିଉଥିଲେ ପତ୍ନୀ !
Popular Categories



