କଟକ ବଡ଼ ମେଡିକାଲ ଭେଷଜ ବିଭାଗ ମୁଖ୍ୟ ଡା.ଜୟନ୍ତ ପଣ୍ଡା କହିଛନ୍ତି ଯେ, ସଙ୍ଗରୋଧ କିମ୍ବା ଏକାନ୍ତବାସରେ ଥିବା ଆକ୍ରାନ୍ତମାନେ ମନଇଚ୍ଛା ଔଷଧ ସେବନ କରିବା କଥା ନୁହେଁ। ସେମାନଙ୍କଠାରେ ଜ୍ୱର ଦେଖାଦେଲେ ‘ପାରାସିଟାମଲ’-୬୫୦ ମିଲିଗ୍ରାମ ଦିନକୁ ୪ଟା ପର୍ଯ୍ୟନ୍ତ ଖାଇପାରିବେ। ଯଦି ଜ୍ୱର ନାହିଁ ତେବେ ନ ଖାଇଲେ ଚଳିବ, ମାତ୍ର ଜ୍ୱର ନ କମିଲେ ପାରାସିଟାମଲ ବଟିକା ସହିତ ନେପ୍ରକ୍ସେନ-୨୫୦ ମିଲିଗ୍ରାମ ଦିନକୁ ୨ଟା ଖାଇପାରିବେ। ଏହାସହିତ ଭିଟାମିନ୍-ସି, ଜିଙ୍କ୍ ଔଷଧ ସେବନ କରିପାରିବେ। ତେବେ ଏକାନ୍ତବାସରେ ଥିବା ରୋଗୀମାନେ ‘ଆଇଭରମେକ୍ଟିନ’ ଔଷଧ ସେବନ କରିପାରିବେ।
୧୨ବର୍ଷରୁ ଊର୍ଦ୍ଧ୍ବ ତଥା ବଡ଼ ବ୍ୟକ୍ତିମାନେ ଦିନକୁ ୧୨ ମିଲିଗ୍ରାମ ଏବଂ ଛୋଟ ପିଲାମାନେ ୬ ମିଲିଗ୍ରାମ ୩ରୁ ୫ଦିନ ଯାଏଁ ଖାଇ ପାରିବେ। ଗର୍ଭବତୀ କିମ୍ବା ପ୍ରସୂତିମାନେ ଏହି ଔଷଧ ସେବନ କରିବା ସ୍ପୃହଣୀୟ ନୁହେଁ। ଏହାବାଦ୍ ଫାବିପିରାଭିର ବଟିକା ଏବଂ ରେମଡେସିଭର ଟିକା କେବଳ ଡାକ୍ତରଙ୍କ ପରାମର୍ଶରେ ରୋଗୀଙ୍କ ଅବସ୍ଥା ଦେଖି ଦେଇହେବ। ଯଦି ଆକ୍ରାନ୍ତ ମନଇଚ୍ଛା ଏହି ଔଷଧ କିଣି ସେବନ କରିବେ, ତେବେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ ବୋଲି ଡା. ପଣ୍ଡା ଚେତାଇ ଦେଇଛନ୍ତି।



